ପୁରୀ,୧୦/୦୩ ଫଗୁ ଦଶମୀ ଅବସରରେ ରବିବାର ଶ୍ରୀମନ୍ଦିରରେ ଦୋଳୋତ୍ସବର ଶୁଭାରମ୍ଭ ହୋଇଛି । ରତ୍ନସିଂହାସନରେ ଶ୍ରୀବିଗ୍ରହଙ୍କ ଚାଚେରୀ ବେଶ ଅନୁଷ୍ଠିତ ହୋଇଥିଲା । ଶ୍ରୀପଦରୁ ତ୍ରିମୁଣ୍ଡି ଲାଲ୍ ବସ୍ତ୍ରରେ ସୁଶୋଭିତ ହୋଇଥିଲେ ଦାରୁଦିଅଁ । ଲାଗି ହୋଇଥିଲେ ବହୁମୂଲ୍ୟ ଅଳଙ୍କାର । ବେଶରେ ଥାଇ ଠାକୁରଙ୍କୁ ଝିମିରି ଫଗୁ ଲାଗି କରାଯାଇଥିଲା । ଏଥିସହ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଜଗନ୍ନାଥବଲ୍ଲଭ ମଠରେ ବିଜେ ହୋଇ ଦୋଳୋତ୍ସବ ନୀତି ସମ୍ପନ୍ନ ହୋଇଥିଲା । ଦିଅଁ ବିଜେ ସମୟରେ ବଡ଼ଦାଣ୍ଡରେ ପୁଷ୍ପ ବୃଷ୍ଟି କରାଯାଉଥିବାର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଶ୍ରୀମନ୍ଦିର ରୀତିନୀତି କ୍ରମେ ପାଳିଆ । ସିଂହାରୀ ତଥା ପୁଷ୍ପାଳକ ସେବକମାନେ ଶ୍ରୀବିଗ୍ରହଙ୍କୁ ବେଶ କରିଥିଲେ । ପୂଜାପଣ୍ଡା ସାମନ୍ତ ଚାଚେରୀ ଭୋଗ କରିଥିଲେ । ପରେ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ଘଣ୍ଟ ଛତା ଓ କାହାଳି ସହ ଚନ୍ଦନ ଓ ଫଗୁ ହସ୍ତରେ ଆଣି ତିନି ବାଡ଼ରେ ଲାଗି ସହ ବନ୍ଦାପନା କରିଥିଲେ । ମୁଦିରସ୍ତ ସେବକ ରତ୍ନସିଂହାସନ ତଳେ ଥାଇ ତିନି ବାଡ଼ରେ ଝିମିରି ଫଗୁ ଅଞ୍ଜଳି କରିଥିଲେ ।
ଏଥିସହ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀଙ୍କ ସମେତ ତିନି ଠାକୁରଙ୍କୁ ଚାଚେରୀ ବେଶରେ ସୁଶୋଭିତ କରାଯାଇଥିଲା । ସେଠାରେ ଫଗୁ, ଚନ୍ଦନ, ପ୍ରସାଦ ଲାଗି ହୋଇ ବନ୍ଦାପନା ଓ ଆଲଟ ଚାମର ନୀତି ବଢ଼ିଥିଲା । ପରମ୍ପରାକ୍ରମେ ତିନି ଠାକୁରଙ୍କ ପ୍ରଭା ଉପରକୁ ଫଗୁ ଫିଙ୍ଗାଯାଇଥିଲା । ପରେ ସୁସଜ୍ଜିତ ବିମାନରେ ଠାକୁରଙ୍କୁ ନେଇ ବିମାନବଡ଼ୁ ସେବକ ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ବଲ୍ଲଭ ମଠରେ ପହଞ୍ଚିଲେ । ସେଠାରେ ଦିଅଁଙ୍କ ଫଗୁ ଅଞ୍ଜଳି, ପ୍ରସାଦ ଲାଗି, ବନ୍ଦାପନା, ଚାମର ଓ ପନ୍ତି ଭୋଗ ନୀତି ସମ୍ପନ୍ନ ହେଲା । ଏହି ଅବସରରେ ଭଗବାନଙ୍କ ଲାଗି ଫଗୁ ଆଣି ଭକ୍ତମାନେ ନିଜ ଅଙ୍ଗରେ ଲଗାଇ ଭଗବତ୍ କୃପା ଲାଭ କରିଥିଲେ ।
ମଠ ନୀତି ସମ୍ପନ୍ନ ପରେ ଠାକୁର ଠାକୁରାଣୀ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଦଶମୀ ତିଥିଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଚାଚେରୀ ବେଶ ଅନୁଷ୍ଠିତ ହେବ । ଠାକୁରେ ଜଗନ୍ନାଥ ବଲ୍ଲଭ ମଠକୁ ଯାତ୍ରା କରି ଦୋଳ ଯାତ୍ରା ବିଧି ପାଳନ ହେବ ।