ପୁରୀ,୦୮/୦୮: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଖୋର୍ଦ୍ଧା ଜିଲ୍ଲାରେ ଥିବା ୧୯ଟି ଖଣିରୁ ମନଇଛା ଖଣିଜ ଦ୍ରବ୍ୟ ଖୋଳି ନେଇଛନ୍ତି ଲିଜ୍ଧାରୀ । ଏହା ଜାଣିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୯ଟି ଖଣି ଲିଜ୍ଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ସହ ପ୍ରାୟ ୨୫ କୋଟି ଟଙ୍କା ଜରିମାନା କରାଯାଇଛି । ୭ ଦିନ ଭିତରେ କାରଣ ଦର୍ଶାଅ ନୋଟିସ୍ର ଜବାବ ଦାଖଲ କରିବା ସହ ଜରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶନାମା ଜାରି କରିଥିବା ଜଣାପଡ଼ିଛି ।
ମୋଟ ୧୯ଟି ଖଣି ମଧ୍ୟରୁ ୧୭ଟି ନିର୍ମାଣ ପଥର ଖଣି ଏବଂ ୨ଟି ମାଙ୍କଡ଼ା ପଥର ଖଣି ରହିଛି । ଧାର୍ଯ୍ୟ ଅନୁମୋଦିତ ପରିମାଣଠାରୁ ଅଧିକ ଖଣିଜ ପଥର ଉତ୍ତୋଳନ କରାଯାଇଥିବାରୁ ଓଡ଼ିଶା ଲଘୁ ଖଣିଜ ଆଇନ୍-୨୦୧୬ ଅନୁସାରେ ଲିଜ୍ଧାରୀମାନଙ୍କୁ ଏହି କାରଣ ଦର୍ଶାଅ ନୋଟିସ୍ କରାଯାଇଛି । ଆସନ୍ତା ୭ ଦିନ ମଧ୍ୟରେ ରୟାଲଟି, ଆନୁସଙ୍ଗିକ ଦେୟ ଏବଂ ଅଧିକ ଉତ୍ତୋଳନ ପାଇଁ ଜରିମାନାର ମୂଲ୍ୟ ଦାଖଲ କରିବାକୁ ନୋଟିସ୍ରେ ଉଲ୍ଲେଖ କରାଯାଇଛି । ସେହିପରି କେଉଁ ପରିସ୍ଥିତିରେ ଏଭଳି ବ୍ୟତିକ୍ରମ ହେଲା, ସେନେଇ ମଧ୍ୟ ଲିଖିତ କୈଫିୟତ ଦାଖଲ କରିବାକୁ ନୋଟିସ୍ରେ କୁହାଯାଇଛି । ୨୦୨୨-୨୩ ବର୍ଷରେ ହୋଇଥିବା ସର୍ଭେ ରିପୋର୍ଟରେ ଧାର୍ଯ୍ୟ ଅନୁମୋଦିତ ପରିମାଣଠାରୁ ଖଣିଜ ଲିଜଧାରୀମାନେ ଅଧିକ ପଥର ଉତ୍ତୋଳନ କରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜାଣିବା ପରେ ଏଭଳି କଠୋର ପଦକ୍ଷେପ ନେଇଛନ୍ତି ।
ନୋଟିସ୍ର ଉତ୍ତର ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଜାରି କରାଯାଇଥିବା ନୋଟିସ୍ର ଖିଲାପ କଲେ, ଖଣିର ଚୁକ୍ତିପତ୍ର ରଦ୍ଦ କରାଯିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ ପୁରୀଙ୍କ ସମସ୍ତ ଭୂ-ସମ୍ପତ୍ତିର ସୁରକ୍ଷା କରାଯିବ ବୋଲି ମୁଖ୍ୟ ପ୍ରଶାସକ ନୋଟିସ୍ରେ କଡ଼ା ଶବ୍ଦରେ ସତର୍କ କରାଇ ଦେଇଛନ୍ତି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଥାଉକି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଲିକାନାରେ ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୧୦୦ ପାହାଡ଼ ବା ଖଣି ରହିଛି । ଯାହା ଭିତରୁ ୪୨ଟି ଖଣି ଲିଜ୍ ଦିଆଯାଇଛି । ଯେଉଁଥିରୁ ଶ୍ରୀମନ୍ଦିର ପ୍ରଶାସନ ବାର୍ଷିକ ୨୫ କୋଟିରୁ ଅଧିକ ଟଙ୍କା ରାଜସ୍ୱ ପାଇଛି । ମୋଟ ୧୦୦ଟି ଖଣି ମଧ୍ୟରୁ ୭୨ଟି ନିର୍ମାଣ କାର୍ଯ୍ୟ ଉପଯୋଗୀ ପଥର ଖଣି । ଏହାବାଦ୍ ୨୬ଟି ମାଙ୍କଡ଼ା ପଥର ଖଣି ଓ ୨ଟି ଖଣ୍ଡୋଲାଇଟ୍ ପଥର ଖଣି ରହିଛି ।