ନୂଆଦିଲ୍ଲୀ : ଦିଲ୍ଲୀର ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ରୂପକ ଉପହାର ଖୁବ୍ ଶୀଘ୍ର ମିଳିପାରେ। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମହିଳା ସମୃଦ୍ଧି ଯୋଜନାକୁ ନେଇ ଖୁବ୍ ତତ୍ପର ହୋଇ ଏହି ଦିଗରେ ପାଦ ବଢାଇଛନ୍ତି। ଏକ ବୈଠକରେ ଏହି ଯୋଜନାକୁ ନେଇ ଅଧିକାରୀଙ୍କୁ ଅନେକ ନିର୍ଦ୍ଦେଶ ଦିଆ ଯାଇଛି। ଦିଲ୍ଲୀର ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଓ ତାଙ୍କର ମନ୍ତ୍ରୀମାନେ ଶନିବାର ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ବୈଠକରେ ବଜେଟ୍ ପ୍ରସ୍ତୁତ କରିବା ଓ ମହିଳା ସମୃଦ୍ଧି ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇଛି।
ମହିଳା ସମୃଦ୍ଧି ଯୋଜନା ଅନୁସାରେ, ବିଜେପି ଦିଲ୍ଲୀର ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଦେବାର ନିର୍ବାଚନୀ ପ୍ରତିଶ୍ରୁତି ଦେଇଛି। ଏକ ସୂତ୍ରାନୁସାରେ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ମହିଳା ସମୃଦ୍ଧି ଯୋଜନାର ଲାଭ କେମିତି ଦିଆଯିବ , ଏଥିପାଇଁ ପାତ୍ରତା ମାନଦଣ୍ଡ ପ୍ରସ୍ତୁତି ନେଇ କହିଛନ୍ତି। ଏହାସହ ଅନ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇ ଥିବା ଏହିପରି ଯୋଜନା ଗୁଡ଼ିକର ତୁଳନାତ୍ମକ ଅଧ୍ୟୟନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଅଧିକାରୀଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ସରକାରର ବଜେଟ୍ର ସୂଚନା ଦିଆଯାଇଛି। ଏହି କଥା ଉପରେ ଜୋର ଦିଆ ଯାଇଥିଲା ଯେ, ଲୋକଙ୍କୁ ସର୍ବାଧିକ ଲାଭ ପହଞ୍ଚାଇବା ପାଇଁ ଅର୍ଥର କୁଶଳତାପୂର୍ବକ ବ୍ୟବହାର କରାଯିବା ଉଚିତ୍। ବୈଠକରେ ସଡ଼କ , ଫ୍ଲାଇଓଭର ଗୁଡ଼ିକର ମରାମତି ଓ ସଫାଇ ତଥା ବର୍ଷା ପାଗରେ ଜଳାର୍ଣ୍ଣବକୁ ରୋକିବାର ଯୋଜନା ଭଳି ଅନ୍ୟ ମାମଲା ଉପରେ ବି ଆଲୋଚନା କରାଯାଇଛି।
ବିରୋଧୀ ଆମ୍ ଆଦମୀ ପାର୍ଟି କ୍ଷମତାସୀନ ବିଜେପି ଉପରେ ,ପ୍ରଥମ କ୍ୟାବିନେଟ୍ ବୈଠକରେ ମହିଳା ସମୃଦ୍ଧି ଯୋଜନାକୁ ପାରିତ ନକରିବାକୁ ନେଇ ଅଭିଯୋଗ ଲଗେଇଛି। ପୂର୍ବ ମୁଖ୍ୟମନ୍ତ୍ରୀ ଆତିଶୀ ସିଏମ୍ ରେଖା ଗୁପ୍ତାଙ୍କୁ ଚିଠି ଲେଖି ଏହି ମାମଲାରେ ଆପ୍ ବିଧାୟକଙ୍କ ସହ ତାଙ୍କୁ ଭେଟିବାକୁ ସମୟ ମାଗିଛନ୍ତି।
ଏହି ମଧ୍ୟରେ ପିଡବ୍ଲ୍ୟୁ ମନ୍ତ୍ରୀ ପ୍ରବେଶ ବର୍ମା ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ଏବେସୁଦ୍ଧା ମିଣ୍ଟୋ ରୋଡ୍ ଅଣ୍ଡରପାସ୍ ଓ ପୁଲ ପ୍ରହଲାଦ ଭଳି ପାଖାପାଖି ଦୁଇ ଡର୍ଜନ ଜଳାଶୟ ସ୍ଥାନକୁ ଚିହ୍ନଟ କରାଯାଇଛି। ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ସହରରେ ଚାଲୁଥିବା ପ୍ରକଳ୍ପ ଗୁଡ଼ିକର ପ୍ରଗତିର ଆକଳନ କରିବା ପାଇଁ ଫିଲ୍ଡ ଗସ୍ତ କରିଛନ୍ତି।
ଗୃହ, ଶିକ୍ଷା ଓ ସହରୀ ବିକାଶ ମନ୍ତ୍ରୀ ଆଶୀଷ ସୁଦ ନିଜର ବିଭାଗ ଗୁଡ଼ିକର କାର୍ଯ୍ୟଭାର ସମ୍ଭାଳିଛନ୍ତି ଏବଂ ସମ୍ୱନ୍ଧିତ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ।