ଭୁବନେଶ୍ବର,୨୦।୨; ପିକଅପ ଭ୍ୟାନ ଡାଲାରେ କଟିଗଲା ସାଇକେଲ ଆରୋହୀଙ୍କ ହାତ। ପିକଅପ ଭ୍ୟାନ ପାଖାପାଖି ୨୦ କିଲୋମିଟର ବୋହି ନେଲା କଟା ହାତକୁ । କଟା ହାତ ସହିତ ଗୁରୁତର ଯୁବକ ଉଦ୍ଧାର ହୋଇ କଟକ ସ୍ଥାନାନ୍ତରିତ କରାଯାଇଛି। ପିକଅପ ଭ୍ୟାନ ସହିତ ଡ୍ରାଇଭରକୁ ଅଟକ ରଖି ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ । ଗୁରୁତର ଯୁବକ ଜଣକ ହେଲେ ଗୁରୁଦାସପୁର ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ମହାନ୍ତି। ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଗୁରୁଦାସପୁର ପୋଲ ନିକଟରେ ଏଭଳି ଘଟଣା ଘଟିଛି ।
ଗୁରୁବାର ରାତି ୯ଟଶ ସମୟରେ ଗୁରୁଦାସପୁର ଗ୍ରାମର କ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି ସାଇକେଲ ଯୋଗେ ଲକ୍ଷ୍ମଣ ନାଥ ଆଡୁ ଘରକୁ ଫେରୁଥିଲେ। ଏକ ପିକଅପ ଭ୍ୟାନ ପଛପଟୁ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ! ପିକଅପ ଭ୍ୟାନ ଡ଼ଲାରେ ପୂର୍ଣ୍ଣ ଚନ୍ଦ୍ରର ଡାହାଣ ହାତ କହୁଣୀ ପାଖରୁ କଟି ଯାଇଥିଲା। ରାତିର ଅନ୍ଧାରରେ କେହି କିଛି ଜାଣି ପାରିନଥିଲେ । ପିକଅପ ଭ୍ୟାନର ଡ୍ରାଇଭର କଟା ହାତକୁ ପାଖାପାଖି ୨୦କିଲୋମିଟର ରାସ୍ତା ପୁରୁଣାପାଣି ପର୍ଯ୍ୟନ୍ତ ବୋହି ନେଇଥିଲା । ସ୍ଥାନୀୟ ଲୋକମାନେ ଜାଣି ପାରି ପିକଅପ ଭ୍ୟାନ ପିଛା କରି କଟା ହାତକୁ ଉଦ୍ଧାର କରିଥିଲେ। ପିକଅପ ଭ୍ୟାନ ସହିତ ଡ୍ରାଇଭରକୁ ଅଟକ ରଖି ରାଇବଣିଆ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଅନ୍ୟପଟେ ଗୁରୁତର ଯୁବକକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟା ହାତ ସହିତ ଗୁରୁତର ଯୁବକକୁ କଟକ ସ୍ଥାନାନ୍ତରିତ କରାଯାଇଛି । ରାଇବଣିଆ ପୋଲିସ ପିକଅପ ଭ୍ୟାନ ସହିତ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଜାରୀ ରଖିଛି ।