ଭୁବନେଶ୍ୱର, ୨୨/୦୨: ସାନ ଯାଆଙ୍କୁ ବଡ଼ ଯାଆ ଯକୃତ ଦାନ କରିବା ଘଟଣା। ଲିଭର ପ୍ରତିରୋପଣ ପରେ ବି ବଞ୍ଚି ପାରିଲେନି ସାନ ଯାଆ । ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦରେ ଚାଲିଗଲା ସାନ ଯାଆଙ୍କ ଜୀବନ । ଶୁକ୍ରବାର ରାତିରେ ଏହି ଘଟଣା ଘଟିଛି । ଅସ୍ତ୍ରୋପଚାର ପରେ ଶରୀର ମଧ୍ୟରେ ସେପଟିକ୍ ହେବାରୁ ସାନ ଯାଆଙ୍କ ଲିଭର ନଷ୍ଟ ହୋଇଯାଇଥିବା ନେଇ ସୂଚନା ମିଳିଛି । ଏନେଇ ମହିଳାଙ୍କ ସ୍ଵାମୀ ସୂଚନା ଦେଇଛନ୍ତି ।
କହିରଖୁ କି, ୨୦୨୦ ଫେବ୍ରୁଆରୀ ୧୬ରେ ସମ୍ବଲପୁର ଜାତୀୟ ରାଜପଥକୁ ଲାଗିଥିବା ଏକ ଘରୋଇ ହସ୍ପିଟାଲରେ ମହାଦେବ ପ୍ରଧାନଙ୍କ ସ୍ତ୍ରୀ ଉମାକାନ୍ତିଙ୍କ ଅସ୍ତ୍ରୋପଚାର ହୋଇଥିଲା । ପିତ୍ତକୋଷରେ ପଥୁରି ରୋଗ ହୋଇଥିବାରୁ ସେଠାରେ ଅପରେସନ କରାଯାଇଥିଲା । ହେଲେ ପିତ୍ତନଳୀକୁ ଡାକ୍ତର କାଟି ଦେଇଥିବା ଜଣାପଡ଼ିଲା । ଏହି ଘଟଣାର ୪ ବର୍ଷ ପରେ ଅର୍ଥାତ ୨୦୨୪ ଡିସେମ୍ବର ୫ରେ ସ୍ତ୍ରୀଙ୍କ ଯକୃତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଜଣାପଡ଼ିଲା । ଲିଭର ପ୍ରତିରୋପଣ ନ ହେଲେ ଜୀବନ ପ୍ରତି ବିପଦ ଥିବାରୁ ତୁରନ୍ତ ଡୋନର୍ ଖୋଜିବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ଉମାକାନ୍ତିଙ୍କ ସହ ତାଙ୍କ ସ୍ୱାମୀଙ୍କ ବ୍ଲଡଗ୍ରୁପ୍ ମ୍ୟାଚ୍ କଲା ନାହିଁ । ହେଲେ ତାଙ୍କ ଯାଆ ପ୍ରତିମାଙ୍କ ବ୍ଲଡଗ୍ରୁପ ମ୍ୟାଚ୍ ହୋଇଥିଲା । ନିଜ ସ୍ୱାସ୍ଥ୍ୟବସ୍ଥା କଥା ନ ଭାବି ବଡ଼ ଯାଆ ପ୍ରତିମା ଯକୃତ ଦେବାକୁ ତୁରନ୍ତ ରାଜି ହୋଇଯାଇଥିଲେ । ଫେବୃୟାରୀ ୬ ତାରିଖରେ ହାଇଦ୍ରାବାଦରେ ଅସ୍ତ୍ରୋପଚାର ହେଲା । ଫେବୃୟାରୀ ୯ ତାରିଖରେ ପ୍ରତିମା ଆଇସିୟୁରୁ ବାହାରି ଥିଲେ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ଥିଲା । ହେଲେ ଏହାର କିଛି ଦିନ ମଧ୍ୟରେ ହିଁ ଉମାକାନ୍ତିଙ୍କ ଶରୀର ମଧ୍ୟରେ ସେପଟିକ୍ ହେବା ଆରମ୍ଭ ହୋଇଥିଲା । ପରେ ତାଙ୍କ ଲିଭର୍ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା । ତେଣୁ ହାଇଦ୍ରାବାଦରେ ତାଙ୍କର ଚିକିତ୍ସା କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ୱାମୀ ମହାଦେବ ପ୍ରଧାନ ସୂଚନା ଦେଇଛନ୍ତି ।