ସମ୍ବଲପୁର, ୧୭/୦୨: ନାରୀ ହେଉଛି ଶକ୍ତିର ଉତ୍ସ । ନାରୀ ଶ୍ରଦ୍ଧା, ପ୍ରେମର ପ୍ରତୀକ । ବାଧାବିଘ୍ନ ଓ ପ୍ରତିକୂଳ ସ୍ଥିତିକୁ ସାମ୍ନା କରିବାର କ୍ଷମତା ରଖେ ନାରୀ । ଅସମ୍ଭବକୁ ସମ୍ଭବ କରେ । ଏଥିପାଇଁ ସେମାନେ ସମ୍ମାନର ହକ୍ଦାର । ଏହାକୁ ନେଇ ଆଗେଇ ଆସିଛି "ପ୍ରମେୟ' ଏବଂ "ନ୍ୟୁଜ୍ -୭' ପରିବାର । ଏଥିପାଇଁ ଏକ ମଞ୍ଚ ସୃଷ୍ଟି କରିବା, ସେମାନଙ୍କୁ ଉତ୍ସାହିତ କରିବା ନିଶ୍ଚିତ ଭାବେ ଗୌରବର କଥା । ଏଭଳି ଉଦ୍ୟମ ଓ ଉପକ୍ରମ ଅନୁକରଣୀୟ । "ପ୍ରମେୟ ଓଜସ୍ୱିନୀ ସମ୍ମାନ ସମାରୋହ’ରେ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆର୍ଡିସି) ସଚିନ ଆର୍. ଯାଦବ । "ପ୍ରମେୟ' ଏବଂ "ନ୍ୟୁଜ୍ -୭' ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାର ଅସହାୟଙ୍କ ଅନ୍ତିମ ସତ୍କାର ପାଇଁ ଆଗେଇ ଆସୁଥିବା ଶ୍ମଶାନସାଥୀ ସଂଘମିତ୍ରା ପଟେଲ ୨୦୨୪ର ଓଜସ୍ୱିନୀ ବିବେଚିତ ହୋଇଛନ୍ତି ।
ସ୍ଥାନୀୟ ଗଙ୍ଗାଧର ମଣ୍ଡପରେ "ପ୍ରମେୟ'ର ସମ୍ବଲପୁର ସଂସ୍କରଣ ମୁଖ୍ୟ ଶ୍ୱେତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ଆର୍ଡିସି ଶ୍ରୀ ଯାଦବ ଓ ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର ଯୋଗ ଦେଇଥିଲେ । ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ ବୋନ୍ଦର ମହିଳା ସଶକ୍ତୀକରଣରେ "ପ୍ରମେୟ' ଏବଂ "ନ୍ୟୁଜ୍ -୭' କାମକୁ ପ୍ରଶଂସା କରିଥିଲେ । ସମାଜରେ ପ୍ରତି ଲୋକଙ୍କ କାହାଣୀ ରହିଛି । ସେହି କାହାଣୀକୁ ସମସ୍ତଙ୍କ ଆଗରେ ରଖିବାର ଭଲ ଉଦ୍ୟମ କରୁଛନ୍ତି "ପ୍ରମେୟ' ଏବଂ "ନ୍ୟୁଜ୍ -୭' । ମହିଳା ସଶକ୍ତୀକରଣ ପାଇଁ ଏହା ଭଲ କାର୍ଯ୍ୟକ୍ରମ । ଆଜି ସମ୍ମାନିତ ହୋଇଥିବା ମହିଳା ଅନ୍ୟ ପାଇଁ ଆଦର୍ଶ ସାଜିଛନ୍ତି । ଆଗାମୀ ଦିନରେ ବହୁ ମହିଳା ଆଗେଇ ଆସିବେ । ‘ଓଜସ୍ୱିନୀ’ ବିଜେତା ପାଇଁ ଗଣତାନ୍ତ୍ରିକ ବ୍ୟବସ୍ଥା ଆପଣାଇଥିବାରୁ ଏହାକୁ ଢେର ପ୍ରଶଂସା କରିଥିଲେ ଜିଲ୍ଲାପାଳ ଶ୍ରୀ ବୋନ୍ଦର ।
ପ୍ରମେୟ ଓ ନ୍ୟୁଜ୍-୭ର ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ, ପ୍ରମେୟ ଓଜସ୍ୱିନୀ ସମ୍ମାନ କାର୍ଯ୍ୟକ୍ରମ କିଛିବର୍ଷ ମଧ୍ୟରେ ସାରା ପଶ୍ଚିମ ଓଡି଼ଶାରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଛି । ଣମଲ୍ଲୀ ଖୋଜିବାର ମାଧ୍ୟମ ହୋଇପାରିଛି । ଦୁଃସାହସ ସହ ଅଦ୍ୟମ ଇଚ୍ଛାଶକ୍ତି ବଳରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ମହାନ୍ ବ୍ୟକ୍ତିତ୍ୱଙ୍କୁ ଖୋଜିବାର ପ୍ରୟାସ ହେଉଛି ଓଜସ୍ୱିନୀ ସମ୍ମାନ ।
ସିଇଓ ସୁନୀଲ ଦାସ ନାରୀଙ୍କ ସଫଳତାକୁ ସାମ୍ନାକୁ ଆଣିବାକୁ ନେଇ ପ୍ରଶଂସା କରିଥିଲେ । ପ୍ରମେୟ ଗ୍ରୁପ୍ ନିର୍ଦ୍ଦେଶକ (ସେଲ୍ସ ଆଣ୍ଡ୍ ମାର୍କେଟିଂ) ହିମାଂଶୁ ହୋତା ‘ପ୍ରମେୟ’ର ଏଭଳି ପ୍ରଚେଷ୍ଟାକୁ ସାଧୁବାଦ ଜଣାଇଥିଲେ । ପ୍ରସାର ବିଭାଗ ମୁଖ୍ୟ ଗଜେନ୍ଦ୍ର ଦାସ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ସଂସ୍କରଣ ମୁଖ୍ୟ ଶ୍ରୀ ପ୍ରଧାନ ପ୍ରମେୟ ପଶ୍ଚିମ ଓଡି଼ଶା ସଂସ୍କରଣର ଲକ୍ଷ୍ୟ ସହ ଓଜସ୍ୱିନୀର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ବିଜ୍ଞାପନ ବିଭାଗ ଅଧିକାରୀ ବିଶ୍ୱରୂପ ପରିଡା ଓ ‘ଜୁହାର’ ମୁଖ୍ୟ ପ୍ରଭାରୀ ଜ୍ଞାନବ୍ରତ ଭୋଇ ଉପସ୍ଥିତ ଥିଲେ ।
ଏହି ଅବସରରେ ବରଗଡ଼ର ଶ୍ମଶାନସାଥୀ ସଂଘମିତ୍ରା ପଟେଲଙ୍କୁ ୨୦୨୪ ବର୍ଷ ପାଇଁ ଓଜସ୍ୱିନୀ ବିଜେତା ଘୋଷଣା କରାଯାଇ ଉତ୍ତରୀୟ, ଟ୍ରଫି ଓ ମାନପତ୍ର ସହ ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ସେହିପରି ବଲାଙ୍ଗିର ଜିଲ୍ଲାର ଦାଦନ ଶ୍ରମିକରୁ ମହିଳା ଚାଷୀଙ୍କ ଦିଗଦର୍ଶକ ସାଜିଥିବା ପ୍ରଡ୍ୟୁସର କମ୍ପାନିର ବୋର୍ଡ ଡାଇରେକ୍ଟର ଜାନକୀ ଭୋଇ ଦ୍ୱିତୀୟ ସ୍ଥାନ ଅଧିକାରୀ କରିଥିଲେ । ତାଙ୍କୁ ମଧ୍ୟ ଟ୍ରଫି ମାନପତ୍ର ଓ ନଗଦ ଅର୍ଥ ରାଶି ଦିଆଯାଇଥିଲା । ଏଥିସହ ଜୀବନ ବ୍ୟାପୀ ସାଧନା ପାଇଁ ସଞ୍ଚାର କଳାକାର ଦୁଃଖନାଶନ ବେହେରା ଏବଂ ଜାତୀୟ ଫୁଟ୍ବଲ୍ କ୍ରୀଡ଼ା ପ୍ରତିଭା ପ୍ରିୟା ଓରାମ୍ଙ୍କୁ ‘ପ୍ରମେୟ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଏହାସହ ଜୁରି ମେମ୍ବର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ସାଇନ୍ସ ବିଭାଗ ପ୍ରଫେସର ପୁଷ୍ପାଙ୍ଗିନୀ ପଟ୍ଟନାୟକଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଛି ।
ଅନ୍ୟପକ୍ଷରେ ସମାଜରେ ବିଭିନ୍ନ କ୍ଷେତ୍ରରେ ଜନସେବା ଓ ସାମାଜିକ କାମ କରୁଥିବା ୧୦ଟି ଅନୁଷ୍ଠାନକୁ ସମ୍ମାନିତ କରାଯାଇଛି । ଉତ୍ସବରେ ମଞ୍ଚ ଦୁଲୁକାଇବାକୁ ବହୁ ପ୍ରତିଷ୍ଠିତ କଳାକାରଙ୍କ ସମାଗମ ହୋଇଥିଲା । ସମ୍ବଲପୁରର ରଙ୍ଗ ଫରୁଆ, ନୂଆମୁଣ୍ଡା ପରମାଣପୁରର ରଙ୍ଗ ପସରା ଏବଂ ସମ୍ବଲପୁର ମଧୁପୁରର ଷ୍ଟାର୍ ଜେଏମ୍ଜି ଅଦିବାସୀ ଡ୍ୟାନ୍ସ ଗ୍ରୁପର କଳାକାର ମନଛୁଆଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସେହିଭଳି ଚୁଲବୁଲି ନାୟିକା ସୂର୍ଯ୍ୟମୟୀଙ୍କ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।
କାର୍ଯ୍ୟକ୍ରମର ପୃଷ୍ଠପୋଷକଙ୍କ ମଧ୍ୟରୁ ଆଦିତ୍ୟ ଆଲୁମିନିୟମ୍ର ପୀୟୂଷ ରାଜଗୁରୁ, ଜେଏସଡବ୍ଲ୍ୟୁ-ଭୂଷଣର ଜନସମ୍ପର୍କ ଅଧିକାରୀ ପ୍ରମୋଦ ପାତ୍ର, ଆର୍ୟନ ଇସ୍ପାତ ଓ ପାୱାର ପ୍ରାଇଭେଟ୍ ଲିମିଟେଡ୍ର ଜନସମ୍ପର୍କ ଅଧିକାରୀ ମହାବୀର ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା । ବେଦାନ୍ତ ଲିମିଟେଡ୍, ଶ୍ୟାମ ମେଟାଲିକ୍ସ ଓ ଏନାର୍ଜି ଲିମିଟେଡ୍, ହିଣ୍ଡାଲକୋ ପକ୍ଷରୁ ମଧ୍ୟ ସହଯୋଗ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଞ୍ଜନ ପ୍ରଧାନ । ରୁଦ୍ରାକ୍ଷ ପକ୍ଷରୁ ଏହାର ମଞ୍ଚ ସାଜସଜ୍ଜା ପରିଚାଳନା ଦାୟିତ୍ୱ ତୁଲାଇଥିଲେ । ପ୍ରମେୟ ସମ୍ବଳପୁର ସଂସ୍କରଣ ଅଧୀନ ଜିଲ୍ଲା, ଉପଖଣ୍ଡ, ବ୍ଲକ୍ ତଥା ସ୍ଥାନୀୟ ପ୍ରତିନିଧି, ଅଧିକାରୀ, କର୍ମଚାରୀ କାର୍ଯ୍ୟକ୍ରମ ପରିଚଳନା କରିଥିଲେ ।