ବର୍ଷଟି ଥିଲା ୧୯୨୧ ମସିହା, ବ୍ରିଟିଶ ସାମ୍ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକର ଏକ ସମ୍ମିଳନୀ ଲଣ୍ଡନରେ ଅନୁଷ୍ଠିତ ହେଉଥାଏ । ଏଥିରେ ଅନେକ ଦେଶର ପ୍ରସିଦ୍ଧ ବୈଜ୍ଞାନିକମାନେ ଯୋଗ ଦେଇଥିଲେ । ସେହି ବୈଠକରେ କଲିକତା ବିଶ୍ୱବିଦ୍ୟାଳୟର ପ୍ରତିନିଧି ଭାବରେ ଭାରତର ମହାନ ବୈଜ୍ଞାନିକ ସି. ଭି. ରମଣ ପ୍ରତିନିଧିତ୍ୱ କରୁଥିଲେ । ସି. ଭି. ରମଣଙ୍କ ପରିଚୟ ପ୍ରଦାନ ତଥା ତାଙ୍କ କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ ଜେ. ଜେ. ଥମସନ ଏବଂ ରୁଦରଫୋର୍ଡଙ୍କ ପରି ବିଶ୍ୱପ୍ରସିଦ୍ଧ ବୈଜ୍ଞାନିକ । ସେହି ସଭାରେ ସି. ଭି. ରମଣଙ୍କ ବକ୍ତୃତା ଶୁଣିବାକୁ ବହୁତ ଲୋକ ଉପସ୍ଥିତ ଥିଲେ । ତାଙ୍କର ଆଲୋଚନା ଅତ୍ୟନ୍ତ ଉଚ୍ଚକୋଟୀର ଥିଲା ଓ ସମସ୍ତେ ଏହାର ଭୁରି ଭୁରି ପ୍ରଶଂସା କରିଥିଲେ । ସେ ଇଂଲଣ୍ଡରୁ ଭାରତକୁ ଜାହାଜରେ ଫେରିବା ସମୟରେ ତାଙ୍କ ନଜର ପଡ଼ିଲା ଅଥଳ ସମୁଦ୍ର ପାଣିର ନୀଳ ରଙ୍ଗ ଉପରେ ।
ସମୁଦ୍ରରେ ପାଣି କାହିଁକି ନୀଳ ରଙ୍ଗ ଦେଖାଯାଏ ଭଳି ଏକ ସାଧାରଣ ପ୍ରଶ୍ନଟିର କାରଣ ଖୋଜିବାକୁ ଯାଇ ସି. ଭି. ରମଣ ଏପରି ଏକ ଆବିଷ୍କାର କଲେ, ଯାହା ପାଇଁ ୧୯୩୦ ମସିହାରେ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଗଲା । ୧୯୨୧ ମସିହାରେ ସମୁଦ୍ର ପାଣିର ରଙ୍ଗ ନୀଳ କାହିଁକି ପ୍ରଶ୍ନଟି ସି. ଭି. ରମଣଙ୍କ ମନରେ ଆସିଥିଲା । ସେତେବେଳେ ଅନେକ ବ୍ୟାଖ୍ୟା କରୁଥିଲେ ଯେ, ଆକାଶର ରଙ୍ଗ ନୀଳ ହେତୁ ସମୁଦ୍ର ପାଣିର ରଙ୍ଗ ମଧ୍ୟ ନୀଳ ଦେଖାଯାଉଛି । ତେବେ କିଏ କହିଲା ଯେ ଆକାଶର ରଙ୍ଗ ନୀଳ? ଆକାଶ ରଙ୍ଗ ଯୋଗୁଁ ସମୁଦ୍ର ପାଣି ମଧ୍ୟ ନୀଳ ଧାରଣାଟିକୁ ସେ ବିଶ୍ୱାସ କଲେନାହିଁ କି ଗ୍ରହଣ କଲେନାହିଁ । ସେ ଜାହାଜରେ ଫେରିବା ସମୟରେ ଆକାଶ ରଙ୍ଗ ଯୋଗୁଁ ସମୁଦ୍ର ପାଣି ମଧ୍ୟ ନୀଳ ଦେଖାଯାଏ ଧାରଣାଟିକୁ କିଛି ସାଧାରଣ ତର୍କ ଓ ମୌଳିକ ଉପକରଣ ଦ୍ୱାରା ଭୁଲ୍ ବୋଲି ନିଜେ ନିଜେ ପ୍ରମାଣ କରିଥିଲେ । ତାଙ୍କ ମନରେ ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ, ଆକାଶର ରଙ୍ଗ ସହ ସମୁଦ୍ର ପାଣି ରଙ୍ଗର କୌଣସି ସମ୍ପର୍କ ନାହିଁ । ସେ ଭାରତକୁ ଫେରିବା ପରେ ସମୁଦ୍ର ପାଣି କାହିଁକି ନୀଳ’ର ଉତ୍ତର ଖୋଜିବାରେ ଲାଗିପଡ଼ିଲେ ।
ଅନେକ ବର୍ଷ ଧରି ବହୁତ ଗବେଷଣା କରି ଶେଷରେ ଏହାର ଉତ୍ତର ଖୋଜି ପାଇଥିଲେ, ଯାହାକୁ ଆମେ ଏବେ ରମଣ ପ୍ରଭାବ ରୂପେ ଜାଣିଛେ । ଆପଣ ଆକାଶରେ ନିଶ୍ଚୟ ସାତଟି ରଙ୍ଗବିଶିଷ୍ଟ ଏକ ଇନ୍ଦ୍ରଧନୁ ଦେଖିଥିବେ । ଏହି ୭ ରଙ୍ଗର ସମଷ୍ଟିରେ ସୂର୍ଯ୍ୟର ଆଲୋକ ଧଳା ରଙ୍ଗ ଦେଖାଯାଏ । ଯଦି ଏହି ସୂର୍ଯ୍ୟକିରଣ ପ୍ରିଜିମ୍ ଦେଇ ଗତିକରେ ଆମେ ଏହି ସାତଟି ରଙ୍ଗ ପାଇଥାଉ । ଏପରି ହେବାର କାରଣ ହେଲା, ଆଲୋକ ବାୟୁ ଭଳି ଏକ ପତଳା ବା କମ୍ ସାନ୍ଧ୍ର ମାଧ୍ୟମରୁ କାଚ ଭଳି ଅଧିକ ସାନ୍ଧ୍ର ମାଧ୍ୟମରେ ଗତି କରିବା ସମୟରେ ନିଜ ପଥରେ ବଙ୍କେଇ ଯାଇଥାଏ । ଅଧିକ ତରଙ୍ଗଦୈର୍ଘ୍ୟ ଥିବା ଲାଲ୍ ରଙ୍ଗ କମ୍ ବଙ୍କୁଥିବା ବେଳେ କମ୍ ତରଙ୍ଗଦୈର୍ଘ୍ୟ ଥିବା ନୀଳ ରଙ୍ଗ ଅଧିକ ବଙ୍କେଇ ଯାଇଥାଏ ।
ବୈଜ୍ଞାନିକ ଆଇଜାକ୍ ନ୍ୟୁଟନ୍ ଏହି ଆବିଷ୍କାର ୧୬୬୫ ମସିହାରେ କରିଥିଲେ । ରମନ ପ୍ରଭାବ ଆବିଷ୍କାର ପୂର୍ବରୁ ତତ୍ତ୍ୱ ବା ବିଶ୍ୱାସ ଥିଲା ଯେ, ଆଲୋକ ରଶ୍ମି କୌଣସି ଅଣୁ ମଧ୍ୟଦେଇ ଗତି କଲାବେଳେ ରଶ୍ମିର ତରଙ୍ଗଦୈର୍ଘ୍ୟ ଓ ଶକ୍ତିରେ କୌଣସି ପରିବର୍ତ୍ତନ ହୁଏନାହିଁ, ଅର୍ଥାତ୍ ଏହା ସମାନ ରହେ । କିନ୍ତୁ ରମଣ ପ୍ରଥମେ ମତ ଦେଲେ ଯେ, ଆଲୋକ ରଶ୍ମି ଏକ ଅଣୁ ଭିତରେ ପ୍ରବେଶ କଲେ ଏହି ରଶ୍ମିର ତରଙ୍ଗଦୈର୍ଘ୍ୟ ଓ ଶକ୍ତି ସମାନ ରହିବ ନାହିଁ, କାରଣ ଅଣୁରେ ଧକ୍କା ଖାଇ ଭିନ୍ନ ଭିନ୍ନ ତରଙ୍ଗଦୈର୍ଘ୍ୟର ରଶ୍ମି ଅଲଗା ଅଲଗା ପରିମାଣରେ ବିଚ୍ଛୁରିତ ହେବ । ଏଥିରୁ ପ୍ରମାଣିତ ହେଲା ଯେ, କମ୍ ତରଙ୍ଗଦୈର୍ଘ୍ୟ ଥିବା ନୀଳ ରଙ୍ଗ ଅଧିକ ବିଚ୍ଛୁରିତ ହୋଇଯାଏ । ଯେହେତୁ ସମୁଦ୍ର ଜଳର ପରିମାଣ ବା ଗଭୀରତା ବହୁତ ଅଧିକ, ଆଲୋକକୁ ଅଧିକ ବାଟ ଗତି କରିବାକୁ ପଡ଼ିଥାଏ, ଫଳରେ ନୀଳ ରଙ୍ଗର ଆଲୋକ ସଂପୂର୍ଣ୍ଣ ରୂପେ ବିଚ୍ଛୁରିତ ହେଇ ସମୁଦ୍ର ଜଳ ନୀଳ ରଙ୍ଗ ଦେଖାଯାଏ । ଏହି ଆବିଷ୍କାର ଦ୍ୱାରା ଅନ୍ଧକାର ବା କଳା ରଙ୍ଗର ଆକାଶ କାହିଁକି ଦିନବେଳେ ନୀଳ ରଙ୍ଗ ଦେଖାଯାଏ ମଧ୍ୟ ବ୍ୟାଖ୍ୟା କରାଯାଇପାରିଲା । ବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିର ଏହି ଯୁଗାନ୍ତକାରୀ ଆବିଷ୍କାର ତାଙ୍କୁ ସାରା ବିଶ୍ୱରେ ପରିଚିତ କରାଇଥିଲା । ବିଶ୍ୱର ବିଭିନ୍ନ ସ୍ଥାନରୁ ବିଭିନ୍ନ ସମ୍ମାନ ଏବଂ ପୁରସ୍କାର ମିଳିଲା । ୧୯୩୦ ମସିହାରେ ତାଙ୍କୁ ପଦାର୍ଥ ବିଜ୍ଞାନରେ ପ୍ରଥମ ଭାରତୀୟ ଏବଂ ପ୍ରଥମ ଏସୀୟ ଭାବରେ ନୋବେଲ ପୁରସ୍କାର ଦିଆଯାଇଥିଲା । ୧୯୩୦ ମସିହାରେ ତାଙ୍କୁ ନାଇଟ୍ ଉପାଧି ମିଳିଲା, ସେଥିପାଇଁ ତାଙ୍କ ନାମର ପୂର୍ବରୁ "ସାର୍' ଯୋଡ଼ାଯାଏ । ତାଙ୍କୁ ୧୯୫୪ ମସିହାରେ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା ।
୨୮ ଫେବ୍ରୁଆରୀ ୧୯୨୮ ମସିହାରେ ସାର୍ ସି. ଭି. ରମଣଙ୍କ ଆବିଷ୍କାର "ରମଣ ପ୍ରଭାବ’ ପାଇଁ ବିଜ୍ଞାନର ଯେକୌଣସି ଶାଖାରେ ନୋବେଲ ପୁରସ୍କାର ପାଇଥିବା ପ୍ରଥମ ଏସୀୟ ହେବା ଭାରତୀୟ ବିଜ୍ଞାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଥିଲା । ଭାରତର ବୈଜ୍ଞାନିକ ସମ୍ଭାବନାକୁ ପ୍ରମାଣିତ କରିବା ବ୍ୟତୀତ, ଏହା ଭାରତକୁ ବିଶ୍ୱ ବୈଜ୍ଞାନିକ ମାନଚିତ୍ରରେ ମଧ୍ୟ ସ୍ଥାନିତ କରିଥିଲା । ତେଣୁ ୧୯୮୭ ମସିହା ଠାରୁ ୨୮ ଫେବ୍ରୁଆରୀକୁ ଭାରତରେ ପ୍ରତିବର୍ଷ ଜାତୀୟ ବିଜ୍ଞାନ ଦିବସ ଭାବରେ ପାଳନ କରାଯାଉଛି । ସେବେଠାରୁ ଏହା ସମଗ୍ର ଭାରତରେ ଶିକ୍ଷାନୁଷ୍ଠାନ ଏବଂ ବୈଜ୍ଞାନିକ ସମ୍ପ୍ରଦାୟରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ପାଲଟିଛି, ଯାହା ସାଧାରଣ ଲୋକଙ୍କ ମଧ୍ୟରେ ବିଜ୍ଞାନ ଏବଂ ବୈଜ୍ଞାନିକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରୁଛି । ଏହି ଅବସର ଆମ ଦେଶର ବିକାଶରେ ବୈଜ୍ଞାନିକ ସମ୍ପ୍ରଦାୟର ଅବଦାନକୁ ପ୍ରଶଂସା କରିବା ଏବଂ ଜନସଚେତନତା ବୃଦ୍ଧି କରିବା ପାଇଁ ଏକ ମଞ୍ଚ ଭାବରେ ମଧ୍ୟ କାର୍ଯ୍ୟ କରୁଛି ।