ମୁମ୍ବାଇ ୧୦/୦୩: ଭିକ୍କି କୌଶଲ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ଛାବା’ ଆୟ ମାମଲାରେ ବଡ଼ ରେକର୍ଡ କରିଛି । ଭାରତୀୟ ବକ୍ସ ଅଫିସ୍ରେ ଅଦ୍ୟାବଧି ଏହା ୫୦୦ କୋଟି ପରିସଂଖ୍ୟାନ ଟପି ସାରିଛି । ଚଳିତବର୍ଷର ପ୍ରଥମ ଫିଲ୍ମ ଭାବେ ଏହି ଉପଲବ୍ଧି ହାସଲ କରିଛି ‘ଛାବା’ । ସାରା ବିଶ୍ୱର କଥା କହିବାକୁ ଗଲେ ଏହା ମୋଟ ୬୯୧ କୋଟି ଆୟ କରିଛି ।
ରିପୋର୍ଟ ଅନୁସାରେ, ‘ଛାବା’ର ହିନ୍ଦୀ ସଂସ୍କରଣ ୫୦୩.୩ କୋଟି ରୋଜଗାର କରିଛି । ତେଲଗୁ ଡବ୍ ଭର୍ସନ୍କୁ ୫.୫ କୋଟି ମିଳିଛି । ଅର୍ଥାତ୍ ମୋଟ ଉପରେ ଭାରତୀୟ ବକ୍ସ ଅଫିସ୍ରେ ଫିଲ୍ମଟି ୫୦୮.୦୮ କୋଟି ଟଙ୍କାର ବ୍ୟବସାୟ କରିଛି । ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନୀ ଉପରେ ପର୍ଯ୍ୟବସିତ ଏହି ଫିଲ୍ମକୁ ଲକ୍ଷ୍ମଣ ଉତେକର ନିର୍ଦ୍ଦେଶନା ଦେଇଛନ୍ତି ।
ଫେବ୍ରୁଆରୀ ୧୪ରେ ଏହା ରିଲିଜ୍ ହୋଇଥିଲା । ପ୍ରଥମ ସପ୍ତାହରେ ଫିଲ୍ମଟି ୨୧୯.୨୫ କୋଟି, ଦ୍ୱିତୀୟ ସପ୍ତାହରେ ୧୮୦.୨୫ କୋଟି ଓ ତୃତୀୟ ସପ୍ତାହରେ ୮୪.୦୫ କୋଟି ରୋଜଗାର କରିଥିଲା । ସପ୍ତାହନ୍ତରେ ଏହାର ରୋଜଗାର ବଢ଼ିବା ପରେ ଫିଲ୍ମଟି ୫୦୦ କୋଟି କ୍ଲବ୍ରେ ସାମିଲ ହୋଇଛି । ‘ଛାବା’ ପୂର୍ବରୁ ‘ପୁଷ୍ପା-୨’(ହିନ୍ଦୀ ଭର୍ସନ୍), ‘ଯୱାନ’, ‘ସ୍ତ୍ରୀ-୨’, ‘ଗଦର-୨’, ‘ପଠାନ୍’, ‘ବାହୁବଳୀ-୨’(ହିନ୍ଦୀ ଭର୍ସନ) ଓ ‘ଆନିମଲ୍’ ଭଳି ଫିଲ୍ମ ୫୦୦ କୋଟି ରୋଜଗାର କରିଥିଲା ।