ସମ୍ବଲପୁର, ୦୭/୦୨: ପ୍ରମେୟ ଏବଂ ନ୍ୟୁଜ୍-୭ ପକ୍ଷରୁ ସ୍ୱୟଂସିଦ୍ଧାଙ୍କ ସ୍ୱୀକୃତିର ପର୍ବ ‘ପ୍ରମେୟ ଓଜସ୍ୱିନୀ ସମ୍ମାନ-୨୦୨୪’ ପାଇଁ ମତଦାନ ଶୁଭାରମ୍ଭ ହୋଇଛି । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୩ ଦିପ୍ତୀମନ୍ତ ପ୍ରତିଭାଙ୍କୁ ନେଇ ଗୁରୁବାରଠାରୁ ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରୁ ଗଡ଼ିଛି ପ୍ରମେୟ ଓଜସ୍ୱିନୀ ମତଦାନ ରଥ । ଏହି ରଥ ପଶ୍ଚିମ ଓଡ଼ିଶାର ୯ ଜିଲ୍ଲାର ମୁଖ୍ୟାଳୟ, ଉପଖଣ୍ଡ, ବ୍ଲକ ସମେତ ପ୍ରମୁଖ ଅଞ୍ଚଳ ବୁଲି ଜନମତ ସଂଗ୍ରହ କରିବ । ଏହି ମତଦାନ ଆଧାରରେ ଚଳିତ ବର୍ଷର ଓଜସ୍ୱିନୀ ବିଜେତା ଘୋଷଣା କରାଯିବ । ପ୍ରଥମ ଦିନରେ ମତଦାନକୁ ନେଇ ସବୁଠି ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା ।
‘ପ୍ରମେୟ ଓଜସ୍ୱିନୀ ସମ୍ମାନ-୨୦୨୪’ ପାଇଁ ଚୟନ ହୋଇଥିବା ପ୍ରେରଣାଦାୟୀ ମହିଳା ବରଗଡ଼ ଜିଲ୍ଲାର ଶ୍ମଶାନସାଥୀ ସଂଘମିତ୍ରା ପଟେଲ, ଦାଦନ ଶ୍ରମିକରୁ ମହିଳା ଚାଷୀଙ୍କ ଦିଗଦର୍ଶକ ସାଜିଥିବା ବଲାଙ୍ଗିର ଜିଲ୍ଲାର ପ୍ରଡ୍ୟୁସର କମ୍ପାନିର ବୋର୍ଡ ଡାଇରେକ୍ଟର ଜାନକୀ ଭୋଇ ଏବଂ ପୁରୁଷ ପ୍ରଧାନ ସମାଜରେ ଟାୟର ମିସ୍ତ୍ରୀ ସାଜି ଉଦାହରଣ ସାଜିଥିବା ସମ୍ବଲପୁରର ଶାନ୍ତିଲତା ଘଡ଼େଇଙ୍କ ଫଟୋ ଓଜସ୍ୱିନୀ ମତଦାନ ରଥରେ ଲାଗିଛି । ଏହି ତିନି ମହିଳା ନିଜ ନିଜ କ୍ଷେତ୍ରରେ ସଂଘର୍ଷର ଉତ୍କର୍ଷ ପ୍ରତିପାଦନ କରି ମହିଳାଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ ଭୋଟ୍ ପାଇଥିବା ମହିଳା ବିଜୟିନୀ ଘୋଷିତ ହେବେ ।
ସକାଳୁ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚିଥିଲା ପ୍ରମେୟ ଓଜସ୍ୱିନୀ ରଥ । ‘ପ୍ରମେୟ’ ସମ୍ବଲପୁର ସଂସ୍କରଣ ମୁଖ୍ୟ ଶ୍ୱେତକୁମାର ପ୍ରଧାନଙ୍କ ନେତୃତ୍ୱରେ ମା’ ସମଲେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ସମ୍ବଲପୁର ମହାନଗର ନିଗମର କମିଶନର ବେଦଭୂଷଣ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ମତଦାନ ରଥ ଶୁଭାରମ୍ଭ କରିଥିଲେ । ସେଠାରେ ପୂଜକଙ୍କ ସମେତ ସ୍ଥାନୀୟ ଜନସାଧାରଣ ମତଦାନ କରିଥିଲେ । ପରେ ଏହା ସାରା ସମ୍ବଲପୁର ସମେତ ବୁର୍ଲା ସହରାଞ୍ଚଳ ବୁଲି ମତଦାନ ସଂଗ୍ରହ କରିଥିଲା ।