ନୂଆଦିଲ୍ଲୀ,୨୩/୦୨: ଏପିଜେ ଅବଦୁଲ କଲାମ କହିଥିଲେ ଯଦି ତୁମେ ସୂର୍ଯ୍ୟଙ୍କ ପରି ଚମକିବାକୁ ଚାହଁ ତେବେ ତୁମକୁ ପ୍ରଥମେ ସୂର୍ଯ୍ୟଙ୍କ ପରି ଜଳିବାକୁ ପଡିବ । ଆଉ ସଫଳତା ତାହାକୁ କୁହାଯାଏ ଯେବେ ସିଗ୍ନେଚର ଅଟୋଗ୍ରାଫରେ ପରିଣତ ହୁଏ । ମଜଭୁତ ଇଚ୍ଛାଶକ୍ତି ଥିବା ବ୍ୟକ୍ତି କେବେ ବାହାନା ବନାନ୍ତି ନାହିଁ ରାସ୍ତା ଖୋଜନ୍ତି । ପରିଶ୍ରମ ବଳରେ ଆଗକୁ ବଢନ୍ତି । ବେଳେବେଳେ ଆମେ ଏମିତି ଏକ ସଫଳ କାହାଣୀ ଦେଖୁ ଯାହାକୁ ସାଲ୍ୟୁଟ କରିବାକୁ ହାତ ଉଠିଯାଏ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ଝିଅଙ୍କ କଥା କହିବୁ ଯିଏକି ତାଙ୍କ ଲକ୍ଷ୍ୟ ପଥରେ ଆସିଥିବା ସବୁ ସମସ୍ୟାକୁ ହରାଇ ସଫଳ ହୋଇଛନ୍ତି । ଦୃଢ ଇଚ୍ଛାଶକ୍ତି ବଳରେ ଆଇଏଏସ ଅଫିସର ହୋଇଛନ୍ତି ରାଜସ୍ଥାନର ସୁନା ଝିଅ ଦିପେଶ କୁମାରୀ....ଆସନ୍ତୁ ଜାଣିବା କେମିତି ଥିଲା ତାଙ୍କ ସଫଳତା ଯାତ୍ରା ।
ରାଜସ୍ଥାନର ଭରତପୁରର ଦୀପେଶ କୁମାରୀ । ସେ ୫ ଭାଇ ଭଉଣୀ । ଛୋଟ ଘରେ ବଡ ସ୍ବପ୍ନ ଦେଖୁଥିବା ଦୀପେଶଙ୍କ ବାପା ଗୋବିନ୍ଦ ପ୍ରସାଦ ଚାଟ୍-ପକୁଡି ଠେଲା ଚଲାନ୍ତି । ୨୫ ବର୍ଷ ହେବ ଦୀପେଶଙ୍କ ବାପା ଏହି କାମ କରି ପରିବାର ଚଳାଇ ଆସୁଛନ୍ତି । ଚାଟ୍-ପକୁଡି ବିକ୍ରିରେ ଯେତିକି ରୋଜଗାର ହୁଏ ସେଥିରେ ପରିବାର ଚଳେ । ୭ ପ୍ରାଣୀଙ୍କ ପେଟକୁ ଦାନା ଯୋଗାନ୍ତି ଦୀପେଶଙ୍କ ବାପା । ୫ ପିଲାଙ୍କୁ ମଣିଷ କରିବାକୁ ସ୍ବଳ୍ପ ରୋଜଗାରରେ ସ୍ବପ୍ନ ଦେଖିଥିଲେ ଗୋବିନ୍ଦ । ଆଉ ତାଙ୍କ ସ୍ବପ୍ନକୁ ସାକାର କରିଛନ୍ତି ଝିଅ ଦୀପେଶ କୁମାରୀ । କଠିନ ପରିଶ୍ରମ କରି ୟୁପିଏସସି ପରୀକ୍ଷାରେ ୯୩ତମ ରାଙ୍କ ରଖି ସଫଳ ହୋଇଛନ୍ତି । ଆଉ ଜଣେ ଚାଟ୍-ପକୁଡି ବିକାଳୀଙ୍କ ଝିଅ ଆଇଏଏସ ଅଫିସର ବନିଗଲେ । ଖାଲି ଦୀପେଶ ନୁହନ୍ତି ତାଙ୍କ ଅନ୍ୟ ଭାଇଭଉଣୀ ମଧ୍ୟ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି । ଦୁଇ ଜଣ ଏମବିବିଏସ ପଢୁଥିବାବେଳେ ଜଣେ ଭଉଣୀ ଚିକିତ୍ସକ ଅଛନ୍ତି ।
ଅଧିକ ପଢନ୍ତୁ...ବାପା ନିଖୋଜ ମା' ଅସୁସ୍ଥ ; ହାରି ନାହାନ୍ତି, ସଫଳତାର କାହାଣୀ ଲେଖିଲେ ରିକ୍ସା ଚାଳକଙ୍କ ନାତି
ଆଜି ବି ଠେଲା ଲଗାନ୍ତି ଦୀପେଶଙ୍କ ବାପା- ଗୋବିନ୍ଦଙ୍କ ଘରେ ଆର୍ଥିକ ଅନ୍ଧକାର ଥିଲା ସତ... ହେଲେ ତାଙ୍କ ପିଲାମାନଙ୍କ ମଧ୍ୟରେ ଆଶାର କିରଣ ଦେଖୁଥିଲେ ସେ । ତାଙ୍କର ଏହି ଆଶା ସ୍ବପ୍ନ ସତ ହୋଇଛି । ଦୀପେଶ କୁମାରୀ ସବୁ ପରିସ୍ଥିତିକୁ ହରାଇ କଠିନ ପରୀକ୍ଷା ୟୁପିଏସସିରେ ୯୩ତମ ରାଙ୍କ ହାସଲ କରିଛନ୍ତି । ଝିଅର ସଫଳତାରେ ଗର୍ବ କରନ୍ତି ଗୋବିନ୍ଦ । ହେଲେ ସେ ଖୁବ୍ ସ୍ବାଭିମାନୀ । ଝିଅ ଅଫିସର ହେବା ପରେ ବି ସେ ତାଙ୍କ କାମ ଛାଡି ନାହାନ୍ତି । ଆଜି ବି ସେ ସମାନ୍ ଭାବେ ଚାଟ୍-ପକୁଡି ଠେଲା ଲଗାନ୍ତି । ରାତି ପାହିଲେ ଠେଲା ନେଇ ଘରୁ ବାହାରି ଯାଆନ୍ତି ଗୋବିନ୍ଦ । ବାସ୍ତବରେ ୟୁପିଏସସି ପ୍ରସ୍ତୁତି କରୁଥିବା ଆଶାୟୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଦୀପେଶ । ସଫଳତା ଓ ସ୍ବାଭିମାନର ଏ କାହାଣୀ ଅନେକଙ୍କ ପାଇଁ ଉଦାହାରଣ ପାଲଟିଛି ।