ଭୁବନେଶ୍ୱର,୨୧/୦୨: କୌଣସି ବିଷୟବସ୍ତୁକୁ ଚିନ୍ତା କରିବା, ବୁଝିବା ଓ ଶିଖିବା ପାଇଁ ଭାଷା ହେଉଛି ମୁଖ୍ୟ ମାଧ୍ୟମ । ମାତୃଭାଷାରେ ଶିକ୍ଷା ଗ୍ରହଣ କଲେ ଶିଶୁର ବୌଦ୍ଧିକ ବିକାଶ ହୁଏ । ଜ୍ଞାନ ବୃଦ୍ଧି ହୁଏ । ଅନ୍ୟ ଭାଷା ଶିଖିବାକୁ ମଧ୍ୟ ଏହି ମାତୃଭାଷା ସୁଯୋଗ ଦେଇଥାଏ । ଏହା ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ କହୁଛି । ରାଜ୍ୟରେ ଆସନ୍ତା ଶିକ୍ଷା ବର୍ଷରୁ ଏନ୍ଇପି ଲାଗୁ ହେବ । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍ଏଲ୍ଏନ୍)କୁ ଗୁରୁତ୍ୱ ଦିଆଯାଉଛି । ସ୍ୱତନ୍ତ୍ର ଶିକ୍ଷକ ଏଥିପାଇଁ ସ୍କୁଲରେ ନିୟୋଜିତ ଅଛନ୍ତି । ପ୍ରତିଦିନ ଏଫ୍ଏଲ୍ଏନ୍ କ୍ଲାସ୍ ମଧ୍ୟ ହେଉଛି । କେବଳ ଏତିକି ନୁହେଁ ସରକାର ନିକଟରେ ସ୍ୱତନ୍ତ୍ର ଭାଷା ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଉଚ୍ଚଶିକ୍ଷାରେ ମାତୃଭାଷା ଓଡ଼ିଆରେ ପାଠ୍ୟପୁସ୍ତକ ମଧ୍ୟ ପ୍ରସ୍ତୁତି କରାଯାଉଛି ।
ଏନ୍ଇପି ଅନୁଯାୟୀ, ସ୍କୁଲରେ ପାଠପଢ଼ା ସ୍ଥାନୀୟ ଭାଷାରେ ହେବ । ଏହାକୁ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଅନୁସରଣ କରିବେ। ମାତୃଭାଷାରେ ସମସ୍ତ ପ୍ରକାରର ପାଠ୍ୟପୁସ୍ତକ ଉପଲବ୍ଧ କରାଯିବ । ମୌଳିକ ପର୍ଯ୍ୟାୟରୁ ପିଲାମାନେ ଭାଷା ସହ ସଂପର୍କିତ ହେବ । ପାଠପଢ଼ା ଉପଭୋଗ୍ୟ ଓ ଆଲୋଚନାତ୍ମକ ଶୈଳୀରେ ପଢ଼ାଯିବ । ପ୍ରାରମ୍ଭିକ ବର୍ଷରେ ମାତୃଭାଷାରେ ଶୀଘ୍ର ପଢ଼ିବା ଓ ତୃତୀୟ ଶ୍ରେଣୀ ଓ ପରବର୍ତ୍ତୀ ସମୟରେ ପଢ଼ିବା ଓ ଲେଖିବା ପାଇଁ ବିକଶିତ କୌଶଳ ସହ ଶିକ୍ଷା ଦିଆଯିବ ।
ଏବେବି ସ୍କୁଲରେ ଏଫ୍ଏଲ୍ଏନ୍ କ୍ଲାସ ହେଉଛି । ଏଥିରେ ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାଙ୍କୁ ପାଠପଢ଼ାଇବା ସମୟରେ ଘରେ ବ୍ୟବହାର କରୁଥିବା ଭାଷାରେ ପାଠ ପଢ଼ା ଯାଉଛି । ପିଲାଙ୍କୁ ଓଡ଼ିଆ ଭାଷା ଶୁଣିବା, ବୁଝିବା, କହିବା ପଢ଼ିବା ଓ ଲେଖିବା ପାଇଁ ଦକ୍ଷ କରାଯାଉଛି । ପ୍ରତି ପ୍ରାଥମିକ ସ୍କୁଲରେ ସ୍ୱତନ୍ତ୍ର ଭାବେ ଏଫ୍ଏଲ୍ଏନ୍ ଶିକ୍ଷକ ଅଛନ୍ତି । ସେମାନେ ପ୍ରତିଦିନ ଏଫ୍ଏଲ୍ଏନ୍ କ୍ଲାସ କରୁଛନ୍ତି । ପିଲାଙ୍କୁ କଳାତ୍ମକ ଢଙ୍ଗରେ ପାଠପଢ଼ାଉଛନ୍ତି । ତାଙ୍କୁ ବିଭିନ୍ନ ସମୟରେ ତାଲିମ ପ୍ରଦାନ କରାଯାଉଛି । ପ୍ରତି ମାସରେ କ୍ଲଷ୍ଟର ମିଟିଂ ହେଉଛି । ଏଥିରେ ଏଫ୍ଏଲ୍ଏନ୍ ନେଇ ଆଲୋଚନା ହେଉଛି । ଏପରିକି ଏଫ୍ଏଲ୍ଏନ୍ ତଦାରଖ କରାଯାଉଛି । ଏଫଏଲ୍ଏନ୍ ପାଇଁ ସ୍ୱତନ୍ତ୍ର କାର୍ଯ୍ୟ ପୁସ୍ତିକା ରହିଛି । ଯେଉଁଥିରେ ପିଲାଙ୍କୁ ଓଡ଼ିଆ ଗପଠୁ ଆରମ୍ଭ କରି ବିଭିନ୍ନ ମାତୃଭାଷା ବହି ରହିଛି । ଏଫ୍ଏଲ୍ଏନ୍ ପାଇଁ ସ୍ୱତନ୍ତ୍ର ଶ୍ରେଣୀ ଗୃହ ରହିଛି। ଏହା ସଂପୂର୍ଣ୍ଣ ଭାବେ ଏନ୍ଇପି ୨୦୨୦କୁ ଭିତ୍ତି କରି କରାଯାଇଛି ।
ଏନ୍ଇପି ଲାଗୁ ପୂର୍ବରୁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ନିକଟରେ ପ୍ରକାଶ ପାଇଥିବା ୬ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରୁ ୪୯୬ଟି ସ୍ୱତନ୍ତ୍ର ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ହେବେ । ଏଭଳି ପଦକ୍ଷେପ ନେଇଛନ୍ତି ।
ସେହିପରି ନିକଟରେ ଇଗ୍ନୋ ପକ୍ଷରୁ ଏମ୍ବିଏ ପାଠ୍ୟପୁସ୍ତକ ଓଡ଼ିଆ କରାଯାଇଛି । ଏଆଇସିଟିଇ ସହଯୋଗରେ ଇଗ୍ନୋ ଏହି ଏମ୍ବିଏ ଅଧ୍ୟୟନ ପୁସ୍ତିକା ପ୍ରକାଶ କରିଛି । ଆଗରୁ ଇଞ୍ଜିନିୟରିଂ ପୁସ୍ତକକୁ ଓଡ଼ିଆରେ ପ୍ରସ୍ତୁତ କରାଯାଇ ପ୍ରକାଶ ହୋଇଥିଲା । ଏଆଇସିଟିଇ ଓଡ଼ିଆରେ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ ପ୍ରସ୍ତୁତ କରୁଛି ।
ରାଜ୍ୟର ସମସ୍ତ ସ୍କୁଲରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯିବ । ମାତୃଭାଷା ଶିକ୍ଷା ମାଧ୍ୟମରେ ପିଲାଙ୍କର ସର୍ବାଙ୍ଗୀନ ବିକାଶ ଓ ମାତୃଭାଷାର ବିକାଶ ପାଇଁ ପିଲାଙ୍କୁ ଉତ୍ସାହିତ କରାଯିବ । ପ୍ରଦର୍ଶନୀ, ପ୍ରତିଯୋଗିତା, ପିତାମାତା ଓ ଅଭିଭାକଙ୍କ ବୈଠକ ହେବ । ମାତୃଭାଷାରେ ପୁସ୍ତକ ପଠନ କରିବେ । ଅନ୍ୟ ଭାରତୀୟ ଭାଷାର ଲିପିକୁ ବ୍ୟବହାର, ଅଭ୍ୟାସ ଓ ବିଶେଷ କରି ମାତୃଭାଷାର ଲିପି ଆଦି ନେଇ ଆଲୋଚନା କରାଯିବ ।