ଜଗତସିଂହପୁର,୧୦/୦୩: ଅଣଶୁଦ୍ଧିଆ ହୋଇଥିବାରୁ ଶ୍ରେଣୀଗୃହ ଭିତରକୁ ପୂରାଇ  ଦିଆଗଲା ନାହିଁ । ଶ୍ରେଣୀ ବାହାରେ ବସି  ପାଠ ପଢ଼ିଲେ ପିଲା । ପ୍ରଧାନଶିକ୍ଷକଙ୍କ ଛୁଆଁ ଅଛୁଆଁ ମନୋଭାବରୁ ଏଭଳି ମାନସିକ ଦଣ୍ଡ  ମିଳିଛି ବାଲିକୁଦା ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ  ନାଗପୁର କ୍ଲଷ୍ଟର ଠାକୁରପାଟଣା ପ୍ରାଥମିକ  ବିଦ୍ୟାଳୟରେ । 

ପରିବାରରେ ଅଶୌଚ  (ଅଣଶୁଦ୍ଧିଆ) ଚାଲିଥିବାରୁ ୩ ଜଣ  ଛାତ୍ରଛାତ୍ରୀଙ୍କୁ ଏଭଳି ଦଣ୍ଡ ଭୋଗିବାକୁ  ପଡ଼ିଛି । ନିଜ ସାଙ୍ଗ ସାଥୀଙ୍କଠାରୁ ଅଲଗା  ରହି ଶ୍ରେଣୀଗୃହ ବାହାରେ ପାଠ ପଢ଼ୁଥିବାର  ଦୃଶ୍ୟ ଦେଖିବାକୁ ମିଳିଛି । ଏହି ସମୟର  ଭିଡିଓ ଏବେ ଭାଇରାଲ୍‌ ହେବା ସହିତ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହାକୁ  ନେଇ ଅଭିଭାବକ ମହଲରେ ତୀବ୍ର  ଅସନ୍ତୋଷ ଦେଖା ଦେଇଛି । ଯେଉଁଠି ଛୁଆଁ  ଅଛୁଆଁ ଭେଦଭାଦ ଭୁଲି ମଣିଷ ଜାତି ଏକ ବୋଲି ନାରା ଦିଆଯାଉଛି ଓ ବିଶେଷ କରି ବିଦ୍ୟାଳୟ ଭଳି ମନ୍ଦିରରେ ଏହି ମନୋବୃତ୍ତି  କାହାରି ମନରେ ନ ଆସିବା ପାଇଁ କାହିଁ  ସରକାର ସଚେତନ କରି ଆସୁଛନ୍ତି  ସେଠାରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ ପିଲାଙ୍କ ମନରେ ଭେଦଭାବ ସୃଷ୍ଟି କରିବା କେତେ  ଯଥାର୍ଥ ବୋଲି ପ୍ରଶ୍ନ ଉଠିଛି । 

ଏହି ଘଟଣା  ଜିଲ୍ଲା ଶିକ୍ଷାଧିକାରୀଙ୍କଠାରୁ ଆରମ୍ଭ କରି ମଣ୍ଡଳ  ଶିକ୍ଷାଧିକାରୀଙ୍କ ପର୍ଯ୍ୟନ୍ତ ସବୁଠି ଆଲୋଚନାର  ବିଷୟ ପାଲଟିଛି । ଘଟଣାର ଆପୋସ ସମାଧାନ  କରାଯାଇଥିବା କେତେକ ଅଭିଭାବକ ମତ  ଦେଇଥିବା ବେଳେ ବିଇଓ ବିଜୟ ସ୍ୱାଇଁ ଘଟଣା  ସମ୍ପର୍କରେ ଅବଗତ ଥିବା କହିଛନ୍ତି ।