ରାଜଗାଙ୍ଗପୁର, ୧୪/୨ : ରାଜଗାଙ୍ଗପୁର ମିଶନ ହତା ଅଞ୍ଚଳର ଜିଏଲ ଚର୍ଚ୍ଚସ୍ଥିତ ନିଛାଟିଆ ପଡ଼ିଆରେ ରାତି ଅଧିଆ ଡକାୟତି ପାଇଁ ଯୋଜନା କରୁଥିବାବେଳେ ପୁଲିସ ଚଢ଼ଉ କରି ୮ ଜଣଙ୍କୁ ଗିରଫ କରିଛି । ପୋଲିସ ସୂଚନା ମୁତାବକ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ସହରର ମିଶନ ହତାର ନିଛାଟିଆ ପଡିଆରେ କିଛି ଅସାମାଜିକ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ରୁଣ୍ଡ ହୋଇଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲେ । ସୂଚନାପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଦଳବଳ ସହ ଚଢଉ କରିଥିଲା ।
ପୋଲିସକୁ ଦେଖି ଦୁର୍ବୁତ୍ତମାନେ ଫେରାର ହେବାକୁ ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ ଗୋଡାଇ ଗୋଡାଇ ଧରିଥିଲା। ଚଢ଼ଉରେ ରାଜଗାଙ୍ଗପୁର ଥାନା ମିଶନ ହତା ଅଞ୍ଚର ଏମ.ଡି ଗୋଲଡେନ ( ୨୬), ଲଖୁଆ ପଡାର ମୁକେଶ ଲାହେରି(୨୨), ବିକାଶ ସଙ୍ଖାରୀ(୨୩) , ଇସଲାମ ଚୌକର ଏମ.ଡି ରେହେମାନ (୨୬), ଇଦଗା ମହଲ୍ଲାର ଏମ.ଡି ଇମରାନ ଅନସାରୀ (୨୨), ବଗିଚାପଡାର ବିଶାଳ ଶାହା(୨୨), ଶୁଭମ ସାହୁ (୨୬)ସହ ତାଲକି ପଡାର ରଘୁବୀର ସିଂ (୨୩)ଙ୍କୁ ପୋଲିସ ଧରିଥିଲା।
ତଲାସୀ ପରେ ପୋଲିସ ସେମାନଙ୍କ ନିକଟରୁ ଛୋଟ ଖଣ୍ଡା, ଭୁଜାଲି, ଛୁରୀ, ଲୁହା ରଡ, ମୁଖା, ଲଙ୍କା ପାଉଡର, ଟର୍ଚ୍ଚ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ପୋଲିସର ପଚରାଉଚରା ସମୟରେ ସେମାନେ ସହରର ବ୍ୟବସାୟିକ ପ୍ରତିଷ୍ଠାନ, ଘର, ପେଟ୍ରୋଲ ପମ୍ପରେ ଡକାୟତି କରିବାର ଯୋଜନା କରୁଥିବା ନେଇ ସ୍ୱୀକାର କରିଥିଲେ। ରାଜଗାଙ୍ଗପୁର ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ରାଜଗାଙ୍ଗପୁର ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ପୋଲିସ ସୂଚନା ପ୍ରଦାନ କରିଛି ।