ପ୍ରୟାଗରାଜ ୨୩/୦୨: ପ୍ରୟାଗରାଜ ମହାକୁମ୍ଭରେ ଏକ ଅଭାନବୀୟ ଘଟଣା ଘଟିଛି । ଦିଲ୍ଲୀ ନିବାସୀ ଅଶୋକ ବାଲ୍ମିକୀ ପତ୍ନୀ ମୀନାକ୍ଷୀଙ୍କୁ ମହାକୁମ୍ଭ ବୁଲାଇ ଆଣିବା ବାହାନାରେ ପ୍ରୟାଗରାଜ ଆଣି ଏକ ଲଜ୍ରେ ତାଙ୍କୁ ହତ୍ୟା କରିଛନ୍ତି । ଫେବ୍ରୁଆରୀ ୧୮ ତାରିଖରେ ଏହି ଅମାନୁଷିକ କାଣ୍ଡ ଘଟିଥିଲା । ପରଦିନ ମୀନାକ୍ଷୀଙ୍କ ଶବ ଲଜ୍ର ବାଥ୍ରୁମ୍ରୁ ମିଳିଥିଲା ।
ପୁଲିସ ଅନୁସାରେ, ଅଶୋକଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ବିବାହତ୍ତୋର ସମ୍ବନ୍ଧ ଥିଲା । ମୀନାକ୍ଷୀ ତାହା ଜାଣିବା ପରେ ତାକୁ ଲଗାତର ବିରୋଧ କରୁଥିଲେ । ସେଥିଯୋଗୁ ପ୍ରାୟ ସମୟରେ ଦମ୍ପତିଙ୍କ ମଧ୍ୟରେ କଳହ ହେଉଥିଲା । ଏହାପରେ ଉତ୍କ୍ଷିପ୍ତ ହୋଇ ଅଶୋକ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ । ସେ ଅନୁସାରେ ଅଶୋକ ମୀନାକ୍ଷୀଙ୍କୁ ନେଇ ଫେବ୍ରୁଆରୀ ୧୭ରେ ମହାକୁମ୍ଭ ଉଦ୍ଦେଶ୍ୟରେ ବାହାରିଥିଲେ । ସେଦିନ ରାତିରେ ସଙ୍ଗମରେ ବୁଡ଼ ପକାଇଥିଲେ ସେମାନେ । ଫେବ୍ରୁଆରୀ ୧୮ ତାରିଖରେ ଗୋଟିଏ ଲଜ୍ ଭଡ଼ାରେ ନେଇ ରହିଥିଲେ ପତି-ପତ୍ନୀ । ରାତିରେ ସେହି ଲଜ୍ରେ ପତ୍ନୀଙ୍କର ତଣ୍ଟି କାଟି ହତ୍ୟା କରିଥିଲେ ଅଶୋକ । ଏହାପରେ ରକ୍ତଲଗା ଛୁରିକୁ ଏକ ବ୍ୟାଗ୍ରେ ନେଇ ଫେରାର ହୋଇଯାଇଥିଲେ ।
ପତ୍ନୀ କୁମ୍ଭ ମେଳାରେ ହଜିଯାଇଥିବା ସେ ପରିବାର ଲୋକଙ୍କୁ କହିଥିଲେ । ଏହାପରେ ତାଙ୍କ ପୁଅ ଅଶ୍ୱିନ ମା’ଙ୍କୁ ଖୋଜିବାକୁ ପ୍ରୟାଗରାଜ ଆସିଥିଲେ । ଅଶ୍ୱିନ ପ୍ରୟାଗରାଜ ଜଙ୍କସନ୍ ପୁଲିସ ସହିତ ଯୋଗାଯୋଗ କରିବାରୁ ପୁଲିସ ଫେବ୍ରୁଆରୀ ୧୯ରେ ଏକ ଲଜ୍ରୁ ମିଳିଥିବା ମହିଳାଙ୍କର ମୃତଦେହ ତାଙ୍କୁ ଦେଖାଇଥିଲା । ଏହାପରେ ଅଶୋକଙ୍କ ଉପରେ ପୁଲିସର ସନ୍ଦେହ ବଢ଼ିଥିଲା । ପୁଅ ମାଧ୍ୟମରେ ଅଶୋକଙ୍କୁ ଡକାଇ ତାଙ୍କୁ ଗିରଫ କରିଛି ପୁଲିସ ।