ପ୍ରମୂଖ ଖବର
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ସୁରମା ପାଢୀ, ସର୍ବସମ୍ମତି କ୍ରମେ ନିର୍ଦ୍ଵନ୍ଦରେ ନିର୍ବାଚିତ

ଭୁବନେଶ୍ଵର, ୨୦/୦୬ : ଓଡ଼ିଶା ବିଧାନସଭାରେ ଗୃହ ପରିଚାଳନା କରିବେ ଆଉ ଜଣେ ମହିଳା। ସପ୍ତାଦଶ ବିଧାନସଭାରେ ନୂଆ ବାଚସ୍ପତି ହେଲେ ବିଧାୟିକା ସୁରମା ପାଢୀ। ସେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହାକୁ ସମର୍ଥନ କରିଥିଲେ। ଏହାପରେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୁରମା ପାଢୀଙ୍କ ନାଁ ଘୋଷଣା କରିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧ ଦଳ ନେତାମାନେ ବାଚସ୍ପତିଙ୍କୁ ଆସନ ନିକଟକୁ ପାଛୋଟି ନେଇଥିଲେ। ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ସୁରମା ପାଢୀ କାମଚଳା ବାଚସ୍ପତିଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରି ଗୃହ ପରିଚାଳନା କରିଛନ୍ତି। ଗୃହରେ ତାଙ୍କୁ ମୁଖ୍ୟମନ୍ତ୍ରୀ, ୨ ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ଏବଂ କଂଗ୍ରେସ ବିଧାୟକ ଦଳ ସଦସ୍ୟ ଶୁଭେଚ୍ଛା ଜଣାଇଛନ୍ତି। 

ସୂଚନା ଥାଉକି, ବୁଧବାର ବିଜେପିର ବିଧାୟକ ଦଳ ବୈଠକରେ ସୁରମା ପାଢୀଙ୍କ ନାଁ ଘୋଷଣା ହୋଇଥିଲା। ମୁଖ୍ୟମନ୍ତ୍ରୀ ଓ ୨ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବାଚସ୍ପତି ପଦବୀ ନିମନ୍ତେ ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବାଚସ୍ପତି ପ୍ରାର୍ଥୀଙ୍କୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଲୋଚନା କରିଥିଲେ। ତେବେ ବିଧାନସଭାରେ ବିଜେପିର ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ଥିବାରୁ ସୁରମା ପାଢୀ ନିର୍ଦ୍ଵନ୍ଦରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ହେବା ପରେ ସୁରମା ପାଢୀ ହେଉଛନ୍ତି ଓଡ଼ିଶା ବିଧାନସଭାର ଦ୍ଵିତୀୟ ମହିଳା ବାଚସ୍ପତି। ତାଙ୍କ ପୂର୍ବରୁ ଗତ ସରକାରରେ ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଥିଲେ ବାଚସ୍ପତି।  

ସୁରମା ପାଢୀ ଜଣେ ଅଭିଜ୍ଞ ରାଜନୀତିଜ୍ଞ। ବିଜେଡି-ବିଜେପି ମେଣ୍ଟ ସରକାରରେ ସେ ସମବାୟ ରାଷ୍ଟ୍ରମନ୍ତ୍ରୀ ଥିଲେ। ବରିଷ୍ଠତା ଓ ଅନୁଭବ ଦୃଷ୍ଟିରୁ ବାଚସ୍ପତି ପଦବୀ ନିମନ୍ତେ ସୁରମାଙ୍କ ଉପରେ ଭରସା କରିଛି ଦଳ। ୧୯୬୦ ଡିସେମ୍ବର ୨୯ରେ ଗଞ୍ଜାମ ଜିଲ୍ଲା କନିସି ଅଞ୍ଚଳର ଶିହଳା ଗ୍ରାମରେ ସୁରମା ପାଢୀଙ୍କ ଜନ୍ମ। ଗାଁର ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିବା ପରେ ସେ ଭୁବନେଶ୍ୱର ୟୁନିଟ୍‌-୬ରେ ସ୍କୁଲ ଶିକ୍ଷା ଶେଷ କରିଥିଲେ। ୧୯୮୨ରେ ରେଭେନ୍‌ସା କଲେଜରୁ ହୋମ୍‌ସାଇନ୍ସରେ ପିଜି କରିଥିବା ବେଳେ ବାଣୀବିହାରରୁ ଏଲ୍‌ଏଲ୍‌ବି ପାସ୍‌ କରିଛନ୍ତି ସୁରମା। ଛାତ୍ର ଜୀବନରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଭ୍ୟା ଥିଲେ ସେ। ବ୍ରହ୍ମପୁର ପ୍ରେମନଗରର ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ବିପିନ ବିହାରୀ ପାଢ଼ୀଙ୍କୁ ବିବାହ କରିଛନ୍ତି ସୁରମା। ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସୁରମାଙ୍କ ବାପା  ହରିଶ୍ଚନ୍ଦ୍ର ପାଢ଼ୀ ଓ ମାଆ ଉର୍ମିଳା ପାଢ଼ୀଙ୍କ ପରଲୋକ ହୋଇଥିବା ବେଳେ ତାଙ୍କର ତିନି ଭଉଣୀ ଓ ଦୁଇ ଭାଇ ଅଛନ୍ତି।  

୨୦୦୩ ଜାନୁଆରୀ ୨ରେ ରଣପୁର ରାଜନୀତିରେ ପାଦ ଥାପିଥିଲେ ସୁରମା ପାଢୀ। ୨୦୦୪ରେ ହୋଇଥିଲେ ବିଧାୟିକା। ତେବେ ସେ ୨୦୦୦ ରୁ ୨୦୦୨ ଯାଏଁ ବିଜେପିର ଜାତୀୟ ମହିଳା ମୋର୍ଚ୍ଚାର ନେତୃତ୍ୱ ନେଇଥିଲେ। ରାଷ୍ଟ୍ରୀୟ ବିଜେପି କାର୍ଯ୍ୟକାରିଣୀ କମିଟିର ସଦସ୍ୟ ରହିବା ସହ କାଜୁ ନିଗମର ଅଧ୍ୟକ୍ଷା ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ୨୦୦୪ରେ ବିଜେଡି-ବିଜେପି ମେଣ୍ଟ ସରକାରରେ ସେ ଥିଲେ ସମବାୟ ରାଷ୍ଟ୍ରମନ୍ତ୍ରୀ। ରଣପୁର ବିଧାନସଭା ଆସନରୁ ସେ ୨୦୨୪ରେ ଦ୍ଵିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ତେବେ ଆନୁଷ୍ଠାନିକ ଭାବେ ନିର୍ବାଚିତ ଘୋଷଣା ପରେ ସୁରମା ପାଢୀ ହୋଇଛନ୍ତି ବିଧାନସଭାର ୨୨ତମ ବାଚସ୍ପତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.