ନୂଆଦୀଲ୍ଲି: ତେଲେଙ୍ଗାନା ରାଜ୍ୟ ଆଣ୍ଟି-ନାର୍କୋଟିକ ବ୍ୟୁରୋ(ଟିଜିଏନଏବି) ଓ ସାଇବରାବାଦ ପୋଲିସକୁ ମିଳିଳା ବଡ ସଫଳତା। ବେଙ୍ଗାଲୁରୁର ଜଣେ ମହିଳା ଡ୍ରଗ ତସ୍କରଙ୍କୁ ହାଇଦ୍ରାବାଦରେ ଗିରଫ କରି ହାଜତକୁ ପଠାଇଛି ଟିଜିଏନଏବି। ଗିରଫ ହୋଇଥିବା ଆରୋପି ଜଣକଙ୍କ ନାମ ଶତାବ୍ଦି ମନା ହୋଇଥିବା ବେଳେ ତାଙ୍କୁ ୨୪ ବର୍ଷ ବୟସ ବୋଲି ଜଣାପଡିଛି। ଗିରଫ ସମୟରେ ତାଙ୍କ ନିକଟରୁ ୬ ଲକ୍ଷ ଟଙ୍କା ମୁଲ୍ୟର ଡ୍ରଗ୍ସ ମଧ୍ୟ ଜବତ କରାଯାଇଛି।
ଶତାବ୍ଦି ଦୀର୍ଘ ଦିନ ହେବ ବେଙ୍ଗାଲୁରୁରୁ ଦେଶର ଅନେକ ସ୍ଥାନକୁ ଡ୍ରଗ୍ସ ସପ୍ଲାଏ କରୁଥିଲେ। ତେବେ ସେ ମିୟାପୁରକୁ ଡ୍ରଗ୍ସ ଡେଲିଭରି କରିବାକୁ ଆସିଥିବା ସମୟରେ ପୋଲିସ ତାଙ୍କୁ ମାଡିବସିଥିଲା। ପୋଲିସ ତାଙ୍କ ନିକଟରୁ ତାଙ୍କ ମୋବାଇଲ ମଧ୍ୟ ଜବତ କରିଥିଲା। ତେବେ ପଚରା ଉଚରା ବେଳେ ମହିଳା ଜଣକ ୱାରେନ କୋକାରଙ୍ଗୋ ମାନକ ଜଣେ ଆଫ୍ରିକିୟ ନାଗରିକଙକ ନିକଟରୁ ଡ୍ରଗ୍ସ ଆଣୁଥିବା ନେଇ ସୂଚନା ଦେଇଥିଲେ। ବର୍ତ୍ତମାନ ୱାରେନ ନିଖୋଜ ଥିବା ବେଳେ ପୋଲିସ ତାଙ୍କୁ ଖୋଜିବା ଜାରି ରଖିଛି।
ତଦନ୍ତରୁ ଜଣାପଡିଛି ଯେ ବେଙ୍ଗାଲୁରୁର ସ୍ନାତକ କରିଥିବା ଶତାବ୍ଦି ତାଙ୍କ ପାଠପଢ଼ା ସମୟରେ କୋକାରଙ୍ଗୋଙ୍କ ସଂସ୍ପର୍ଶରେ ଆସିଥିଲେ। ନିଜର ଆର୍ଥିକ ଅସୁବିଧା କାରଣରୁ ସେ ନିଶା କାରବାରରେ ସାମିଲ ହୋଇଥିଲେ ବୋଲି ପୋଲିସକୁ ସୂଚନା ପ୍ରଦାନ କରିଚନ୍ତି। ମାଧପୁର ଡିସିପି ବିନୀତ ଏବଂ ଟିଜିଏନଏବି ପୋଲିସ ଅଧୀକ୍ଷକ ପି ସାଇ ଚୈତନ୍ୟଙ୍କ ତତ୍ତ୍ୱାବଧାନରେ ଏହି ଅଭିଯାନ କରାଯାଇଥିଲା।
ଆମେ ସମସ୍ତ ଡ୍ରଗ୍ସ ବ୍ୟବସାୟିଙ୍କୁ ସଫା କରିଦେବୁ, ତେଣିକି ସେ କେଉଁ ଅଞ୍ଚଳର ବି ହୋଇଥାନ୍ତୁ ନା କାହିଁକି ବୋଲି ଚୈତନ୍ୟ କହିଛନ୍ତି।
ତେବେ ଶତାବ୍ଦି ପ୍ରଥମେ କୋକାରଙ୍ଗୋଙ୍କ ନିକଟରୁ ଅଧିକ ପରିମାଣରେ ଡ୍ରଗ୍ସ କିଣୁଥିଲେ। ପରେ ତାକୁ ଅଳ୍ପଅଳ୍ପ ପରିମାଣରେ ବିଭିନ୍ନ ପାର୍ଟିକୁ ବିକ୍ରି କରୁଥିଲେ ବୋଲି ଜଣାପଡିଛି।