ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ଶନିବାର ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍: ସଫଳ ହେବ ୧୭ବର୍ଷର ଅପେକ୍ଷା, ଟ୍ରଫି ଲକ୍ଷ୍ୟରେ ରୋହିତ ବାହିନୀ

ବ୍ରିଜଟାଉନ୍‌,୨୯/୦୬: ଆଉ ମାତ୍ର କିଛି  ଘଣ୍ଟାର ଅପେକ୍ଷା । ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଟାଇଟଲ ଲଢ଼େଇରେ ଅବତ୍ତୀର୍ଣ୍ଣ ହେବେ ଦୁଇ ସଫଳ ଦଳ ଭାରତ ଓ ଦକ୍ଷିଣ ଆଫ୍ରିକା । ଭାରତ ୭ମାସର ବ୍ୟବଧାନ ପରେ ପୁଣି ଥରେ ଏକ ବିଶ୍ୱକପ୍‌ର ଫାଇନାଲ୍‌ ଖେଳିବାକୁ ଯାଉଛି । ମାତ୍ର ଦକ୍ଷିଣ ଆଫ୍ରିକା ପାଇଁ ସମ୍ପୂର୍ଣ୍ଣ ନୂଆ ଏହି ଟାଇଟଲ  ମୁକାବିଲା । ପୂର୍ବରୁ ଦକ୍ଷିଣ ଆଫ୍ରିକା କେବେ  ବି କୌଣସି ବିଶ୍ୱକପ ଫାଇନାଲ୍‌ ଖେଳିପାରି  ନାହିଁ । ସେଥିପାଇଁ ଦକ୍ଷିଣ ଆଫ୍ରିକାକୁ ‘ଚୋକର୍ସ’  ଆଖ୍ୟା ମିଳିଛି । ମାତ୍ର ଏଥର ସବୁ ଆଲୋଚନା  ଓ ସମାଲୋଚନାର ଅନ୍ତ ଘଟାଇ ଦକ୍ଷିଣ ଆଫ୍ରିକା  ଚାମ୍ପିଅନ୍‌ ହେବାକୁ ଅଣ୍ଟା ଭିଡ଼ିଛି । ବାରମ୍ବାର ବହୁ  ଶକ୍ତିଶାଳୀ ଦଳକୁ ଏକତରଫା ଭାବେ ହରାଇ  ସାରିଥିବା ଭାରତ ମଧ୍ୟ ଏକ ଆଇସିସି ଟ୍ରଫି ପାଇଁ  ଅପେକ୍ଷା କରି ରହିଛି । ତେଣୁ ଦକ୍ଷିଣ ଅଫ୍ରିକାକୁ  ଏତେ ସହଜରେ ସ୍ୱପ୍ନ ପୂରଣ କରିବାକୁ ଭାରତ  ସୁଯୋଗ ଦେବ ନାହିଁ ।  

ୱାଣ୍ଡରର୍ସରୁ ବ୍ରିଜଟାଉନ୍‌

୧୭ ବର୍ଷ ଧରି ଭାରତ ଅପେକ୍ଷା କରି ରହିଛି ।  ୨୦୦୭ରେ ଅନୁଷ୍ଠିତ ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ  ପାକିସ୍ତାନକୁ ହରାଇ ଭାରତ ଚାମ୍ପିଅନ୍‌ ହୋଇଥିଲା ।  ଜୋହାନ୍ସବର୍ଗର ୱାଣ୍ଡରର୍ସ ଷ୍ଟାଡ଼ିୟମ୍‌ରେ  ଖେଳା ଯାଇଥିଲା ଫାଇନାଲ୍‌ ମୁକାବିଲା ।  ଦୀର୍ଘ ବର୍ଷ ପରେ ଭାରତ ପୁନର୍ବାର  ଫାଇନାଲ୍‌ରେ ପ୍ରବେଶ କରିଛି । ଏଥର ଏକ  ଭିନ୍ନ ଷ୍ଟାଡ଼ିୟମ୍‌ । ବାର୍ବାଡସ୍‌ର ବ୍ରିଜଟାଉନ୍‌ ସ୍ଥିତ  କେନସିଙ୍ଗଟନ ଓଭାଲ୍‌ ଗ୍ରାଉଣ୍ଡରେ ଆଉ ଏକ  ସଫଳ ଫର୍ଦ୍ଦ ଯୋଡିବାକୁ ଭାରତ ଅପେକ୍ଷା  କରି ରହିଛି । 

ଭାରତ ୪-୨ ଦକ୍ଷିଣ ଆଫ୍ରିକା

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଉଭୟ ଦଳ ପୂର୍ବରୁ  ପରସ୍ପରକୁ ୬ଥର ଭେଟିଛନ୍ତି । ଏଥିରୁ  ଭାରତ ୪ଟି ମ୍ୟାଚ୍‌ ଜିତିଛି ଓ ଦକ୍ଷିଣ  ଆଫ୍ରିକା ୨ଟି ମ୍ୟାଚ୍‌ରେ ବିଜୟୀ ହୋଇଛି ।  ୨୦୦୭ ସଂସ୍କରଣରେ ଭାରତ ୩୭ ରନ୍‌ରେ  ଦକ୍ଷିଣ ଆଫ୍ରିକାକୁ ହରାଇଥିଲା । ୨୦୦୯ରେ  ଦକ୍ଷିଣ ଆଫ୍ରିକା ୧୨ ରନ୍‌ରେ ବିଜୟୀ  ହୋଇଥିଲା । ଏହାପରେ ଭାରତ ୨୦୧୦ରେ  ୧୪ରନ୍‌, ୨୦୧୨ରେ ୧ରନ୍‌ ଓ ୨୦୧୪ରେ  ୬ ୱିକେଟ୍‌ରେ ବିଜୟ ହାସଲ କରିଥିଲା ।  ୨୦୨୨ ସଂସ୍କରଣରେ ଉଭୟ ଦଳ ପରସ୍ପରକୁ  ପୁନର୍ବାର ଭେଟିଥିଲେ ଓ ଦକ୍ଷିଣ ଆଫ୍ରିକା ୫ୱିକେଟ୍‌ରେ ବିଜୟ ହାସଲ କରିଥିଲା । 

ପେସ୍‌ -ସ୍ପିନ ଲଢ଼େଇ 

ପୂର୍ବ ରେକର୍ଡକୁ ଦେଖିଲେ ଭାରତର ପଲା ଭାରି  ଜଣା ପଡ଼ୁଛି । ମାତ୍ର ଦକ୍ଷିଣ ଆଫ୍ରିକା କଠିନ ପରିଶ୍ରମ  କରି ଫାଇନାଲ୍‌ରେ ପହଞ୍ଚିଛି । ତେଣୁ ଭାରତକୁ  ଏତେ ସହଜରେ ଜିତିବାକୁ ଦଳ ସୁଯୋଗ ଦେବ  ନାହିଁ । ଟାଇଟଲ୍‌ ସ୍ୱପ୍ନକୁ ଏଥର ସଫଳ କରିବାକୁ  ଦକ୍ଷିଣ ଆଫ୍ରିକା ଜୋରଦାର ପ୍ରୟାସ କରିବ ।  ଅସଲରେ ଦେଖିବାକୁ ଗଲେ ବୋଲରମାନେ  ବିଜୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ।  ପେସ୍‌ ବାହିନୀଙ୍କ ପ୍ରଦର୍ଶନ ବଳରେ ଦକ୍ଷିଣ  ଆଫ୍ରିକା ଲିଗ୍‌ ପର୍ଯ୍ୟାୟରୁ ସେମି ଫାଇନାଲ୍‌  ପର୍ଯ୍ୟନ୍ତ ଆସିଛି । କାଗିସୋ ରାବାଡା, ମାର୍କୋ  ଜାନସେନ ଓ ଆନରିଚ ନର୍ଜଙ୍କୁ ନେଇ ଗଠିତ  ପେସ୍‌ ବିଭାଗ ଶୁଖିଲା ପିଚ୍‌ରେ ମଧ୍ୟ ଘାତକ  ବୋଲିଂ କରିଛନ୍ତି । କିନ୍ତୁ ଭାରତ ସ୍ପିନରଙ୍କ  ପ୍ରଦର୍ଶନ ବଳରେ ଆଧିପତ୍ୟ ଜାରି ରଖିଛି ।  ତଥାପି ଦଳ ନିକଟରେ ଯଥେଷ୍ଟ ପେସ୍‌ ପାୱାର  ରହିଛି । ଅର୍ଶଦୀପ ସିଂହ ୧୫ଟି ଓ ଯଶପ୍ରୀତ  ବୁମରା ୧୩ଟି ୱିକେଟ୍‌ ନେଇ ସାରିଛନ୍ତି ।  କୁଲଦୀପ ଯାଦବ ୧୦ଟି ଓ ଅକ୍ଷର ପଟେଲ ୮ଟି  ୱିକେଟ୍‌ ଅକ୍ତିଆର କରିଛନ୍ତି ।  


ଫାଇନାଲ୍‌ରେ ରିଜର୍ଭ ଡେ’ 

ୱେଷ୍ଟ ଇଣ୍ଡିଜ୍‌ରେ ବର୍ଷା ଅନେକ ମ୍ୟାଚ୍‌ରେ  ବାଧା ଉପୁଯାଇଛି । ମାତ୍ର ଫାଇନାଲ ମ୍ୟାଚ୍‌କୁ  ନେଇ ଚିନ୍ତା ନାହିଁ । ଆସନ୍ତା କାଲି ବର୍ଷା  ହେଲେ ୩୦ ତାରିଖରେ ବାକି ଖେଳ ହେବ ।  ବର୍ଷା ଯୋଗୁଁ ଅତି କମ୍‌ରେ ୧୦ ଓଭର ଖେଳ  ସମ୍ଭବ ହୋଇ ନପାରିଲେ ପରଦିନ ବାକି  ଭାଗ ଖେଳାଯିବ । ୨ଦିନ ଯାକ ବର୍ଷା ଯୋଗୁଁ  ଖେଳ ସମ୍ପୂର୍ଣ୍ଣ ହୋଇ ନପାରିଲେ ଉଭୟ  ଦଳ ଯୁଗ୍ମ ବିଜେତା ଘୋଷିତ ହେବେ । 

ଟସ୍‌ ଜିତିଲେ ବ୍ୟାଟିଂ 

କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଚଳତି  ଟୁର୍ଣ୍ଣାମେଣ୍ଟର ନବମ ମ୍ୟାଚ୍‌ ଖେଳାଯିବ । ଦକ୍ଷିଣ  ଆଫ୍ରିକା ଏହି ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ  ଯାଉଛି । ଭାରତ ପୂର୍ବରୁ ଗୋଟିଏ ମ୍ୟାଚ୍‌ ଖେଳି  ସାରିଛି । ସୁପର-୮ ରାଉଣ୍ଡ୍‌ରେ ଭାରତ ଏହି  ଗ୍ରାଉଣ୍ଡ୍‌ରେ ଆଫଗାନିସ୍ତାନକୁ ଭେଟିଥିଲା ଓ  ୪୭ ରନ୍‌ରେ ବିଜୟୀ ହୋଇଥିଲା । ପିଚ୍‌ ବ୍ୟାଟିଂ  ଅନୁକୂଳ ଥିଲେ ହେଁ ସ୍ପିନରମାନେ ଉପଯୁକ୍ତ  ଫାଇଦା ଉଠାଇ ପାରିବେ । ପିଚ୍‌ ସାମାନ୍ୟ ମନ୍ଥର  ରହିବା ଅନୁମାନ କରାଯାଉଛି । ଟସ ବିଜୟୀ ଦଳ  ବ୍ୟାଟିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଏକାଦଶ

ଭାରତ: ରୋହିତ ଶର୍ମା(ଅଧିନାୟକ),  ବିରାଟ କୋହଲି, ରିଷଭ ପନ୍ତ,  ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ,  ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା,  ଅକ୍ଷର ପଟେଲ, କୁଲଦୀପ ଯାଦବ,  ଅର୍ଶଦୀପ ସିଂହ, ଯଶପ୍ରୀତ ବୁମରା ।  

ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ ଡି କକ୍‌,  ରିଜା ହେଣ୍ଡରିକ୍ସ, ଆଡେନ  ମାରକ୍ରମ(ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ,  ହେନରିକ କ୍ଲାସେନ, ଡେଭିଡ୍‌ ମିଲର, ମାର୍କୋ  ଜାନସେନ, କେଶବ ମହାରାଜ, କାଗିସୋ  ରାବାଡା, ଆନରିଚ ନର୍ଜ, ତାବ୍ରେଜ ସାମସି

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.