ନୂଆଦିଲ୍ଲୀ: ବିଜେପି ସାଂସଦ ନିଶିକାନ୍ତ ଦୁବେ ମଙ୍ଗଳବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ଗୃହରେ ସ୍ୱାଧୀକାର ଭଙ୍ଗ ନୋଟିସ ଜାରି କରିବାକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପତ୍ର ଲେଖିଛନ୍ତି। ସୂଚନା ମୁତାବକ ମେକ ଇନ ଇଣ୍ଡିଆ ପଦକ୍ଷେପରେ ବିଫଳତା ପାଇଁ ଚାଇନା ଭାରତକୁ ପଶିଆସିଛି ବୋଲି ରହୁଲ କହିବା ପରେ ଏପରି ପ୍ରତିକ୍ରିୟାଶିଳ ହୋଇଉଠିଛନ୍ତି ଦୁବେ।
ସଂସଦରେ ରହୁଲ ଦେଇଥିବା ଭାଷଣକୁ ଟାର୍ଗେଟ କରି ଦୁବେ ନିଜ ପତ୍ରରେ ଲେଖିଛନ୍ତି “ରାହୁଲ କେବଳ ଆମର ଇତିହାସ ଓ ମହତ୍ତ୍ୱପୂର୍ଣ୍ଣ ତଥ୍ୟକୁ ଲଜ୍ଜାଜନକ ଭାବେ ଉପସ୍ଥାପିତ କରିନାହାନ୍ତି। ସେ ଆମ ଦେଶକୁ ଉପହାସ ତଥା ଆମ ଗଣତନ୍ତ୍ରର ସମ୍ମାନକୁ ହ୍ରାସ କରିବାକୁ ଚେଷ୍ଟା କରିଛନ୍ତି”।
ସଂସଦରେ ସୋମବାର ରାଷ୍ଟ୍ରପତିଙ୍କ ଧନ୍ୟବାଦ ସମ୍ଭାଷଣରେ ରାହୁଲ ଗାନ୍ଧୀ ନିଜ ବକ୍ତବ୍ୟ ରଖିଥିଲେ। ନିଜ ଭାଷଣରେ ଚାଇନା ନିଜକୁ ବିଶ୍ବର ଅଗ୍ରଣୀ ମାନୁଫ୍ୟକଚରିଂ ହବ ଭାବେ ପ୍ରତିଷ୍ଟା କରିପାରିଥିବା ବେଳେ, ଭାରତକୁ ଅନେକ ପଛରେ ଛାଡି ଯାଇଛି ବୋଲି ରାହୁଲ କହିଥିଲେ।
ଭାରତ-ଚୀନ ସୀମା ବିବାଦକୁ ନେଇ ରାହୁଲ ଭାରତ ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ଚାଇନା ଭାରତର ୪ ହଜାର ସ୍କୋୟାର କିଲୋମିଟର ଅଞ୍ଚଳକୁ ନିଜ ଦଖଲକୁ ନେଇ ସାରିଛି। ଚୀନା ସେନା ମାନେ ଭାରତ ଭିତରେ ରହି ନିଜ ଅପରେସନ ଜାରି ରଖିଛନ୍ତି। ତା ପରେ ମଧ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନେଇ ନାହାନ୍ତି। ସେନା ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରୁଛି।
ଏହାଛଡା ନିଜ ଭାଷଣରେ ସେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସହ ଇଲେକ୍ସନ କମିସନରଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ବିଗତ ପାଞ୍ଚ ବର୍ଷ ଅପେକ୍ଷା ଶେଷ ପାଞ୍ଚ ମାସରେ ଅଧିକ ଭୋଟର କିପରି ଯୋଡି ହୋଇଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ପାଖାପାଖି ୭୦ ଲକ୍ଷ ନୂଆ ଭୋଟର ମହାରାଷ୍ଟ୍ରର ଲୋକସଭା ଓ ବିଧାନସଭା ନିର୍ବାଚନରେ କିପରି ଯୋଡିହେଲେ ବୋଲି ସେ ପ୍ରଶ୍ନ କରିଥିଲେ।
"ଏହି ସଂପର୍କରେ, ମୁଁ ଆପଣଙ୍କୁ ମନେ ପକାଇବାକୁ ଚାହୁଁଛି ଯେ ତାଙ୍କ ଭାଷଣ ସମୟରେ, ସେ ଅନେକ କିଛି କହିଛନ୍ତି। ତେବେ ଏହି ସମସ୍ତ କଥା ଅତ୍ୟନ୍ତ ଭ୍ରାନ୍ତମୂଳକ, ଏହାର କୌଣସି ପ୍ରାମାଣ ମଧ୍ୟ ନାହିଁ। ତଥାପି ସେ ଆମ ଦେଶ ତଥା ନିର୍ବାଚିତ ସରକାରଙ୍କୁ ବଦନାମ କରି ଚାଲିଛନ୍ତି” ବୋଲି ଦୁବେ କହିଛନ୍ତି।