କଲମ୍ବୋ: ଭାରତୀୟ ବ୍ୟାଟରଙ୍କୁ ପାଣି ପିଆଇଲେ ଶ୍ରୀଲଙ୍କା ବୋଲର । ୨୩୧ ରନ୍ କରିପାରିଲା ନାହିଁ ରୋହିତ ବାହିନୀ । ୨୩୦ ରନ୍ରେ ଭାରତୀୟ ଦଳ ଅଲଆଉଟ ହୋଇଥିବା ବେଳେ ମ୍ୟାଚ୍ ଟାଇ ହୋଇଛି । ଶ୍ରୀଲଙ୍କା ବନାମ ଭାରତ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଟାଇ ରହିଛି । କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତୀୟ ଟିମ୍ ନିରାଶଜନକ ପ୍ରଦର୍ଶନ କରିଛି । ଅଧିନାୟକ ରୋହିତ ଶର୍ମା ୫୮ ରନ୍ କରିଥିବା ବେଳେ ବିରାଟ କୋହଲି ୨୫ ଏବଂ ଶୁଭମନ ଗିଲ ୧୬ ରନ୍ କରି ଆଉଟ ହୋଇଥିଲେ ।
ଏହା ବ୍ୟତୀତ ଓ୍ବାଶିଂଟନ ସୁନ୍ଦର (୫), ଶ୍ରେୟସ ଆୟର (୨୩), କେଏଲ ରାହୁଲ (୩୧), ଅକ୍ଷର ପଟେଲ (୩୩), ଶିବମ ଦୁବେ (୨୫), କୁଲଦୀପ ଯାଦବ(୨) ମହମ୍ମଦ ସିରାଜ(୫*) ଏବଂ ଅର୍ଶଦୀପ ସିଂହ (୦) ସହ ଟିମ୍ ୨୩୦ରେ ଅଲଆଉଟ ହୋଇଛି । ୪୭.୫ ବଲ୍ରେ ଭାରତୀୟ କ୍ରିକେଟ ଟିମ୍ ଅଲଆଉଟ ହୋଇଥିବା ବେଳେ ମ୍ୟାଚ୍ ଅମିମାଂସିତ ରହିଛି ।
ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲେ ହେଁ ୫୦ ଓଭରରେ ୮ ଓ୍ବିକେଟରେ ୨୩୦ ରନ୍ କରିଥିଲା । ୨୩୧ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ରୋହିତ ବାହିନୀ । ହେଲେ ଶ୍ରୀଲଙ୍କା ବୋଲରଙ୍କ ଆଗରେ ଭାରତୀୟ ଟିମ୍ ଝୁଣ୍ଟି ଝୁଣ୍ଟି ଆଗକୁ ବଢ଼ିଥିଲା । ଶେଷରେ ଟିମ୍ ୨୩୦ ରନ୍ କରି ମ୍ୟାଚ୍କୁ ଟାଇ ରଖିବାରେ ସକ୍ଷମ ହୋଇଛି । ଶ୍ରୀଲଙ୍କାର ଚରିଥ ଆଶାଲାଙ୍କା ଏବଂ ଓ୍ବାନିନ୍ଦୁ ହାସରଙ୍ଗା ୩ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି ।