ଲହୁଣୀପଡ଼ା,୨୨/୦୨: ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ୧୦ କ ମୁଚୁରନାଲି ଗ୍ରାମ ନିକଟରେ ଦୁର୍ଘଟଣା । ଶୁକ୍ରବାର ବିଳମ୍ବିତ ରାତ୍ରିରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା ବସ୍ । ୩୩ କେଭି ବିଦ୍ୟୁତ ଖୁଣ୍ଟରେ ବାଡେଇ ହୋଇ ଓଏସଆରଟିସି ଭଲଭୋ ଯାତ୍ରୀ ବାହୀ ବସ୍ ଓଲଟି ପଡିବାରୁ ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ବିଳମ୍ୱିତ ରାତିରେ ଓଏସଆରଟିସିର ଓଡି ୦-୨-ସି-ୟୁ-୬୪୭୮ ନମ୍ବର ବିଶିଷ୍ଟ ଭଲଭୋ ବସ୍ଟି ସୁନ୍ଦରଗଡରୁ ପୁରୀ ଓ ଭୁବନେଶ୍ବର ଅଭିମୁଖେ ଯାଉଥିଲା । ଏହି ସମୟରେ ରାଜ୍ୟ ରାଜପଥ ୧୦(କ ) ମୁଚୁରନାଲି ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା । ତଳେ ଥିବା ୩୩ କେଭି ବିଦ୍ୟୁତ ଖୁଣ୍ଟରେ ବାଡ଼େଇ ହୋଇ ବସ୍ଟି ଓଲଟି ପଡିଥିଲା। ଫଳରେ ବସ୍ରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରେ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିବା ଜଣାପଡିଛି । ୩୩ କେଭି ଖୁଣ୍ଟ ସହ ଧକା ଯୋଗୁଁ ବିଦ୍ୟୁତ ସରବରାହ ତାର ମଧ୍ୟ ଛିଣ୍ଡି ପଡିଥିଲା । ମାତ୍ର ସୌଭାଗ୍ୟବଶତଃ ଦୁର୍ଘଟଣା ସମୟରେ ବିଦ୍ୟୁତ ସରବାରହ କୌଣସି କାରଣରୁ ବନ୍ଦ ଥିଲା ଏବଂ ଦୁର୍ଘଟଣା ପରେ ବିଭାଗକୁ ଖବର ଦିଆଯାଇ ଥିଲା । ଫଳରେ ଏକ ବଡ ବିପଦକୁ ଟାଳି ଦିଆଯାଇଥିଲା । ଖବର ପାଇ ମହୁଲପଦା ପୋଲିସ ସହ ଲହୁଣୀପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସରେ ବସିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇବା ସହ ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି।