ବ୍ରହ୍ମପୁର, ୧୧/୦୩ : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ଚଳିତ ମାସ ଶେଷ ସପ୍ତାହରୁ ଆରମ୍ଭ ହେବ। ଜିଲ୍ଲାରେ ୨୧ ଦିନିଆ ଦଣ୍ଡ ଦଳ ପ୍ରସ୍ତୁତି କରି ସାରିଛନ୍ତି। ଦଣ୍ଡଯାତ୍ରା ପୂର୍ବରୁ ପୁଣି ଅଶ୍ଲୀଳତାକୁ ନେଇ ସ୍ୱର ଉଠାଇଛି ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘ। ହିଞ୍ଜିଳିକାଟୁ ନିକଟ ଶ୍ୟାମଳାଇ ପୀଠରେ ମହାସଙ୍ଘର ବୈଠକ ହୋଇଛି। ଦଣ୍ଡନାଚରେ ଚଳିତବର୍ଷ ଅଶ୍ଲୀଳତାକୁ ବିରୋଧ କରାଯିବ। ଆସନ୍ତାବର୍ଷରୁ ଦଣ୍ଡନାଚରେ ସାମାଜିକ ନାଟକ ପରିବେଷଣ ହେବ ନାହିଁ ଏବଂ ମହିଳା କଳାକାରଙ୍କୁ ନିଆଯିବ ନାହିଁ ବୋଲି କହିଛନ୍ତି ମହାସଂଘ ସଭାପତି ଶିବରାମ ପ୍ରଧାନ ।
ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ସଂସ୍କୃତି, ପରମ୍ପରା ଓ ପୌରାଣିକ କଥାକୁ ନେଇ ହୋଇଥାଏ । ଧିରେଧିରେ ଏଥିରେ ଅପସଂସ୍କୃତି ପଶି ଦଣ୍ଡଯାତ୍ରା ପରମ୍ପରାକୁ ନଷ୍ଟ କରିବାକୁ ଯାଉଛି । ଆମ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଆମକୁ ଉଦ୍ୟମ କରିବାକୁ ହେବ ବୋଲି ଶିବରାମ କହିଛନ୍ତି । ଦଣ୍ଡନାଚରେ ସାମାଜିକ ନାଟକ ହେବା ଦ୍ୱାରା ମାନସିକଧାରୀ ଖର୍ଚ୍ଚାନ୍ତ ହେଉଛନ୍ତି । ଫଳରେ କିଛି ମାନସିକଧାରୀ ଦଣ୍ଡନାଚ କରିପାରୁନାହାନ୍ତି । ଶିବ ଓ ପାର୍ବତୀଙ୍କ ଉଦ୍ଦେଶ୍ୟରେ ଦଣ୍ଡଯାତ୍ରା ବିଧାନ କରାଯାଇଥାଏ । ବାନାମ୍ୱରଙ୍କ ଦଣ୍ଡଯାତ୍ରାକୁ ବିଭିନ୍ନ ସ୍ଥାନରେ ଝାମୁ ଯାତ୍ରା କୁହାଯାଏ । ମୀନ ସଂକ୍ରାନ୍ତିର ୯ ଦିନ ପରେ ସ୍ଥଳ ବିଶେଷରେ ଏହି ଯାତ୍ରା ୨୧ ଦିନ କିମ୍ୱା ୧୩ ଦିନ ଧରି ପାଳନ କରାଯାଇଥାଏ ଏବଂ ମହାବିଷୁବ ସଂକ୍ରାନ୍ତି କିମ୍ୱା ତାପୂର୍ବ ଦିନ ଉଦ୍ଯାପିତ ହେବାର ପରମ୍ପରା ରହିଛି । କ୍ଷେତ୍ର ବିଶେଷରେ ମାସାନ୍ତ ମେରୁ କିମ୍ୱା ସଂକ୍ରାନ୍ତି ମେରୁ ପାଳନ କରାଯିବାର ଭିନ୍ନଭିନ୍ନ ପରମ୍ପରା ରହିଛି ।
ପ୍ରଚଣ୍ଡ ରୌଦ୍ର ବେଳେ ଧୂଳିଦଣ୍ଡ ଭକ୍ତ ଦ୍ୱାରରେ ଅନୁଷ୍ଠିତ ହୁଏ । ବିଭିନ୍ନ କୌଶଳ ପୂର୍ଣ୍ଣ କସରତ, ଧ୍ୟାନ, ଇତ୍ୟାଦି କରନ୍ତି । ଧୂଳିଦଣ୍ଡ ପାଟଦଣ୍ଡୁଆ ପରିଚାଳନା କରନ୍ତି । ଦଣ୍ଡୁଆମାନଙ୍କୁ କୌଶଳ ପୂର୍ଣ୍ଣ ତାଲିମ ସେ ଦିଅନ୍ତି । ଠାକୁର ସ୍ନାନକୁ ନିକଟସ୍ଥ ଜଳାଶୟକୁ ଚାଲିଯାନ୍ତି ସ୍ନାନ ବେଳେ ଭକ୍ତମାନେ ଆମ୍ୱପତ୍ର ଧରି ଗୌରୀ ବେତକୁ ସ୍ନାନ କରାଇ କହନ୍ତି ସୁନାର ଦାନ୍ତକାଠିକୁ ରୁପାର ଝରି । ସ୍ନାନ ଶୌଚ ପରେ ଜଳ ଘାଟରେ ଭକ୍ତମାନଙ୍କର ଭୋଗ ଆରମ୍ଭ ହୁଏ ଏବଂ ଦଣ୍ଡୁଆମାନେ ପ୍ରସାଦ ସେବନ କରନ୍ତି । ଏହାପରେ ଠାକୁର ନିର୍ଜ୍ଜନ ସ୍ଥାନକୁ ବିଶ୍ରାମ ପାଇଁ ଯାଆନ୍ତି । ଦଣ୍ଡୁଆମାନେ କେତେକ ସ୍ଥାନରେ ଏକବାର ଅରୁଆ ହବିଷାନ୍ନ ବ୍ୟବହାର କରିଥାନ୍ତି କେତେକ ସ୍ଥଳରେ ପଣା ବାଳଭୋଗ କରନ୍ତି । ରାତ୍ରରେ ୩ୟ ପ୍ରହର ବେଳକୁ ଠାକୁର ଭକ୍ତ ଦ୍ୱାରକୁ ଯାଆନ୍ତି । ଅଗ୍ନିଦଣ୍ଡ ପ୍ରଦର୍ଶନ କରାଯାଏ । ରାତ୍ରରେ ଦଣ୍ଡୁଆମାନେ ଉଜାଗର ରହିବା ପାଇଁ ଓ ଶୈବ ଶକ୍ତିର ସଞ୍ଚାର ନିମନ୍ତେ ଦଣ୍ଡନାଟ ଆରମ୍ଭ ହୁଏ । ବୀଣାକାର ଶିବ ଓ ଦେବୀ ବନ୍ଦନା କରିବା ପରେ ଦୈନିକ ଯାତ୍ରାର ଶେଷ ଘୋଷଣା କରାଯାଏ । ଏହିପରି କ୍ରମାଗତ କିଛି ଦିନ ପରେ ମେରୁ ଯାତ୍ରା ଦିନ ଉଦ୍ଯାପନ କରାଯାଏ । କିନ୍ତୁ ଏହି ସଂସ୍କୃତି ଭିତରେ ଏବେ ସାମାଜିକ ନାଟକ ଏବଂ ରେକର୍ଡ ଡ୍ୟାନ୍ସ କରି ଏହାର ଅପଭ୍ରଂଶ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ।