ନୂଆଦିଲ୍ଲୀ: ପୋଲିସର ପଚରା ଉଚରା ସମୟରେ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ ସୁନା ଚୋରା ଚାଲାଣ ରାକେଟରେ ତାଙ୍କର ସମ୍ପୃକ୍ତିକୁ ଅସ୍ୱୀକାର କରିଛନ୍ତି । ତାଙ୍କୁ ଫସାଇ ଦିଆଯାଇଛି ବୋଲି ସେ ଦାବି କରିଛନ୍ତି । ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁଯାୟୀ, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ଦ୍ୱାରା ପଚରା ଉଚରା ସମୟରେ ରାନ୍ୟା କାନ୍ଦି ପକାଇଥିଲେ ଏବଂ ସେ ନିର୍ଦୋଷ ବୋଲି ଦାବି କରିଥିଲେ । ରାନ୍ୟା ତାଙ୍କ ଓକିଲମାନଙ୍କୁ କହିଥିଲେ ଯେ, ସେ ଶୋଇ ପାରୁନାହାଁନ୍ତି ଏବଂ କାହିଁକି ସେ ଏଥିରେ ଜଡିତ ହେଲେ ତାହା ଭାବୁଛନ୍ତି । ଶୁକ୍ରବାର (୭ ମାର୍ଚ୍ଚ, ୨୦୨୫) କୋର୍ଟରେ ହାଜର କରାଯିବା ସମୟରେ, ସେ ତାଙ୍କ ଓକିଲମାନଙ୍କୁ କହିଥିଲେ, ‘ମୁଁ କାହିଁକି ଏଥିରେ ସାମିଲ ହେଲି ତାହା ଭାବୁଛି । ବିମାନବନ୍ଦରରେ ବିତାଇଥିବା ଦିନଟିକୁ ମନେ ପକାଇ ମୋ ମନ ବିଚଳିତ ହୋଇଯାଉଛି । ମୁଁ ଶୋଇ ପାରୁନାହିଁ । ମୁଁ ମାନସିକ ଭାବରେ ବିଚଳିତ।’
ରାନ୍ୟାଙ୍କ ଦାବି ଡିଆରଆଇକୁ ଦେଇଥିବା ତାଙ୍କର ସରକାରୀ ବିବୃତ୍ତିର ସମ୍ପୂର୍ଣ୍ଣ ଓଲଟା । ସେ ୧୭ଟି ସୁନା ବାର୍ ସହିତ ଧରାପଡ଼ିଥିବା ସ୍ୱୀକାର କରିଥିଲେ । ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ସେ କେବଳ ଦୁବାଇ ନୁହେଁ ବରଂ ୟୁରୋପ, ଆମେରିକା ଏବଂ ମଧ୍ୟପ୍ରାଚ୍ୟ ଗସ୍ତ କରିଥିଲେ । ଅଧିକାରୀମାନେ ଚାହାଁନ୍ତି ଯେ, ରାନ୍ୟାଙ୍କୁ କିଏ ଚୋରା ଚାଲାଣରେ ସାମିଲ କରିଥିଲା ଏବଂ କେଉଁ ପରିସ୍ଥିତିରେ ସେ ଏଥିରେ ସାମିଲ ହୋଇଥିଲେ ତାହା ଖୁଲାସା କରନ୍ତୁ । ଏହି ମାମଲାଟି ଗତବର୍ଷ ଚେନ୍ନାଇରେ ଘଟିଥିବା ଏକ ଘଟଣା ସହିତ ସମାନ ମନେ ହେଉଛି, ଯେଉଁଠାରେ କେରଳର ଜଣେ ସଫ୍ଟୱେର୍ ଇଞ୍ଜିନିୟରଙ୍କ ପତ୍ନୀ ଦୁବାଇରୁ ୧୨ କିଲୋ ସୁନା ଚୋରା ଚାଲାଣ କରୁଥିବା ବେଳେ ଧରାପଡ଼ିଥିଲେ । ପରେ ତଦନ୍ତରୁ ଜଣାପଡିଲା ଯେ, ସୁନା ଚୋରା ଚାଲାଣରେ ସମ୍ପୃକ୍ତ ଜଣେ ବନ୍ଧୁ ତାଙ୍କୁ ବ୍ଲାକମେଲ୍ କରିଥିଲେ ।
ଅଧିକାରୀମାନେ ବିଶ୍ୱାସ କରୁଛନ୍ତି ଯେ, ରାନ୍ୟା ରାଓଙ୍କ ନିକଟତର କେହି ତାଙ୍କୁ ଏହା କରିବାକୁ ବାଧ୍ୟ କରିଥାଇପାରନ୍ତି । ସୋମବାର ଦିନ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ ଗୁପ୍ତ ବେଲ୍ଟରେ ବନ୍ଧା ହୋଇଥିବା ୧୨ କୋଟି ଟଙ୍କାର ସୁନା ବାର ନେଇ ଯାଉଥିବା ବେଳେ ଗିରଫ କରାଯାଇଥିଲା । ତାଙ୍କୁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଡିଆରଆଇ ହେପାଜତକୁ ପଠାଯାଇଥିଲା ଏବଂ ଅଧିକାରୀମାନେ ତାଙ୍କ ଘରୁ କୋଟି କୋଟି ଟଙ୍କାର ନଗଦ ଓ ଅଳଙ୍କାର ମଧ୍ୟ ଜବତ କରିଥିଲେ।