ନୂଆଦିଲ୍ଲୀ ୧୩/୯: ଗାଡିରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଏୟାରବ୍ୟାଗ୍ ସଂଖ୍ୟା ବଢାଇବାକୁ ନେଇ ଅନେକ ସମୟ ଧରି ଚର୍ଚ୍ଚା ହେଉଥିଲା । ଗତ ରିପୋର୍ଟ ଅନୁସାରେ ଆଗାମୀ ଅକ୍ଟୋବର ମାସରେ ଦେଶରେ ବିକ୍ରି ହେଉଥିବା ସମସ୍ତ କାରରେ ୬ ଏୟାରବ୍ୟାଗ୍ ବାଧ୍ୟତାମୂଳକ କରାଯିବା ଖବର ଥିଲା । କିନ୍ତୁ ଆଜି କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଏକ କାର୍ଯ୍ୟକ୍ରମରେ କହିଛନ୍ତି କି ଚଳିତ ବର୍ଷ ପ୍ରାରମ୍ଭରେ ନୂଆ କ୍ରାଶ୍ ଟେଷ୍ଟ ନିୟମ ଲାଗୁ ହେବା ପରଠୁ ସରକାର ଭାରତରେ ଯାତ୍ରୀ କାର୍ ପାଇଁ ୬ ଏୟାରବ୍ୟାଗ୍ ସୁରକ୍ଷା ନିୟମକୁ ବାଧ୍ୟତାମୂଳକ କରିବେନି ।
ଅଟୋମେଟିଭ୍ କମ୍ପୋନେଣ୍ଟ ମାନୁଫ୍ୟାକ୍ଚର୍ସ ଆସୋସିଏସନର ବାର୍ଷିକ ବୈଠକ ସମୟରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି କି ସରକାର ‘କାର୍ ପାଇଁ ୬ ଏୟାରବ୍ୟାଗ୍ ନିୟମକୁ ବାଧ୍ୟତାମୂଳକ କରିବେନି ।’ ସେ କହିଛନ୍ତି କି ଦେଶରେ ଅନେକ ଗାଡି ନିର୍ମାତା କମ୍ପାନୀମାନେ ଅଛନ୍ତି ଯେଉଁମାନେ ପୂର୍ବରୁ ୬ ଏୟାରବ୍ୟାଗ୍ ଦେଉଛନ୍ତି ଏବଂ କମ୍ପାନୀମାନେ ସେହି କାରର ବିଜ୍ଞାପନ ମଧ୍ୟ କରୁଛନ୍ତି । ଏଭଳି କ୍ଷେତ୍ରରେ ୬ ଏୟାରବ୍ୟାଗ୍ ବାଧ୍ୟତାମୂଳକ କରାଯିବା ଆବଶ୍ୟକ ନାହିଁ ।
ନୀତିନ ଗଡକରୀ କହିଛନ୍ତି କି ଦେଶର ଅଟୋ ସେକ୍ଟର ତୀବ୍ର ଗତିରେ ବଢୁଛି । ଭାରତ ନିକଟରେ ଜାପାନକୁ ପଛରେ ପକାଇ ତୃତୀୟ ସବୁଠାରୁ ବଡ ଅଟୋ ବଜାର ପାଲଟିଛି । ଏଭଳି କ୍ଷେତ୍ରରେ ଗାଡିରେ ନୂଆ ଟେକନିକକୁ ନେଇ କମ୍ପିଟିସନ୍ ମଧ୍ୟ ବଢୁଛି । ଗାଡି ମାଲିକ ମଧ୍ୟ ନୂଆ ଟେକନିକ୍ ଏବଂ ଫିଚର୍ସକୁ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ଆମେ ଏହାକୁ ବାଧ୍ୟତାମୂଳକ କରିବୁନି ।