ନୂଆଦିଲ୍ଲୀ: ଗୁଲମାର୍ଗ ସହରରେ ଚାଲୁଥିବା ଆଉଟଡୋର ଫ୍ୟାସନ ସୋ ପାଇଁ ଜମ୍ମୁକାଶ୍ମୀରରେ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି। ଏନେଇ ସୋମବାର ଜମ୍ମୁକାଶ୍ନୀର ବିଧାନସଭାରେ ପ୍ରବଳ ହଟ୍ଟଗୋଳ ପରିଲକ୍ଷିତ ହୋଇଥିଲା। ବିରୋଧି ଦଳମାନେ ଶାସକ ଦଳକୁ ଘେରିବା ପରେ ଶାସକ ଦଳ ମଧ୍ୟ ବିରୋଧିଙ୍କ ସ୍ୱରରେ ସ୍ୱର ମିସାଇ ଏହି କାର୍ଯ୍ୟକ୍ରମର ବିରୋଧ ପ୍ରଦର୍ଶନ କରିଛନ୍ତି। ସମଗ୍ର ସହରରେ ମୁସଲମାନମାନଙ୍କ ପବିତ୍ର ମାସ ରମଜାନ ପାଳନ କରାଯାଉଥିବା ବେଳେ ଏହି ଫ୍ୟାସନ ସୋ କୁ ବିଭିନ୍ନ ରାଜନୈତିକ ନେତାଙ୍କ ସାଙ୍ଗକୁ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ପ୍ରବଳ ବିରୋଧ କରିଛନ୍ତି। ଏହି ଫ୍ୟଶନ ସୋ ଆମ ଧାର୍ମିକ ଭାବନାକୁ ଆଘାତ ପହଁଚାଉଛି ବୋଲି ଓମାର ଗୃହରେ ଦାବି କରିଛନ୍ତି।
ଆଜି ଗୃହ ଆରମ୍ଭ ହେବା ପରେ ଜମ୍ମୁକାଶ୍ମୀରରେ ଶାସନଭାରରେ ଥିବା ନେସନାଲ କନଫରେନ୍ସ(ଏନସି), ପିପୁଲ ଡେମୋକ୍ରାଟିକ ପାର୍ଟି ଓ ଦୁଇଟି ସ୍ୱାଧୀନ ଦଳର ସଦସ୍ୟମାନେ ଏହି ମାମଲାରେ ପ୍ରବଳ ହଟ୍ଟଗୋଳ କରିଥିଲେ। ପବିତ୍ର ରମଜାନ ମାସରେ କିପରି ଏମିତି କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିଲା ବୋଲି ସମସ୍ତେ ପ୍ରଶ୍ନ କରିବା ସହ ଗୃହରେ ହଟ୍ଟଗୋଳ ଜାରି ରଖିଥିଲେ। ଅନ୍ୟପଟେ ବିରୋଧି ଦଳ ବଜେପି ଏହି ହଟ୍ଟଗୋଳକୁ ଅଯଥା କହିବା ସହିତ ସମସ୍ତଙ୍କ ମତାମତ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି କହିଛି।
ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ କଡା ନିନ୍ଦା କରିବା ସହ ତାଙ୍କ ସରକାରା ଏ ଦିଗରେ କାମ କରୁଛନ୍ତି ବୋଲି ଘୋଷଣା କରିଛନ୍ତି। ଏନେଇ ସେ କହିଛନ୍ତି ଯେ “ଗୁଲମାର୍ଗରେ ହେଉଥିବା ଫ୍ୟଶନ ସୋ ଲାକମାନଙ୍କ ଧାର୍ମିକ ଭାବନାକୁ କଷ୍ଟ ପହଞ୍ଚାଇଛି। ଏହି ପ୍ରକାରର କାର୍ଯ୍ୟକ୍ରମ ବର୍ଷର କେଉଁ ସମୟରେ ବି ଅନୁଷ୍ଠିତ ହେବା ଉଚିତ ନୁହେଁ। ମୁଁ ବହୁ ଜଲଦି ଏଦିଗରେ ପଦକ୍ଷେପ ଗ୍ରହଣ କରିବି। ସରାକାର ଏ ବିଷୟରେ କିଛି ଜାଣିନାହାନ୍ତି। କାରଣ ଆୟୋଜକ ଏ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସରକାରଙ୍କ ନିକଟରୁ କୌଣସି ଅନୁମତି ନେଇନାହାନ୍ତି। କାରଣ ଏହା ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ଓ ଏହା ଏକ ହୋଟେଲରେ ଅନୁଷ୍ଠିତ ହୋଇଥିଲା।”
ସେ ଆହୁରି ମଧ୍ୟ କହିଛନ୍ତି ଯେ “ଯଦି ଆୟୋଜକ କୌଣସି ନିୟମକାନୁନ ଉଲଘଂନ କରିଥିବେ ତେବେ ଏ ମାମଲାର ତଦାରଖ ପୋଲିସ କରିବ। ତେବେ ମୁଁ ଆପଣଙ୍କୁ ଜଣାଇରଖେ ଯେ ଏ କାର୍ଯ୍ୟକ୍ରମ ସମ୍ପର୍କରେ ସରକାର କିଛି ଜାଣିନଥିଲେ ଓ ଏହା ପଛରେ ସରକାରଙ୍କ କୌଣସି ପ୍ରକାରର ହାତନାହିଁ।”
ବିରୋଧି ବିଜେପି ଦଳ ଏନସି, ପିଡିପି ଓ ସମସ୍ତ ସ୍ୱାଧିନ ଦଳକୁ କଟାକ୍ଷ କରିବା ସହ ସେମାନେ ଅଯଥା କଥାକୁ ବଢାଉଛନ୍ତି ବୋଲି କହିଛି। ଏହା ଏକ ବ୍ୟକ୍ତିଗତ ଆୟୋଜକଙ୍କ ଫ୍ୟଶନ ସୋ କାର୍ଯ୍ୟକ୍ରମ ଥିଲା, ଏଥିରେ ଅଯଥା ନାଟକ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ବିଜେପି କହିଛି। ବିଜେପି ଏ ପ୍ରକାର ମନ୍ତବ୍ୟ ଜାରି କରିବା ପରେ ଗୃହରେ ୨୫ ମିନିଟ ଧରି ଉତ୍ତେଜନା ଲାଗି ରହିଥିଲା। ବାଚସ୍ପତି ଅବଦୁଲ୍ଲ ରହିମ ସମସ୍ତଙ୍କୁ ନିରବ ରହିବା ପାଇଁ ଏକାଧିକ ଥର ଅନୁରୋଧ କରିଥିଲେ। କିନ୍ତୁ ଏକଥାକୁ ନେଇ ଏତେ ବୟାନବାଜି ହୋଇଥିଲା ଯେ ପ୍ରଶ୍ନକାଳ ଆରମ୍ଭ ହୋଇପାରି ନଥିଲା।
ସୂଚନା ମୁତାବକ, ଏହି ଫ୍ୟଶନ ସୋ ଟି ଗୁଲମାର୍ଗର ଏକ ପ୍ରତିଷ୍ଠିତ ହୋଟେଲରେ ଅନୁଷ୍ଠିତ ହୋଇଥିଲେ। ଫ୍ୟସନ ଡିଜାଇନ ସ୍ତରିୟ ଏହି କାର୍ଯ୍ୟକ୍ରମରେ ଶିଭନ ଆଣ୍ଡ ନରେଶ ନାମକ ଅନୁଷ୍ଠାନ ନିଜର ରିସୋର୍ଟ ଓ ବିଚ ପୋଷାକର ଫ୍ୟାସନ ସୋ କରାଇଥିଲେ। ଏହି ବ୍ରାଣ୍ଡର ୧୫ତମ ଜନ୍ମବାର୍ଷିକି ଅବସରରେ ମାର୍ଚ୍ଚ ୭ ତାରିଖରେ କମ୍ପାନି ଏହି କାର୍ଯ୍ୟକ୍ରମ ଆୟୋଜିତ କରିଥିଲା। ତେବେ ଏହି ଶୋ ର ଭିଡିଓ ଓ ଫଟୋ ବିଭିନ୍ନ ସାମଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା।