ବ୍ରହ୍ମପୁର ୧୦/୦୩: ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମାଆ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମାଆଙ୍କ ଯାତ୍ରା ପାଇଁ ଆସନ୍ତା ୧୨ ତାରିଖରେ ଶୁଭଖୁଣ୍ଟି ସ୍ଥାପନ ହେବ । ରବିବାର ଅପରାହ୍ନରେ ଯାତ୍ରା ପରିଚାଳନା କମିଟି ତଥା ମାଆ ବୁଢ଼ୀ ଠାକୁରାଣୀଙ୍କ ବାପା ପାତର୍ଲା ଦୁର୍ଗା ପ୍ରସାଦ ଦେଶିବେହେରା ସୂଚନା ଦେଇଛନ୍ତି ।
ପୁରୋହିତ ଭି. ବାସୁଦେବ ଶାସ୍ତ୍ରୀଙ୍କ ଗଣନାନୁଯାୟୀ ଚଳିତମାସ ୯ ଓ ୧୨ ଦୁଇଦିନ ଭଲ ଯୋଗ ଥିଲା । ଏଥି ମଧ୍ୟରୁ ୧୨ ତାରିଖକୁ ମାଆଙ୍କ ବାପ ଘର ପକ୍ଷରୁ ଚୟନ କରାଯାଇଥିଲା । ଏହାପରେ ପୁରୋହିତଙ୍କ ଦ୍ୱାରା ୧୨ ତାରିଖ ରାତ୍ର ୯.୩୦ରୁ ମଧ୍ୟରାତ୍ର ୨.୩୦ ମଧ୍ୟରେ ଶୁଭ ମୁହୂର୍ତ୍ତ ରହିଥିବା କହିଛନ୍ତି । ସେହିଦିନ ରାତ୍ର ୯ଟାରେ ମାଆଙ୍କ ବାପ ଘର ଦେଶିବେହେରାଙ୍କ ଘର ସମ୍ମୁଖରେ ବୈଠକ ଅନୁଷ୍ଠିତ ହେବ । ସେଠାରୁ ବିରାଟ ପଟୁଆରରେ ମୁଖ୍ୟ ମନ୍ଦିରକୁ ଶୁଭଖୁଣ୍ଟି ସ୍ଥାପନ ପାଇଁ ଆଜ୍ଞାମାଳ ଆଣିବାକୁ ଯିବେ । ମାଆ ଠାକୁରାଣୀଙ୍କ ମୁଖ୍ୟ ମନ୍ଦିରରେ ପୂଜାର୍ଚ୍ଚନା ହେବ । ଆଜ୍ଞାମାଳ ମିଳିବା ପରେ ଶୁଭଖୁଣ୍ଟି ପୂଜା କରି ପଟୁଆରରେ ସହର ପରିକ୍ରମା କରି ଦେଶିବେହେରା ସାହିରେ ପହଞ୍ଚିବେ । ବାପାଙ୍କ ଘର ସମ୍ମୁଖରେ ତାହାକୁ ସ୍ଥାପନ କରାଯିବ ବୋଲି ଯାତ୍ରା ମୁଖ୍ୟ ପରିଚାଳକ ଦୁର୍ଗାପ୍ରସାଦ ଦେଶିବେହେରା ସୂଚନା ଦେଇଛନ୍ତି ।