ରାଉରକେଲା,୦୧/୦୨ (କୁମାର ବିମଳ): ବିଶ୍ୱର ବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅବିଶ୍ୱସନୀୟ ପ୍ରଦର୍ଶନ ସହ ଶୁକ୍ରବାର ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ଏଚ୍ଆଇଏଲର ଫାଇନାଲରେ ପ୍ରବେଶ କରିଛନ୍ତି । ଶୁକ୍ରବାର ସନ୍ଧ୍ୟା ହେଉ ହେଉ ୧୩ ହଜାରରୁ ଊଦ୍ଧ୍ୱର୍ ଦର୍ଶକଙ୍କ ଉପସ୍ଥିତି ଷ୍ଟାଡିୟମର ପରିବେଶକୁ ବେଶ ସରଗରମ କରିଥିଲା । ପ୍ରଥମ ସେମିରେ ବେଙ୍ଗଲ ଟାଇଗର୍ସ ୨-୨ (୬-୫)ରେ ତାମିଲନାଡୁ ଡ୍ରାଗନ୍ସକୁ ଏବଂ ଦ୍ୱିତୀୟ ସେମିରେ ହାଇଦ୍ରାବାଦ ତୁଫାନ୍ସ ୩-୧ରେ ସୁରମା ହକି କ୍ଲବକୁ ପରାଜିତ କରିଥିଲା । ଆଜି ରାତି ୮ଟା ୧୫ ମିନିଟରୁ ଫାଇନାଲ ଲଢ଼େଇ ଆରମ୍ଭ ହେବ । ଏହାପୂର୍ବରୁ କିଛି ସମୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ବଲିଉଡ୍ ଅଭିନେତ୍ରୀ ସାରା ଅଲି ଖାନ କାର୍ଯ୍ୟକ୍ରମରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫାଇନାଲରେ ମୁଖ୍ୟ ଅତିଥି ରହିଛନ୍ତି । ସେ ଅପରାହ୍ଣରେ ରାଉରକେଲାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।
ରାଉରକେଲାରେ HIL ଫାଇନାଲ ଦେଖିବେ ମୁଖ୍ୟମନ୍ତ୍ରୀ, ଉଦ୍ଯାପନୀ ଉତ୍ସବରେ ସାରା ଅଲି ମୁଖ୍ୟ ଆକର୍ଷଣ
ବିର୍ସା ମୁଣ୍ଡା ଷ୍ଟାଡିୟମରେ ତୁଫାନ
ହାଇଦ୍ରାବାଦ ତୁଫାନ୍ସ ଶୁକ୍ରବାର ଚମତ୍କାର ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟ ଜିତିଥିଲା । ଆକର୍ଷଣୀୟ ପ୍ରଦର୍ଶନ କରି ଦଳ ଗୋଲ ପରେ ଗୋଲ ଦେଇଥିଲା । ପ୍ରଥମ କ୍ୱାର୍ଟର ସଂଘର୍ଷପୂର୍ଣ୍ଣ ହେବାରୁ ଗୋଲଶୂନ୍ୟ ରହିଥିଲା । ଦ୍ୱିତୀୟ କ୍ୱାର୍ଟରରେ ଓଡ଼ିଆ ଖେଳାଳି ଅମନଦୀପ ଲାକ୍ରା ତୁଫାନ୍ସର ଖାତା ଖୋଲିଥିଲେ । ୨୫ ମିନିଟରେ ଦଳକୁ ମିଳିଥିଲା ଏକ ପେନାଲ୍ଟି କର୍ଣ୍ଣର । ଏହାକୁ ଗୋଲ ରୂପ ଦେବାରେ ଲାକ୍ରା ଆଦୌ ହେଳା କରିନଥିଲେ । ତୃତୀୟ କ୍ୱାର୍ଟରରେ ପୁଣି ତୁଫାନ୍ସକୁ ଆଉ ୨ଟି ଗୋଲ୍ (୩୫ ମିନିଟରେ ଜାକବ ଆଣ୍ଡରସନ୍ ଓ ୪୩ ମିନିଟରେ ନୀଳକାନ୍ତ ଶର୍ମା) ମିଳିଥିଲା ।
ଶେଷ ପର୍ଯ୍ୟନ୍ତ ବହୁ ପ୍ରୟାସ କରି ସୁରମା ଗୋଲ ଖାତା ଖୋଲିବାରେ ସଫଳ ହୋଇଥିଲା । ଶେଷ ମୁହୂର୍ତ୍ତରେ (୬୦ ମିନିଟ) ଦଳକୁ ମିଳିଥିଲା ପେନାଲ୍ଟି କର୍ଣ୍ଣର । ଜେରେମି ହେୱାର୍ଡ ଏହି ଗୋଲ ଦେଇଥିଲେ । ଶେଷରେ ୩-୧ ଗୋଲରେ ଅଗ୍ରଣୀ ସହ ତୁଫାନ୍ସ ବିଜୟୀ ହୋଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା ।
ଟାଇଗର୍ସକୁ ଜିତାଇଲେ ଅଭିଷେକ
ରୁପିନ୍ଦର ପାଲ ସିଂଙ୍କ ନେତୃତ୍ୱାଧୀନ ବେଙ୍ଗଲ ଟାଇଗର୍ସ ଏବଂ ଅମିତ ରୋହିଦାସଙ୍କ ନେତୃତ୍ୱାଧୀନ ତାମିଲନାଡୁ ଡ୍ରାଗନ୍ସ ମଧ୍ୟରେ ପ୍ରଥମ ସେମି ଫାଇନାଲ ମ୍ୟାଚ୍ ବେଶ ଚିତାକର୍ଷକ ହୋଇଥିଲା । ନିର୍ଦ୍ଧାରିତ ସମୟ ଖେଳ ୨-୨ ଗୋଲରେ ଅମୀମାଂସିତ ରହିଥିଲା । ଡ୍ରାଗନ୍ସ ପକ୍ଷରୁ ୧୮ (ନାଥାନ ଏଫରାଉମସ) ଓ ୩୨ ମିନିଟରେ (ସେଲଭମ କାର୍ଥି) ଏବଂ ଟାଇଗର୍ସ ପକ୍ଷରୁ ୩୦ (ପ୍ରଦୀପ ସିଂ ସାନ୍ଧୁ) ଓ ୫୩ ମିନିଟରେ (ସାମ ଲେନ) ଗୋଲ ସ୍କୋର ହୋଇଥିଲା । ଖେଳ ସୁଟ ଆଉଟକୁ ଯାଇଥିଲା । ସୁଟ ଆଉଟ ମଧ୍ୟ ଅମୀମାଂସିତ (୨-୨) ରହିବା ପରେ ସଡନଡେଥରେ ଫଳାଫଳ ନିର୍ଣ୍ଣୟ ହୋଇଥିଲା । ଡ୍ରାଗନ୍ସର ଉତ୍ତମ ସିଂ ଚତୁର୍ଥ ପ୍ରୟାସ ମିସ୍ କରିବା ପରେ ଅଭିଷେକ ଗୋଲ ଦେଇ ଟାଇଗର୍ସକୁ ୨-୨ (୬-୫)ରେ ଜିତାଇଥିଲେ । ସଡନଡେଥରେ ପରାଜିତ ହୋଇ ଡ୍ରାଗନ୍ସର ଟାଇଟଲ ସ୍ୱପ୍ନ ଧୂଳିସାତ ହୋଇଥିଲା । ଶନିବାର ଦଳ ତୃତୀୟ ସ୍ଥାନ ପାଇଁ ସୁରମା ହକି କ୍ଲବକୁ ଭେଟିବ । ଏହି ମ୍ୟାଚ୍ ସନ୍ଧ୍ୟା ୫ଟା ୪୫ ମିନିଟରୁ ଆରମ୍ଭ ହେବ ।
ଅସନ୍ତୋଷ ପ୍ରକାଶ କଲେ ଅମିତ
ସୁଟ ଆଉଟରେ ଟିଭି ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ଡ୍ରାଗନ୍ସର ଅଧିନାୟକ ଅମିତ ରୋହିଦାସ । ସେ କହିଛନ୍ତି, ‘ଟିଭି ଅମ୍ପାୟାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ଆମକୁ ପରାଜିତ ହେବାକୁ ପଡ଼ିଲା । ନଚେତ ଫଳାଫଳ ଆମ ସପକ୍ଷରେ ଯାଇଥାନ୍ତା।’
ଭାରତ... ଭାରତ ଧ୍ୱନିରେ ଷ୍ଟାଡିୟମ କମ୍ପିଲା
ପ୍ରଥମ ସେମି ଫାଇନାଲ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି ସମୟରେ ପଡ଼ିଆ ଚାରି ପାଶ୍ୱର୍ରେ ଲାଗିଥିବା ଡିଜିଟାଲ ଡିସପ୍ଲେରେ ଭାରତ ଓ ଇଣ୍ଡିଆ ଲେଖାଯାଇଥିଲା । ଏହାକୁ ଦେଖି ଦର୍ଶକ ଉତ୍ସାହିତ ହୋଇଥିଲେ । ଜାତୀୟ ସଙ୍ଗୀତ ଗାନ ଶେଷ ହେବା ପରେ ଭାରତ... ଭାରତ ଧ୍ୱନିରେ ଷ୍ଟାଡିୟମ କମ୍ପି ଉଠିଥିଲା ।