ପ୍ରୟାଗରାଜ ୨୩/୦୨: ମହାକୁମ୍ଭରେ ଗଙ୍ଗା ଜଳର ଶୁଦ୍ଧତାକୁ ନେଇ ବିବାଦ ଚାଲିଛି । ଏହି କ୍ରମରେ ଶିଲ୍ଡ-ଇଣ୍ଡିଆର ପ୍ରତିଷ୍ଠାତା ନମନବୀର ସିଂହ ଲିଙ୍କ୍ଡଇନ୍ ପୋଷ୍ଟ୍ ମାଧ୍ୟମରେ ଏକ ନୂଆ ମାମଲା ସାମ୍ନାକୁ ଆଣିଛନ୍ତି । ଅନ୍ଲାଇନ୍ ବିକ୍ରି କରାଯାଉଥିବା ମହାକୁମ୍ଭର ପବିତ୍ର ଜଳର ପ୍ରାମାଣିକତା ଓ ମୂଲ୍ୟ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି । ମହାକୁମ୍ଭର ସଙ୍ଗମ ଗଙ୍ଗାଜଳକୁ ବ୍ଲିଙ୍କିଟ୍ ୬୯ ଟଙ୍କାରେ ବିକ୍ରି କରିବା ଉପରେ ନମନବୀର ସିଂହ ପ୍ରଶ୍ନ ଉଠାଇଛନ୍ତି । ଆସ୍ଥାର ବ୍ୟବସାୟୀକରଣ ଉପରେ ସେ ଚିନ୍ତା ପ୍ରକଟ କରିଛନ୍ତି । ସିଂହ ନିଜ ପୋଷ୍ଟ୍ରେ ଏହି ଉତ୍ପାଦ ପଛର ଆର୍ଥିକ ମାମଲାକୁ ବୁଝାଇଛନ୍ତି ଏବଂ ଜଳର ପ୍ରାମାଣିକତାର ଯାଞ୍ଚ୍ ପ୍ରାୟତଃ ଅସମ୍ଭବ ବୋଲି ମଧ୍ୟ ଦର୍ଶାଇଛନ୍ତି ।
ସେ ଲେଖିଛନ୍ତି, ଏହି ଜଳ ପ୍ରକୃତ ସଙ୍ଗମରୁ ଆସୁଛି ବୋଲି ପ୍ରମାଣ କରିବାର କୌଣସି ଉପାୟ ନାହିଁ । ଏହା ଉଦ୍ୟୋଗର ଗୁପ୍ତ ତରିକା । ସାଧାରଣ ପାଣିରେ ଗୋଟିଏ ବୁନ୍ଦା ସଙ୍ଗମ ଜଳ ମିଶାଇ ସମଗ୍ର ଉତ୍ପାଦକୁ ପବିତ୍ର କହି ପ୍ରଚାର କରାଯାଉଥିବା ସେ କହିଛନ୍ତି । ଏହି ଟ୍ରିକ୍ ଗଙ୍ଗା ଜଳ ସହ ବ୍ୟାପକ ଭାବେ ପ୍ରୟୋଗ କରାଯାଉଛି । ଏବେ ସମାନ ତରିକା ସଙ୍ଗମ ଜଳ ସହିତ ହେଉଛି । ସଙ୍ଗମ ଜଳ ସଂଗ୍ରହରେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ନାହିଁ । ଯେ କେହି ବୋତଲରେ ସଙ୍ଗମରୁ ଜଳ ଆଣି ପାରିବେ । ଗୋଟିଏ ବୋତଲ ସଙ୍ଗମ ଜଳକୁ ସମଗ୍ର ଉତ୍ପାଦରେ ମିଶାଇ ସଙ୍ଗମ ଜଳ ରୂପେ ଚଢ଼ା ମୂଲ୍ୟରେ ବିକ୍ରି କରାଯାଉଛି ।
ଏଥିସହ ସିଂହ ଅନ୍ୟ ପାଣି ବୋତଲ ସହ ଏହାକୁ ତୁଳନା କରିଛନ୍ତି । ୧ ଲିଟର ବିସ୍ଲେରି ପାଣି ବୋତଲର ମୂଲ୍ୟ ୨୦ ଟଙ୍କା । କିନ୍ତୁ ବ୍ଲିଙ୍କିଟ୍ର ମାତ୍ର ୧୦୦ ଏମ୍ଏଲ୍ ସଙ୍ଗମ ଜଳ ୯୯ ଟଙ୍କାରେ ବିକ୍ରି ହେଉଛି । ଏହାକୁ ଯଦି ୧ ଲକ୍ଷ ଶ୍ରଦ୍ଧାଳୁଙ୍କୁ ବିକ୍ରି କରାଯାଏ, ତେବେ ଏଥିରୁ ପ୍ରାୟ ୧ କୋଟି ଟଙ୍କା ଲାଭ ମିଳିପାରିବ । ଲୋକଙ୍କ ଆସ୍ଥା ଓ ବିଶ୍ୱାସର ଶୋଷଣ ଜରିଆରେ ବ୍ୟବସାୟ କରି ବ୍ୟାପକ ଲାଭ କରାଯାଇ ପାରିବ ବୋଲି ସେ କହିଛନ୍ତି । ସିଂହଙ୍କ ପୋଷ୍ଟ୍ ଆସ୍ଥାର ବ୍ୟବସାୟକୁ ନେଇ ବ୍ୟାପକ ବିତର୍କର ମାର୍ଗ ଖୋଲିଛି । ଏ ନେଇ କମ୍ପାନିମାନେ ଦାବି କରୁଛନ୍ତି ଯେ ସେମାନେ ଆଧ୍ୟାତ୍ମିକ ଅନୁଭବକୁ ଆହୁରି ସୁଲଭ କରୁଛନ୍ତି । ଅନ୍ୟପକ୍ଷେ, କିଛି ଲୋକ ଧାର୍ମିକ ଭାବନାରୁ ଲାଭାନ୍ୱିତ ହେବା ପଛର ନୈତିକତା ଉପରେ ପ୍ରଶ୍ନ କରୁଛନ୍ତି ।