ଭୁବନେଶ୍ଵର, ୨୧/୦୨ : ପ୍ରେମିକ ଘର ସାମ୍ନାରେ ପ୍ରେମିକାର ଆତ୍ମହତ୍ୟା ଉଦ୍ୟମ। ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ସରକଣା ଗ୍ରାମରେ ଘଟିଛି ଏଭଳି ଘଟଣା। ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବତୀ। ଘଟଣା ବେଳର ଭିଡିଓ ଭାଇରାଲ୍।
ସୂଚନାନୁଯାୟୀ, ସରକଣା ଗ୍ରାମର ବିଶ୍ଵଜିତ ସାମନ୍ତରାୟଙ୍କ ସହ ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟଙ୍କ ପରିବାର ବାହାଘର ପାଇଁ ରାଜିଥିଲେ। ଯୁବତୀ ଜଣଙ୍କ ବିଶ୍ଵଜିତଙ୍କ ଘରକୁ ଯିବା ଆସିବା ବି କରନ୍ତି। ମାତ୍ର ପରବର୍ତ୍ତୀ ସମୟରେ ବିଶ୍ଵଜିତ୍ ଆଉ ବିବାହ କରିବାକୁ ରାଜି ହୋଇନଥିଲେ। ଏନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ବିଶ୍ଵଜିତଙ୍କୁ ଗିରଫ କରିଥିଲା। ଏବେ ସେ ଜେଲ୍ରେ ଅଛନ୍ତି। ମାତ୍ର ଯୁବତୀ ଜଣଙ୍କ ବିଶ୍ଵଜିତ୍ଙ୍କୁ ବିବାହ କରିବା ପାଇଁ ଜିଦ୍ ଧରି ବସିଥିଲେ। ଏପରିକି ବିଶ୍ଵଜିତ୍ଙ୍କ ଘର ବାରଣ୍ଡାରେ ଯାଇ ଧାରଣା ଦେଇଥିଲେ। ପରେ ପୋଲିସ ତାଙ୍କୁ ବୁଝାସୁଝା କରି ଧାରଣାରୁ ଉଠାଇଥିଲା। ମାତ୍ର ଗୁରୁବାର ରାତି ପ୍ରାୟ ୯ଟା ବେଳେ ଯୁବତୀ ଜଣଙ୍କ ବିଶ୍ଵଜିତଙ୍କ ଘର ସାମ୍ନାରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ଚିକିତ୍ସା ଚାଲିଛି।
ଏହି ଖବରଟିକୁ ପଢନ୍ତୁ- ପିକଅପ ଭ୍ୟାନରେ କଟିଗଲା ସାଇକେଲ ଆରୋହୀଙ୍କ ହାତ, ୨୦ କି.ମି କଟା ହାତ ପିକଅପ ଭ୍ୟାନ ବୋହି ନେଲା