ଭୁବନେଶ୍ବର,୨୨/୦୨: ଆଉ ନାହାନ୍ତି ଖ୍ୟାତିସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତ । ୯୫ବର୍ଷ ବୟସରେ ନୃତ୍ୟଗୁରୁ ମାୟାଧର ରାଉତଙ୍କ ଦେହାନ୍ତ ହୋଇଛି । ଓଡିଶୀ ନୃତ୍ୟ ପ୍ରତି ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ ସେ । ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଦିଗରେ ମାୟାଧର ପ୍ରୟାସ କରିଥିଲେ । ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସୋସିଆଲ ମିଡିଆ ଏକ୍ସରେ ଶୋକବ୍ୟକ୍ତ କରି ସେ ଲେଖିଛନ୍ତି, ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଓଡ଼ିଶୀକୁ ଶାସ୍ତ୍ର ଭିତ୍ତିକ ଜ୍ଞାନରେ ପୁନର୍ଜୀବିତ କରିବାରେ ସେ ଅଗ୍ରଣୀ ଦାୟିତ୍ୱ ତୁଲାଇଥିଲେ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶୀ ନୃତ୍ୟର ଗରିମା ତଥା ଓଡ଼ିଶାର ଅଭିନୟ ଶବ୍ଦକୋଷକୁ ସମୃଦ୍ଧ କରିବାରେ ତାଙ୍କର ଜୀବନବ୍ୟାପୀ ଅବଦାନ ଚିର ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।