ଭୁବନେଶ୍ୱର, ୨୭/୦୬: ଜୁଲାଇ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପ୍ୟାରିସ ଅଲିମ୍ପିକ୍ସ ପାଇଁ ଆଜି ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି । ଏହି ଦଳରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ସୁଯୋଗ ମିଳିଛି । ୧୬ ଜଣିଆ ଭାରତୀୟ ଦଳର ନେତୃତ୍ୱ ହର୍ମନପ୍ରୀତ ସିଂଙ୍କୁ ଦିଆଯାଇଛି ।
ଗତ ଟୋକିଓ ଅଲିମ୍ପିକ୍ସରେ ଭାରତ ଦୀର୍ଘ ଚାରି ଦଶନ୍ଧି ପରେ ପଦକ ଜିତିବାରେ ସଫଳ ହୋଇଥିଲା । ବ୍ରୋଞ୍ଜ ବିଜେତା ଦଳରେ ଓଡ଼ିଶାରୁ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ସାମିଲ ଥିଲେ । ପଦାର୍ପଣରେ ଅମିତ ଅଲିମ୍ପିକ୍ସ ପଦକ ଜିତିବାର ସୌଭାଗ୍ୟ ଲାଭ କରିଥିଲେ । କ୍ରମାନ୍ୱୟରେ ପୁଣି ଦ୍ୱିତୀୟ ଥର ଅଲିମ୍ପିକ୍ସ ଦଳରେ ସାମିଲ ହୋଇଥିବାରୁ ସେ ବହୁତ ଖୁସି ରହିଛନ୍ତି । ପ୍ରତ୍ୟେକ ମ୍ୟାଚ୍ରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବେ ବୋଲି ଅମିତ କହିଛନ୍ତି ।