ନୂଆଦିଲ୍ଲୀ: ୧୪ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଜିଏସଟି ଡେପୁଟି କମିଶନର। ସୋମବାର ସକାଳେ ନୋଏଡାର ସେକ୍ଟର ୭୫ ସ୍ଥିତ ଆପେକ୍ସ ଆଣ୍ଟେନା ସୋସାଇଟିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ପରିଚୟ ସଞ୍ଜୟ ସିଂ ବୋଲି ଜଣାପଡିଛି । ସେ ଗାଜିଆବାଦ ଜିଏସଟି ଡେପୁଟି କମିଶନର ଭାବେ କାର୍ଯ୍ୟରତ ଥିଲେ। ମୃତକ ସଞ୍ଜୟ ସିଂ ଦୀର୍ଘ ଦିନ ଧରି କର୍କଟ ଏବଂ ମାନସିକ ଅବସାଦରେ ପୀଡିତ ଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
ନୋଏଡା ପୋଲିସର ମିଡିଆ ସେଲ୍ ଅନୁଯାୟୀ, ସୋମବାର ସକାଳ ପ୍ରାୟ ୧୧:୦୦ ଟାରେ, ପୋଲିସ ସୂଚନା ପାଇଥିଲା ଯେ, ସେକ୍ଟର ୭୫ ସ୍ଥିତ ଆପେକ୍ସ ଆଣ୍ଟେନା ସୋସାଇଟିର ୧୪ ମହଲାରୁ ଡେଇଁ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜାଣିବାକୁ ପାଇଲା ଯେ ମୃତକ ଜଣକ ହେଉଛନ୍ତି ୫୯ ବର୍ଷୀୟ ସଞ୍ଜୟ ସିଂହ, ଯିଏକି ସୋସାଇଟିର ଟାୱାର 2004 A ରେ ରହୁଥିଲେ। ସଞ୍ଜୟ ସିଂହ ଗାଜିଆବାଦର ଜିଏସଟି ବିଭାଗରେ ଡେପୁଟି କମିଶନର ଭାବରେ ନିଯୁକ୍ତ ଥିଲେ।
ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୋଲିସ କହିଛି ଯେ ପରିବାର ସଦସ୍ୟଙ୍କ ଅନୁଯାୟୀ, ସଞ୍ଜୟ ସିଂହ ଦୀର୍ଘ ଦିନ ଧରି କର୍କଟ ଏବଂ ମାନସିକ ଅବସାଦରେ ପୀଡିତ ଥିଲେ। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।