ମୁମ୍ବାଇ ୧୨/୦୩: ‘ବାହୁବଳୀ’ ଫେମ୍‌ ଅଭିନେତା ପ୍ରଭାସ ଏବେ ତାଙ୍କର ହରର୍‌-କମେଡି ‘ଦ ରାଜା ସାବ୍‌’କୁ ନେଇ ଲଗାତର ଚର୍ଚ୍ଚାରେ ଅଛନ୍ତି । ଇତିମଧ୍ୟରେ ତାଙ୍କର ଆଗାମୀ ଫିଲ୍ମ ସଂପର୍କରେ ଏକ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ସେ ଅନୁସାରେ, ତାଙ୍କୁ ଏକ ପୌରାଣିକ ଡ୍ରାମା ଫିଲ୍ମରେ ନେଗେଟିଭ୍‌ ରୋଲ୍‌ରେ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି । ଅବଶ୍ୟ ଫିଲ୍ମ ସଂପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ ।

ରିପୋର୍ଟ ମୁତାବକ, ‘ହନୁମାନ’ ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ସେହି ପୌରାଣିକ ଡ୍ରାମାର ନିର୍ଦ୍ଦେଶନା ଦେବେ । ହୋମ୍ବଲେ ଫିଲ୍ମସ ବ୍ୟାନରରେ ତାହା ନିର୍ମିତ ହେବ ଯାହାକି ପୂର୍ବରୁ କେଜିଏଫ୍‌ ଫ୍ରାଞ୍ଚାଇଜି ଓ ‘ସାଲାର’ ଭଳି ଫିଲ୍ମ ପ୍ରଯୋଜନା କରିସାରିଛି । ତାର କାହାଣୀ ବକାସୁର ଉପରେ କେନ୍ଦ୍ରୀଭୂତ ହୋଇଥିବାରୁ ଟାଇଟଲ ‘ବାକା’ ରଖାଯାଇପାରେ । ଫିଲ୍ମ ଲାଗି ପ୍ରଭାସ ଲୁକ୍‌ ଟେଷ୍ଟ ବି ଦେଇସାରିଛନ୍ତି । ତେବେ ସୁଟିଂ କେବେ ଆରମ୍ଭ ହେବ ସେ ସଂପର୍କରେ ପ୍ରଡକ୍ସନ୍‌ ହାଉସ୍‌ ପକ୍ଷରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ । ଖବର ସତ୍ୟ ହୋଇଥିଲେ ପ୍ରଭାସଙ୍କୁ ପ୍ରଥମ ଥର ନେଗେଟିଭ୍‌ ରୋଲ୍‌ରେ ଦେଖିବାକୁ ମିଳିବ । ଏହି ଦୁଇଟି ଫିଲ୍ମ ବ୍ୟତୀତ ପ୍ରଭାସଙ୍କ ନିକଟରେ ‘କନ୍ନପ୍ପା’, ‘ଫୌଜି’, ‘ସ୍ପିରିଟ୍‌’, ‘ସାଲାର୍‌-୨’,’ କଲ୍‌କି-୨’ ଭଳି ବଡ଼ ପ୍ରୋଜେକ୍ଟ ରହିଛି । ଏବେ ସେ ହନୁ ରାଘବପୁଡି଼ଙ୍କର ‘ଫୌଜି’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।