ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

୬୩ତମ ଜାତୀୟ ଅନ୍ତଃ ଜିଲ୍ଲା ସିନିୟର ଆଥଲେଟିକ୍ସ:୮୦ ମିଟର ଜାଭେଲିନ ଥ୍ରୋ କଲେ କିଶୋର, ଶ୍ରାବଣୀ, ଅନିମେଶଙ୍କୁ ସ୍ୱର୍ଣ୍ଣ, ପ୍ରଜ୍ଞାଙ୍କୁ ରୌପ୍ୟ

ଭୁବନେଶ୍ୱର,୦୧/୦୭: ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ହରିଆନାର ପଞ୍ଚକୁଲାରେ ଆୟୋଜିତ ୬୩ତମ ଜାତୀୟ ଅନ୍ତଃ ଜିଲ୍ଲା ସିନିୟର ଆଥଲେଟିକ୍ସ  ଚାମ୍ପିଅନସିପ୍‌ ଥିଲା ଅଲିମ୍ପିକ୍ସ ଟିକେଟ୍‌ ହାସଲରେ  ଶେଷ ସୁଯୋଗ । ତେବେ ଓଡ଼ିଆଙ୍କ ମଧ୍ୟରେ  ଜାଭେଲିନ ଥ୍ରୋୟର କିଶୋର କୁମାର ଜେନା ଏହି  ପ୍ରତିଯୋଗିତାରେ ଅଧିକ ଫୋକସରେ ରହିଥିଲେ । ସେ ପ୍ୟାରିସ ଟିକେଟ୍‌ ହାସଲ କରିସାରିଥିଲେ ବି  ଚଳିତ ବର୍ଷ ଏ ପର୍ଯ୍ୟନ୍ତ ତାଙ୍କ ପ୍ରଦର୍ଶନ ଆଦୌ ଭଲ  ନଥିଲା । କିନ୍ତୁ ଆଜି ଫାଇନାଲରେ ସେ ସିଜନରେ  ପ୍ରଥମ ଥର ୮୦ ମିଟର ଅତିକ୍ରମ କରିଥିଲେ ।  ଦ୍ୱିତୀୟ ପ୍ରୟାସରେ ସେ ୮୦.୮୪ ମିଟର ଫିଙ୍ଗି  ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଥିଲେ । 

କିଶୋର ମୋଟ୍‌ ୬ ଥର ଥ୍ରୋ କରିଥିଲେ ।  ଦ୍ୱିତୀୟ (୮୦.୮୪) ଓ ତୃତୀୟ (୮୦.୪୭)  ପ୍ରୟାସରେ ୮୦ ମିଟର ଅତିକ୍ରମ କରିଥିଲେ । ହରିଆନାର ସାହିଲ ସିଲୱାଲ (୮୧.୮୧ ମିଟର)  ପ୍ରଥମ ସ୍ଥାନ ସହ ସ୍ୱର୍ଣ୍ଣ ଏବଂ ବିକ୍ରାନ୍ତ ମଲିକ  (୮୧.୭୪) ରୌପ୍ୟ ପଦକ ଜିତିଥିଲେ ।  

ଦୋହା ଡାଏମଣ୍ଡ ଲିଗ୍‌ରେ  କିଶୋର ୭୬.୩୧ ମିଟର ଫିଙ୍ଗି ନବମ  ସ୍ଥାନରେ ରହିଥିଲେ । ସେହିପରି  କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଜାତୀୟ ଫେଡେରେସନ୍‌ କପ୍‌ରେ ୭୫.୪୯  ମିଟର ଫିଙ୍ଗି ଥିଲେ । ପୂର୍ବରୁ ଉଭୟ ନୀରଜ  ଚୋପ୍ରା ଓ କିଶୋର ପ୍ୟାରିସ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିସାରିଛନ୍ତି । ନୀରଜଙ୍କ  ଶ୍ରେଷ୍ଠ ପ୍ରଦର୍ଶନ ୮୯.୯୪ ମିଟର ଏବଂ  କିଶୋରଙ୍କ ୮୭.୫୪ ମିଟର ରହିଛି । 

୨୦୦ ମିଟରରେ ଶ୍ରାବଣୀ ଚମକିଲେ 

ମହିଳା ୨୦୦ ମିଟରରେ ଶ୍ରାବଣୀ  ନନ୍ଦ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ  ହୋଇଛନ୍ତି । ସେ ୨୩.୮୯ ସେକେଣ୍ଡ ନେଇ  ପ୍ରଥମ ସ୍ଥାନରେ ରହିଥିଲେ । ମଧ୍ୟପ୍ରଦେଶର  ମଧୁମିତ ଦେବ (୨୩.୯୩ ସେକେଣ୍ଡ)  ଦ୍ୱିତୀୟ ଏବଂ ହରିଆନାର ନାନସି (୨୩.୯୫  ସେକେଣ୍ଡ) ତୃତୀୟ ସ୍ଥାନରେ ରହିଥିଲେ । 

ପୁରୁଷ ୨୦୦ ମିଟରରେ ଓଡ଼ିଶାରୁ ପ୍ରତିନିଧିତ୍ୱ  କରୁଥିବା ଅନିମେଶ କୁଜୁର ନୂଆ ମିଟ ରେକର୍ଡ  (୨୦.୬୫ ସେକେଣ୍ଡ) ସହ ସ୍ୱର୍ଣ୍ଣ ପଦକ  ହାସଲ କରିଛନ୍ତି । ପୂର୍ବ ରେକର୍ଡ ଥିଲା ୨୦.୬୫  ସେକେଣ୍ଡ (ଅମ୍ଳାନ) । ଏନ୍‌. ଶ୍ରୀନିବାସ (୨୦.୯୫  ସେକେଣ୍ଡ) ଦ୍ୱିତୀୟ ଏବଂ ରଗୁଲ କୁମାର (୨୧.୧୫  ସେକେଣ୍ଡ) ତୃତୀୟ ସ୍ଥାନରେ ରହିଥିଲେ । 

୧୦୦ ମିଟରରେ ପ୍ରଜ୍ଞା ପ୍ରଶାନ୍ତି ସାହୁ ରୌପ୍ୟ  ପଦକ ଜିତିଛନ୍ତି । ସେ ୧୩.୧୫ ସେକେଣ୍ଡ ସହ  ଦ୍ୱିତୀୟ, ଜ୍ୟୋତି ୟାରାଜି (୧୩.୦୬ ସେକେଣ୍ଡ)  ପ୍ରଥମ ଏବଂ ନିଥ୍ୟା ରାମରାଜ (୧୩.୨୧ ସେକେଣ୍ଡ)  ତୃତୀୟ ସ୍ଥାନରେ ରହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.