ସମ୍ବଲପୁର,୦୬/୦୨: ଧରାପଡିଲା ବୁଢ଼ାରଜା ମଣପ୍ପୁରମ ସୁନା ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ଉତ୍ତମ ପାଶୱାନ । ଆସମ୍ ଗୌହାଟୀରୁ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ସମ୍ବଲପୁର ପୁଲିସ୍ । ଉତ୍ତମକୁ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରାଯିବ । ୭ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରାଯାଇଛି । ଏ ନେଇ ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ସୂଚନା ଦେଇଛନ୍ତି ।
ମଣପ୍ପୁରମ ସୁନା ଲୁଟ୍ ଘଟଣାରେ ପୂର୍ବରୁ ୨ ଜଣଙ୍କୁ ଗିରଫ କରିଥିବା ସମ୍ବଲପୁର ପୁଲିସ୍ । ଏବେ ଆଉ ଜଣଙ୍କୁ ଧରିଛି । ଲୁଟ୍ କରିବାକୁ ସମ୍ବଲପୁର ଆସିଥିବା ଟିମ୍କୁ ଏହି ବ୍ୟକ୍ତି ଲିଡ୍ କରିଥିଲା । ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ କହୁଥିଲେ ମଧ୍ୟ ଘଟଣା ଦିନ ତା’ର ଉପସ୍ଥିତି ଓ କାରବାରକୁ ନେଇ ମୁହଁ ଖୋଲି ନାହାନ୍ତି ଅଧିକାରୀ । ଏହାକୁ ନେଇ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ।
ଗତ ମାସେ ହେଲା ସମ୍ବଲପୁର ପୁଲିସ୍ ଏହି ଘଟଣାକୁ ନେଇ ନାକେଦମ ହୋଇଛି । ବାରମ୍ବାର ବିଭିନ୍ନ ଟିମ୍ ବିହାର, ପଶ୍ଚିମବଙ୍ଗ ଏବଂ ଆସମ ଗସ୍ତ କରି ଲୁଟେରାଙ୍କୁ ଅଣ୍ଡାଳିଛି । ପୂର୍ବରୁ ଏହି ଘଟଣାରେ ୨ ଅଭିଯୁକ୍ତ ଗିରଫ ହୋଇଥିଲେ । ସେମାନେ ହେଲେ ବିହାର ହାଜିପୁରର ଅଜୟ ପାଶୱାନ ଓ ପଙ୍କଜ ପାଶୱାନ(୨୬) । ପଙ୍କଜକୁ ପଶ୍ଚିମବଙ୍ଗ ହୁଗୁଳିରୁ ଗିରଫ କରାଯାଇଥିଲା । ଅଜୟକୁ ସମ୍ବଲପୁର ଠେଲକୋଲିରୁ ଉଠାଇଥିଲା ପୁଲିସ୍ । ଏମାନଙ୍କଠାରୁ ମଧ୍ୟ କୌଣସି ସୁନା ଜବତ ହୋଇନଥିଲା । ଗିରଫ ପରେ ଅଧିକ ତଦନ୍ତ ପାଇଁ ପୁଲିସ୍ ଉଭୟଙ୍କୁ ରିମାଣ୍ଡରେ ନେଇଥିଲା । ପରେ ଆଉ ୨ଟି ଟିମ୍ ଗଠନ କରାଯାଇ ପୁଣି ଥରେ ବାହାର ରାଜ୍ୟରେ ଡେରା ପକାଇଥିଲା ପୁଲିସ୍ । ୫ ଜଣ ଅଭିଯୁକ୍ତ ବାହାରେ ଥିବା ସେତେବେଳେ ଆଇଜି କହିଥିଲେ । ହେଲେ ଏବେ ଏହି ମାମଲାରେ ଆଉ ଜଣେ ଗିରଫ ହେବା ପରେ ଆହୁରି ୪ ଜଣ ରହିଲେ । ଏହାସହ ଟଙ୍କାଟିଏର ସୁନା ମିଳିନି । ଏପଟେ, ବିହାର ଜେଲରେ ଥିବା ସୁବୋଧ ସିଂହ ଓ ପନ୍ନୁ ସିଂହଙ୍କୁ ଜେଲରୁ ରିମାଣ୍ଡ ଆଣି ଅଧିକ ତଦନ୍ତ କରିବାକୁ ଯୋଜନା କରିଥିଲା । ତାହା ମଧ୍ୟ ହୋଇପାରିଲା ନାହିଁ । ଘଟଣାର ମାଷ୍ଟରମାଇଣ୍ଡ ସୁବୋଧ ସିଂହ ଏବେ କୋଲକାତା ପ୍ରେସିଡେନ୍ସି ଜେଲ୍ ଓ ପନ୍ନୁ ସିଂହ ବିହାର ବେହୁର ଜେଲରେ ରହି ନିଜ କଳା ସାମ୍ରାଜ୍ୟ ଚଳାଇଛନ୍ତି ।
ଅନ୍ୟପଟେ, ସୁନା ଦେଇ ଋଣ ନେଇଥିବା ବ୍ୟକ୍ତି ଚିନ୍ତାରେ ଅଛନ୍ତି । କମ୍ପାନୀ ପକ୍ଷରୁ ଆବଶ୍ୟକ ପରିମାଣର ସୁନା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ନିଜ ସୁନା ଫେରିପାଇବାର ଆଶା ରଖିଛନ୍ତି । କିନ୍ତୁ ପୁଲିସ୍ ୩ ଅଭିଯୁକ୍ତ ଧରିବା ସତ୍ତେ୍ୱ ସୁନା ହାତରେ ନ ଲାଗିବା ବିଭାଗ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନ ଉଠିଛି ।