କଟକ/କଳାପଥର,୧୮/୦୨: ବାହାଘର ଭୋଜି ଖାଇବା କାଳ ହେଲା । ଭୋଜି ଖାଇବାର କିଛି ସମୟ ପରେ ଝାଡ଼ା, ବାନ୍ତି ଓ ଜ୍ୱରରେ ଆକ୍ରାନ୍ତ ହେଲେ ଲୋକେ । କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ବୈଦେଶ୍ୱରପାଟଣା ଗ୍ରାମରେ ଏଭଳି ଘଟଣା ଘଟିଛି । ପାଖାପାଖି ୩ ଶହ ଜଣ ଆକ୍ରାନ୍ତ ହୋଇଛନ୍ତି । ୮୦ରୁ ଅଧିକ ଗୁରୁତରଙ୍କୁ କଟକ, ଭୁବନେଶ୍ୱର, ଖୋର୍ଦ୍ଧାର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।
ରବିବାର ରାତିରେ ବୈଦେଶ୍ୱରପାଟଣା ଗ୍ରାମର ପଦ୍ମନାଭ ସାହୁ ଝିଅର ବିବାହ ଥିଲା । ଏଥିପାଇଁ ଗ୍ରାମବାସୀ ଓ ବରପକ୍ଷଙ୍କୁ ମିଶାଇ ପ୍ରାୟ ହଜାରେ ଲୋକଙ୍କ ଲାଗି ଭୋଜିଭାତର ଆୟୋଜନ କରାଯାଇଥିଲା । ଭୋଜିରେ ବହୁ ପ୍ରକାରର ଖାଦ୍ୟ ପ୍ରସ୍ତୁତ ହୋଇଥିଲା । ଯାହାକୁ ଖାଇ ଲୋକେ ଘରକୁ ଫେରିଥିଲେ । ଫେରିବାର କିଛି ସମୟ ପରେ ଲୋକେ ଅସୁସ୍ଥ ଅନୁଭବ କରିଥିଲେ । ହଠାତ୍ ଝାଡ଼ା, ବାନ୍ତି ଆରମ୍ଭ ହୋଇଯାଇଥିଲା । ଜଣେ କି ଦୁଇ ଜଣ ନୁହେଁ ଗାଁ ଯାକ ଲୋକେ ବାହାଘର ଭୋଜି ଖାଇ ସଂକ୍ରମଣର ଶିକାର ହୋଇଥିଲେ । ଭୟରେ ବୈଦେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିବା ବେଳେ ସେଠାରେ ଗହଳି ବଢ଼ିଯାଇଥିଲା । ସ୍ଥିତି ଏମିତି ହେଲା ଯେ ବାଙ୍କୀ, ସୁବର୍ଣ୍ଣପୁର, ବଡ଼ମ୍ବା ଓ ବାଙ୍କୋଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରାଯାଇଥିଲା ।