ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ହସ ନିୟନ୍ତ୍ରଣ କରିନପାରି ଚେତା ହରାଇଲେ ବ୍ୟକ୍ତି, ଲାଫ୍‌ଟର-ଇନ୍‌ଡ୍ୟୁସ୍‌ଡ ସିନ୍‌କୋପ ଚିହ୍ନଟ

ନୂଆଦିଲ୍ଲୀ ୦୪/୦୬: ହସକୁ ସର୍ବଶ୍ରେଷ୍ଠ ଔଷଧ ବୋଲି କୁହାଯାଏ । କିନ୍ତୁ ମାତ୍ରାଧିକ ହସର ପରିଣାମ ଭୟଙ୍କର ହୋଇପାରେ । ସଦ୍ୟ ଘଟଣାରୁ ଏହା ପ୍ରମାଣିତ ହୋଇଛି । ହାଇଦ୍ରାବାଦର ୫୩ ବର୍ଷୀୟ ଜଣେ ବ୍ୟକ୍ତି ଟିଭିରେ ଏକ ଲୋକପ୍ରିୟ କମେଡି ସିରିଏଲ ଦେଖୁଥିଲେ । ତାଙ୍କୁ ଏତେ ମଜା ଲାଗିଲା ଯେ ସେ ନିଜ ହସକୁ ନିୟନ୍ତ୍ରଣ କରିପାରିଲେ ନାହିଁ । ଲଗାତାର କିଛି ମିନିଟ୍‌ ଧରି ସେ ହସିଚାଲିଲେ । ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା । କିନ୍ତୁ ଏତିକିବେଳେ ଏକ ଘଟଣା ଘଟିଲା । ବ୍ୟକ୍ତି ଜଣକ ଧରିଥିବା ଚା’କପ୍‌ ଉପରୁ ନିୟନ୍ତ୍ରଣ ହରାଇଦେଲେ । କପ୍‌ଟି ତାଙ୍କ ହାତରୁ ଖସିପଡ଼ିଲା । ଏହାର ଠିକ୍‌ ପରେ ତାଙ୍କ ଶରୀର ଗୋଟିଏ ପାଶ୍ୱର୍କୁ ଢଳିପଡ଼ିଲା । ସେ ଚେୟାରରୁ ତଳେ ପଡ଼ିଗଲେ ଏବଂ ଚେତାଶୂନ୍ୟ ହୋଇଗଲେ । ପାଖରେ ଥିବା ତାଙ୍କ ଝିଅ ତାଙ୍କ ହାତର କିଛି ଅଜବ ଗତିବିଧିକୁ ଲକ୍ଷ୍ୟ କଲେ । 

ବ୍ୟକ୍ତିଙ୍କର ଏ ପ୍ରକାର ଅବସ୍ଥା ଦେଖି ପରିବାର ଭୟଭୀତ ହୋଇ ଆମ୍ବୁଲାନ୍ସକୁ ଫୋନ୍‌ କଲା । ତେବେ କିଛି ମିନିଟ୍‌ ପରେ ବ୍ୟକ୍ତିଙ୍କ ଚେତା ଫେରିଲା । ସେ ଆଖି ଖୋଲିଲେ ଏବଂ ସମସ୍ତଙ୍କୁ ଚିହ୍ନିଲେ । ହାତ-ଗୋଡ଼ ହଲାଇବାକୁ ଲାଗିଲେ ଏବଂ ଅନ୍ୟମାନଙ୍କ ସହ କଥା ହୋଇପାରିଲେ । କିନ୍ତୁ ତାଙ୍କ ସହ ଯାହାସବୁ ଘଟିଲା, ସେ କଥା ତାଙ୍କର ଆଦୌ ମନେନଥିଲା । ତାଙ୍କୁ ଆପୋଲୋ ହସ୍‌ପିଟାଲର ଆପାତକାଳରେ ଭର୍ତ୍ତି କରାଗଲା । ତାଙ୍କର ସମସ୍ତ ପରୀକ୍ଷା ସ୍ୱାଭାବିକ ଥିଲା । ଏହା ପରେ ତାଙ୍କୁ ନ୍ୟୁରୋଲୋଜିଷ୍ଟ୍‌ ଡା. ସୁଧୀର କୁମାରଙ୍କ ପାଖକୁ ପଠାଗଲା । ଡା. ସୁଧୀର ତାଙ୍କର ସମସ୍ତ ଇତିହାସ ଶୁଣିଲେ ଏବଂ ତାଙ୍କୁ ପରୀକ୍ଷା କଲେ । ବ୍ୟକ୍ତିଙ୍କର ପୂର୍ବରୁ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନ ଥିଲା । କୌଣସି ଔଷଧ ମଧ୍ୟ ସେ ଖାଉନଥିଲେ । ଏଥିରୁ ଡାକ୍ତର ସ୍ପଷ୍ଟ ହେଲେ ଯେ ସେ ଲାଫ୍‌ଟର-ଇନ୍‌ଡ୍ୟୁସ୍‌ଡ ସିନ୍‌କୋପରେ ପୀଡ଼ିତ । ଏଥିପାଇଁ ତାଙ୍କୁ ଅତ୍ୟଧିକ ହସିବା, ଅଧିକ ସମୟ ଠିଆହୋଇ ରହିବା ଏବଂ ଅତ୍ୟଧିକ ଶାରୀରିକ ପରିଶ୍ରମଠୁ ଦୂରରେ ରହିବାକୁ ଡାକ୍ତର ପରାମର୍ଶ ଦେଲେ । ପ୍ରଚୁର ପାଣି ପିଇବା ସହିତ ମସ୍ତିଷ୍କକୁ ରକ୍ତ ପ୍ରବାହ ଜାରି ରହିବା ଲାଗି ତାଙ୍କୁ ଶୋଇ ରହିବାକୁ କହିଲେ । ଏହି ସ୍ଥିତିର ଚିକିତ୍ସା ଲାଗି ଡାକ୍ତର ତାଙ୍କୁ କୌଣସି ଔଷଧ ଦେଲେ ନାହିଁ । କେବଳ କାର୍ଡିଓଲୋଜି ଇଭାଲ୍ୟୁସନ୍‌ ପାଇଁ ପରାମର୍ଶ ଦେଲେ । 

ଲାଫ୍ଟର-ଇନ୍‌ଡ୍ୟୁସ୍‌ଡ ସିନ୍‌କୋପ ବିଷୟରେ ଡା. ସୁଧୀର କହିଛନ୍ତି, ଏହା ବାସ୍ତବରେ ଏକ ବିରଳ ସ୍ଥିତି । ମାତ୍ରାଧିକ ହସ ଯେତେବେଳେ ଛାତିରେ ଚାପ ବଢ଼ାଏ, ହୃତ୍‌ପିଣ୍ଡକୁ ରକ୍ତ ପ୍ରବାହ ନିରନ୍ତର ପ୍ରଭାବିତ ହେବା ଯୋଗୁ ଏହି ସ୍ଥିତି ଉପୁଜିଥାଏ । ଏଥିଯୋଗୁ ହୃତ୍‌ସ୍ପନ୍ଦନ ହାର କମିଯାଏ, ରକ୍ତ ବାହିକା ଫୁଲିବାକୁ ଲାଗେ, ରକ୍ତଚାପ ହ୍ରାସପାଏ ଏବଂ ମସ୍ତିଷ୍କକୁ ରକ୍ତ ପ୍ରବାହରେ ସାମୟିକ ହ୍ରାସ ହୁଏ । ଫଳରେ ବ୍ୟକ୍ତି ଚେତାଶୂନ୍ୟ ହୋଇପଡ଼େ । କ୍ଲିଭ୍‌ଲ୍ୟାଣ୍ଡ କ୍ଲିନିକ୍‌ରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ, ସିନ୍‌କୋପ୍‌ ଚେତାଶୂନ୍ୟତାକୁ ମଧ୍ୟ ଦର୍ଶାଏ । ଏହା ସାଧାରଣତଃ ଏକ ଗମ୍ଭୀର ବିଷୟ ନୁହେଁ । ହୃତ୍‌ପିଣ୍ଡ ସମସ୍ୟା ଯୋଗୁ ଏହି ସ୍ଥିତି ନ ଉପୁଜିବା ପର୍ଯ୍ୟନ୍ତ ଏଥିପାଇଁ ଖାସ୍‌ ଚିକିତ୍ସା ଆବଶ୍ୟକ ନ ଥାଏ । ତେବେ ବାରମ୍ବାର ଚେତାଶୂନ୍ୟ ହେଲେ, ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍‌ ବୋଲି ଅଧ୍ୟୟନ ସ୍ପଷ୍ଟ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.