ରାଉରକେଲା,୧୦/୦୨: ‘ରାଉରକେଲା ୱାନ୍’ । ଗୋଟିଏ ଛାତ ତଳୁ ସମ୍ପୂର୍ଣ୍ଣ ସହରକୁ ନିୟନ୍ତ୍ରଣ କରିବାର ପରିକଳ୍ପନା । ୨୦୧୯ର ଯୋଜନା । ୨୦୨୨ ସୁଦ୍ଧା ସରିବା କଥା । ହେଲେ, ଚାଲିଛି ଯେ ଚାଲିଛି । ୫ବର୍ଷ ହେଲା ସରୁନାହିଁ କାମ । ପ୍ରକଳ୍ପ ସ୍ଥିତିରୁ ୨୦୨୫ରେ ମଧ୍ୟ କାମ ସରିବ ନାହିଁ ବୋଲି ଜଳଜଳ ହୋଇ ଦିଶୁଛି ।
ଗୋଟିଏ କୋଠାରୁ ସମଗ୍ର ଇସ୍ପାତ ନଗରୀକୁ ନିୟନ୍ତ୍ରଣ କରିବା ପାଇଁ ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ହୋଇଥିବା ଅଭିନବ ଯୋଜନା ହେଉଛି ‘ରାଉରକେଲା ୱାନ୍’ । ଏଥିଲାଗି ୨୦୧୯ରେ ଯୋଜନା ପ୍ରସ୍ତୁତି ହୋଇଥିଲା । ଇତିମଧ୍ୟରେ ତିନିଜଣ କମିଶନର୍ ଆସିଲେଣି । ଦାୟିତ୍ୱରେ ଥିବା ବେଳେ ସେମାନେ କାର୍ଯ୍ୟାନ୍ୱୟନ ଦାୟିତ୍ୱରେ ଥିବା ସଂସ୍ଥାକୁ ତାଗିଦ୍ କରୁଛନ୍ତି । ହେଲେ, ଫଳ ଶୂନ । ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ନେବା ବଦଳରେ ଆଣ୍ଠେଇ ପଡ଼ିଛି ।
‘ରାଉରକେଲା ୱାନ୍’ ପାଇଁ ୨୦୧୯ ନଭେମ୍ବରରେ ପ୍ରକଳ୍ପର ଟେଣ୍ଡର ଆହ୍ୱାନ କରାଯାଇଥିଲା । ୧୨୬.୭୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ସାରିବାର ଧାର୍ଯ୍ୟ ସମୟସୀମା ରଖା ଯାଇଥିଲା ୨୦୨୨ ଡିସେମ୍ବର । ରାଉରକେଲା ୱାନ୍ କୋଠାରେ ଆଦିବାସୀ ସଂଗ୍ରହାଳୟ (ଟ୍ରାଇବାଲ ମ୍ୟୁଜିୟମ୍), ୧୫୦୦ କ୍ଷମତା ବିଶିଷ୍ଟ ସହରର ସର୍ବବୃହତ୍ ଅତ୍ୟାଧୁନିକ ପ୍ରେକ୍ଷାଳୟ (ସିଟି ସିଭିକ୍ ସେଣ୍ଟର) ଓ ସିଟି କମାଣ୍ଡ ସେଣ୍ଟର ରହିବ । ଏହା ବ୍ୟତୀତ ରାଜସ୍ୱ ପାଇଁ ବ୍ୟବସାୟିକ ପ୍ରତିଷ୍ଠାନ ନିମନ୍ତେ ମଧ୍ୟ ଜାଗା ଉଦ୍ଦିଷ୍ଟ ରହିଛି । ସିଟି କମାଣ୍ଡ ସେଣ୍ଟରରେ କ୍ୟାମେରା, ଅଟୋ ଟ୍ରାଫିକ୍ ସିଗ୍ନାଲିଂର କଣ୍ଟ୍ରୋଲ ସେଣ୍ଟର ରହିବ । ଏହାସହ ଜରୁରିକାଳୀନ ସେବା ପାଇଁ ମଧ୍ୟ ଏହି ସେଣ୍ଟରରେ ଅଧିକାରୀ ଅହୋରାତ୍ର ଉପସ୍ଥିତ ରହିବେ ।
ଇତି ମଧ୍ୟରେ ସହରର ୧୧୦ଟି ଜାଗାରେ ମୋଟ ୬୦୦ ସିସି କ୍ୟାମେରା (କ୍ଲୋଜ ସର୍କିଟ୍ କ୍ୟାମେରା) ଲାଗି ସାରିଥିବା ବେଳେ ଆହୁରି ୭୫ଟି ସିସି କ୍ୟାମେରା ଲଗାଯିବାର ଯୋଜନା ରହିଛି । ସହରର ଚତୁଃପାଶ୍ୱର୍ରେ ଅର୍ଥାତ ସହରର ମୁଖ୍ୟ ଛକରୁ ଝିରପାଣି, ଆଇଡିସି, କୁକୁଡାଗେଟ୍ ଏବଂ ଫର୍ଟିଲାଇଜର ପର୍ଯ୍ୟନ୍ତ ସିସି କ୍ୟାମେରା ଲାଗିଛି । ସେହିପରି ୧୩ଟି ଛକରେ ଅଟୋ ଟ୍ରାଫିକ୍ ସିଗ୍ନାଲିଂ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସବୁଗୁଡ଼ିକ କାମ କରୁନାହିଁ । ସେହିପରି ସିଟି କମାଣ୍ଡ ସେଣ୍ଟରର କାମ ଅସମ୍ପୂର୍ଣ୍ଣ ଥିବାରୁ ଲକ୍ଷ୍ୟ ପୂରଣ ହୋଇ ପାରୁ ନାହିଁ ।
୨୦୨୨ରୁ ପର୍ଯ୍ୟାୟକ୍ରମେ ପ୍ରକଳ୍ପ ଦାୟିତ୍ୱ ନେଇଥିବା ଆରଏମ୍ସି କମିଶନର ତଥା ରାଉରକେଲା ସ୍ମାର୍ଟ ସିଟି ସିଇଓ ଦିବ୍ୟଜ୍ୟୋତି ପରିଡ଼ା, ଡା. ଶୁଭଙ୍କର ମହାପାତ୍ର ଏବଂ ବର୍ତ୍ତମାନର ସିଇଓ ଆଶୁତୋଷ କୁଲକର୍ଣ୍ଣି ଏଜେନ୍ସିର ଅଧିକାରୀଙ୍କୁ ବାରମ୍ବାର ତାଗିଦ୍ କରି ସାରିଛନ୍ତି । ହେଲେ ସୁଫଳ ମିଳୁନି । ସମ୍ପୃକ୍ତ ଏଜେନ୍ସି ଏ କାନରେ ପୂରାଇ ଆର କାନରେ କାଢ଼ି ଦେଉଛି । ଏ ନେଇ ସିଇଓ ଶ୍ରୀ କୁଲକର୍ଣ୍ଣିଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ସ୍ମାର୍ଟ ସିଟିର ଯନ୍ତ୍ରୀ ସାର୍ଥକ ରଥ କହିଛନ୍ତି ଯେ, ଠିକା ନେଇଥିବା ସଂସ୍ଥା ଯୋଗୁଁ କାର୍ଯ୍ୟରେ ବିଳମ୍ବ ଘଟିଚାଲିଛି । ଆସନ୍ତା ମାର୍ଚ୍ଚ ସୁଦ୍ଧା ସିଟି କମାଣ୍ଡ ସେଣ୍ଟର ଓ ଟ୍ରାଇବାଲ ମ୍ୟୁଜିୟମ୍ର କାର୍ଯ୍ୟ ସମ୍ପନ୍ନ ହେବା ଆଶା କରାଯାଉଛି । ପ୍ରେକ୍ଷାଳୟ କାମ ସରିବାକୁ ସମୟ ଲାଗିବ