ଭୁବନେଶ୍ୱର/କୋରାପୁଟ,୧୧/୦୩ : ଚର୍ଚ୍ଚିତ ଫିଲ୍ମ ନିର୍ମାତା ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲିଙ୍କ ଆଗାମୀ ସିନେମା ଏସଏସଏମ ବି-୨୯ର ସୁଟିଂ କୋରାପୁଟ ଜିଲ୍ଲାରେ ଆଗେଇ ଚାଲିଛି । ଏହି ଫିଲ୍ମର ହିରୋଇନ ତଥା ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋମବାର ଅପରାହ୍ଣରେ କୋରାପୁଟ ଜିଲ୍ଲା ସେମିଲିଗୁଡାରେ ପହଞ୍ଚିଛନ୍ତି । ପ୍ରିୟଙ୍କା ମୁମ୍ବାଇରୁ ବିମାନ ଯୋଗେ ଆସି ଛତିଶଗଡ଼ର ଜଗଦଳପୁର ବିମାନବନ୍ଦରରେ ଅପରାହ୍ଣ ପ୍ରାୟ ୨ଟାରେ ଓହ୍ଲାଇଥିଲେ । କଡ଼ା ସୁରକ୍ଷା ମଧ୍ୟରେ ୨୬ ନମ୍ବର ଜାତୀୟ ରଜପଥରେ କାର୍ରେ କୋରାପୁଟ ଅଭିମୁଖେ ବାହାରିଥିଲେ । ଏଠାକାର ଏକ ହୋଟେଲରେ ଫିଲ୍ମ ପ୍ରଯୋଜନା ସଂସ୍ଥା ପକ୍ଷରୁ ରହିବାର ବ୍ୟବସ୍ଥା କରାଯାଇଛି । ତାଙ୍କୁ ଦେଖିବା ପାଇଁ ଆଜି ସେମିଲିଗୁଡ଼ା ଠାରେ ପ୍ରଶସଂକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମଙ୍ଗଳବାର ସକାଳ ଠାରୁ ସେ ସୁଟିଂ ଆରମ୍ଭ କରିବେ ବୋଲି କୁହାଯାଇଛି ।
ସେମିଲିଗୁଡା ବ୍ଳକ ତଲମାଲି ପର୍ବତରେ ଫିଲ୍ମ ସୁଟିଂ ପାଇଁ ଅସ୍ଥାୟୀ ସେଟ ନିର୍ମାଣ କରାଯାଇଛି । ଗୁରୁବାର ଠାରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ଫିଲ୍ମର ମୁଖ୍ୟ ଅଭିନେତା ମହେଶ ବାବୁ ବୁଧବାର ରାତିରେ ସେମିଲିଗୁଡ଼ାରେ ପହଞ୍ଚିଥିଲେ । ସେ ଦେଓମାଳି କଟେଜରେ ରହୁଛନ୍ତି । ନିର୍ଦ୍ଦେଶକ ରାଜାମୌଲି ମଧ୍ୟ ଏଠାରେ ରହୁଛନ୍ତି । କୋରାପୁଟରେ ପ୍ରଥମ ଥର ପାଇଁ ରାଜାମୌଲିଙ୍କ ବଡ଼ ବଜେଟର ଫିଲ୍ମ ସୁଟିଂ ହେଉଛି । ତଲମାଲିରେ ସୁଟିଂ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ବାହୁବଲି, ଆର୍ଆର୍ଆର୍, ମଗଧୀରା ଭଳି ଫିଲ୍ମର ନିର୍ମାତା ରାଜାମୌଲି ପୁଣି ଏକ ବଡ଼ ବଜେଟରେ ଏହି ଫିଲ୍ମ ନିର୍ମାଣ କରୁଛନ୍ତି। ଯାହାକୁ ନେଇ ସିନେପ୍ରେମୀ ମାନେ ଉତ୍କଣ୍ଠାର ସହିତ ଫିଲ୍ମର ରିଲିଜ ତାରିଖକୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ମଧ୍ୟ ବ୍ଳକ ବଷ୍ଟର ହେବ ବୋଲି କୁହାଯାଉଛି ।
ଫିଲ୍ମ ରିଲିଜ ନ ହେବା ପର୍ଯ୍ୟନ୍ତ ରାଜାମୌଲିଙ୍କ ସମସ୍ତ ଫିଲ୍ମର କାହାଣୀ ଗୋପନ ରହିଥାଏ । ୨୯ ତାରିଖ ଯାଏ ସୁଟିଂ ଏଠାରେ ଚାଲିବ ବୋଲି କୁହାଯାଇଛି । ୫ ଶହରୁ ଅଧିକ କଳାକାର ଓ କର୍ମଚାରୀ ସୋମବାର ଠାରୁ ଏଠାରେ ରହୁଛନ୍ତି । ତଳମାଲି ବ୍ୟତିତ ଦେଓମାଳି, ଜୟପୁର ଓ କୋଲାବ ଆଦି ସ୍ଥାନରେ ସୁଟିଂ ହେବ । ପ୍ରଥମ ଥର ପାଇଁ ଏକ ହାଇ ବଜେଟର ତେଲୁଗୁ ଫିଲ୍ମ କୋରାପୁଟରେ ସୁଟିଂ ହେଉଥିବାରୁ ଜିଲ୍ଲାର ଲୋକଙ୍କୁ ଉତ୍ସାହିତ କରିଛି । ଆଗକୁ ଅନ୍ୟ ଫିଲ୍ମ ନିର୍ମାତାମାନେ ଏଠାକୁ ଆସିବେ ବୋଲି ଆଶା କରାଯାଉଛି । ଫଳରେ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
ଏହି ଖବରଟିକୁ ପଢନ୍ତୁ-Shah Rukh Khan: ବଲିଉଡ୍ ବାଦଶାହଙ୍କ ବିଜୟ, ଟ୍ୟାକ୍ସ ଚୋରି ମାମଲାରେ ଶାହରୁଖ ଖାନଙ୍କୁ ଆଶ୍ବସ୍ତି