ଓ୍ୱାୟନାଡ଼, ୩।୮: କେରଳ ୱାୟନାଡ଼ରେ ଭୟଙ୍କର ଭୂସ୍ଖଳନ । ବର୍ତ୍ତମାନ ସୁଦ୍ଧା ଭୂସ୍ଖଳନରେ ଗଲାଣି ୩୫୦ରୁ ଅଧିକ ଲୋକଙ୍କ ଜୀବନ । ଏବେବି ୨୦୦ରୁ ଉର୍ଦ୍ଧ୍ୱ ଲୋକ ନିଖୋଜ ଥିବା ଖବର ରହିଛି । ମାଟି ଅତଡ଼ା ତଳେ ଚାପି ରହିଛି ଅନେକଙ୍କ ଜୀବନ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ରାଡାରା ଡ୍ରୋନ୍ ସହାୟତାରେ ମାଟି ତଳେ ଫଶି ରହିଥିବା ଲୋକଙ୍କୁ ଖୋଜାଖୋଜି ଚାଲିଛି । ଏହା ଭିତରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପାଶ୍ଚାତ୍ୟଘାଟଗୁଡ଼ିକୁ ଏକ ଇକୋଲୋଜିକାଲ୍ ସମ୍ବେଦନଶୀଳ କ୍ଷେତ୍ର (ଇଏସ୍ଏ) ଭାବେ ଘୋଷଣା କରିବାକୁ ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରିଛନ୍ତି । ଯେଉଁଥିରେ ୱାୟନାଡ଼ ଗାଁ ମଧ୍ୟ ଅନ୍ତର୍ଭୁକ୍ତ ।
କେରଳର ୱାୟାନାଡ଼ରେ ଜୁଲାଇ ୩୦ ତାରିଖ ସକାଳ ସମୟରେ ହୋଇଥିଲା ଭୂସ୍ଖଳନ । ସରକାରଙ୍କ ଇଏସ୍ଏ କ୍ଲାସିଫିକେସନ ପ୍ରସ୍ତାବ ୬ଟି ରାଜ୍ୟ ଏବଂ ୫୯ ହଜାର ୯୪୦ ବର୍ଗ କିଲୋମିଟର କ୍ଷେତ୍ର କିମ୍ବା ପାଶ୍ଚାତ୍ୟ ଘାଟର ପ୍ରାୟ ୩୭% ଅଞ୍ଚଳ ଅନ୍ତର୍ଭୁକ୍ତ । ସରକାର ଆଣିଥିବା ବର୍ତ୍ତମାନର ଡ୍ରାଫ୍ଟ ଜୁଲାଇ ୨୦୨୨ରେ ପ୍ରକାଶିତ ଡ୍ରାଫ୍ଟ ପରି ଅଟେ । ତେବେ ଏହି ଇଏସ୍ଏରେ କ’ଣ ? ଏବଂ ଏହି ଇଏସ୍ଏରେ ଲାଗୁ ହେବା ଦ୍ୱାରା କେଉଁ ସବୁ ପରିବର୍ତ୍ତନ ହୁଏ ଆସନ୍ତୁ ଜାଣିବା । ଏହି ଡ୍ରାଫ୍ଟରେ, ୱାୟନାଡ଼ରେ ଥିବା ବିଥିରୀର କିଛି ଅଂଶ ଇଏସ୍ଏ ପାଇଁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।
ବିଥିରୀ ୱାୟନାଡ଼ର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ । ଯଦି ଏହି ମାମଲା ଚୂଡ଼ାନ୍ତ ହୋଇଛି ଏବଂ ଇଏସ୍ଏ ଘୋଷିତ ହୁଏ ତେବେ ଖଣି, ଖନନ, ବାଲି ଖନନ, ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଏବଂ ପ୍ରଦୂଷିତ ଶିଳ୍ପ ଏହି ଅଞ୍ଚଳରେ ସମ୍ପୂର୍ଣ୍ଣ ନିଷେଧ ହେବ । ଏହା ବ୍ୟତୀତ ନିର୍ଦ୍ଧାରିତ ସୀମାଠାରୁ ଅଧିକ ନୂତନ ନିର୍ମାଣ ପ୍ରକଳ୍ପ ଏବଂ ଟାଉନସିପ୍ ବିକାଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବ । ଏହି ଡ୍ରାଫ୍ଟକୁ ଷଷ୍ଠ ଥର ପାଇଁ ନବୀକରଣ କରାଯାଇଛି । ଯେଉଁଥିରେ ଦର୍ଶାଯାଇଛି ଯେ, ୨୦ ହଜାର ବର୍ଗ ମିଟର ଏବଂ ଏହାଠୁ ଉର୍ଦ୍ଧ୍ୱ ସମସ୍ତ ନୂତନ ଅଟ୍ଟାଳିକା ସମ୍ପ୍ରସାରଣ ପ୍ରକଳ୍ପ ଏବଂ ୫୦ ହେକ୍ଟର ଏବଂ ତା’ଠାରୁ ଅଧିକ କିମ୍ବା ୧୫୦ ହଜାର ବର୍ଗ ମିଟର ଏବଂ ଏହାଠୁ ଉର୍ଦ୍ଧ୍ୱ ନିର୍ମାଣ ଏବଂ ସମ୍ପ୍ରସାରଣ ପ୍ରକଳ୍ପଗୁଡ଼ିକ ସହିତ ବିସ୍ତାରିତ ଟାଉନସିପ୍ ଏବଂ କ୍ଷେତ୍ର ବିକାଶ ପ୍ରକଳ୍ପ ଉପରେ ପ୍ରତିବନ୍ଧକ ଲଗାଯିବ ।