ଭୁବନେଶ୍ୱର,୨୧/୦୧: ନାଁରେ ବର୍ଷ ବର୍ଷ ହେଲାଣି ହୋଲ୍ଡିଂ ଟ୍ୟାକ୍ସ ଗଡୁଛି । ଟଙ୍କାଏ କି ଦୁଇ ଟଙ୍କା ନୁହେଁ । ସଂଖ୍ୟା କୋଟିରେ । ଦେବାର ନା ଗନ୍ଧ ନାହିଁ । ଏଥିରେ ପୁଣି ସରକାରୀ ଅନୁଷ୍ଠାନ ଆଗରେ । ଏମିତି ବଡ଼ ହୋଲ୍ଡିଂ ଟିକସ ଖିଲାପକାରୀଙ୍କୁ ଚିହ୍ନଟ କରାଯିବ । ସେମାନଙ୍କ ଅନୁଷ୍ଠାନକୁ ସିଲ କରାଯିବ । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗୁରୁବାର ପଟିଆ ଅଞ୍ଚଳରେ ଥିବା ଦୁଇଟି ବ୍ୟାଙ୍କକୁ ବିଏମ୍ସି ସିଲ କରିଛି ।
ପଟିଆ ସମ୍ପର୍କ ବିହାର ଅଞ୍ଚଳରେ ଥିବା ଦୁଇଟି ବ୍ୟାଙ୍କ ବିଲ୍ଡିଂ ହୋଲ୍ଡିଂ ଟିକସ ଦେଇନଥିଲେ । ଏନେଇ ନୋଟିସ ସତ୍ତେ୍ୱ ଘର ମାଲିକ ବିଏମ୍ସିକୁ ଖାତିର କରିନଥିଲେ । ବିଏମ୍ସି ପକ୍ଷରୁ ଉକ୍ତ ଘରକୁ ସିଲ କରିଦିଆଯାଇଛି । ସେହିପରି ଏକ ମାର୍ବଲ ଦୋକାନକୁ ମଧ୍ୟ ସିଲ୍ କରାଯାଇଛି ।
ବିଏମ୍ସିରୁ ମିଳିଥିବା ତଥ୍ୟ ମୁତାବକ ହୋଲ୍ଡିଂ ଟିକସ ବାବଦକୁ ଇଡ୍କୋ ପ୍ରାୟ ୫୯ କୋଟି ଟଙ୍କା ବାକି ରଖିଛି । ବିଏମ୍ସି ଅଞ୍ଚଳରେ ଇଡ୍କୋ ଅଧିନରେ ବହୁ କୋଠା ରହିଛି । ଏହି ସବୁ କୋଠାର ହୋଲ୍ଡିଂ ଟିକସ ବାକି ପଡ଼ିଛି । ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଧିନରେ ଥିବା ଓକାକ୍ ଏବଂ ଅନ୍ୟ ଅନୁଷ୍ଠାନ ମଧ୍ୟ ଟଙ୍କା ବାକି ରଖିଛି । ସେହିପରି ପୂର୍ତ୍ତ, ପୁଲିସ କାର୍ଯ୍ୟାଳୟ ମଧ୍ୟ ଟିକସ ଟଙ୍କା ବାକି ରଖିଛନ୍ତି । ସରକାରୀ ଅନୁଷ୍ଠାନ ଭାଇ ଭାଇ ହୋଇଥିବା ବେଳେ ସେଠାରୁ ଟଙ୍କା ଆଦାୟ ହେଉନି । କିଛି ବଡ଼ ବଡ଼ ଘରୋଇ ସ୍କୁଲ, ଅନୁଷ୍ଠାନ ମଧ୍ୟ ଟିକସ ଟଙ୍କା ବାକି ରଖିଛନ୍ତି ।
ବିଏମ୍ସି ପକ୍ଷରୁ ଏଥର ୩୦୦ କୋଟି ଟଙ୍କାର ହୋଲ୍ଡିଂ ଟିକସ ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ୧୨୦ କୋଟି ଟଙ୍କାର ରାଜସ୍ୱ ଆଦାୟ ସରିଛି । ବାକି ଟଙ୍କା ଆଦାୟ କରିବାକୁ ବିଏମ୍ସି ଅଣ୍ଟା ଭିଡ଼ିଛି । ଉତ୍ତର ଜୋନ୍କୁ ୪୫ କୋଟି ଟଙ୍କାର ଟାର୍ଗେଟ ଦିଆଯାଇଥିଲା । ଏଥିରୁ ସେ ୧୮ କୋଟି ଟଙ୍କା ଆଦାୟ କରିଛି । ସେହିପରି ଦକ୍ଷିଣ-ପୂର୍ବକୁ ୩୭ କୋଟି ଟଙ୍କାର ଟାର୍ଗେଟ ଦିଆଯାଇଥିବା ବେଳେ ୧୬ କୋଟି ଟଙ୍କା ଆଦାୟ ହୋଇଛି । ଦକ୍ଷିଣ-ପଶ୍ଚିମ ଜୋନ୍ ମାତ୍ର ୧୨ କୋଟି ଟଙ୍କା ଆଦାୟ କରିଛି ।
ବିଏମ୍ସି ପକ୍ଷରୁ ମାର୍ଚ୍ଚ ମାସ ପୂର୍ବରୁ ରାଜସ୍ୱ ଆଦାୟ ଜୋରଦାର କରାଯାଇଛି । ଏନେଇ ଘନ ଘନ ବୈଠକ ସହ ସବୁ ୱାର୍ଡରୁ କିପରି ରାଜସ୍ୱ ଆଦାୟ ହେବ ସେ ନେଇ ଚାଲିଛି ମାନସମନ୍ଥନ । ତେବେ ରାଜସ୍ୱ ଆଦାୟରେ ଏ ବର୍ଷ ବିଏମ୍ସି ଉଲ୍ଲେଖନୀୟ ସଫଳତା ହାସଲ କରିଛି । ପୂର୍ବବର୍ଷ ଜାନୁଆରୀ ମାସ ସୁଦ୍ଧା ବିଏମ୍ସି ୮୧ କୋଟି ଟଙ୍କା ରାଜସ୍ୱ ଆଦାୟ କରିଥିବାବେଳେ ଏଥର ଏହା ୧୨୦ ଛୁଇଁଲାଣି । ତେବେ ଆଉ ମାସେ ଭିତରେ ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନରୁ ଆହୁରି ୫୮ କୋଟି ଟଙ୍କାର ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି । ବକେୟ ଟିକସ କିପରି ଆଦାୟ ହେବ ସେ ନେଇ ମୋଟ୍ ୩୯ଟି ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଘର ଘର ବୁଲି ଟିକସ ଆଦାୟ କରିବ ।