ପ୍ରମୂଖ ଖବର

IPL 2025: ଆଜି ସୁପରଜାଏଣ୍ଟ୍‌ସ - ଟାଇଟନ୍ସ ଟକ୍କର, ସ୍ପିନରଙ୍କୁ ସୁହାଇବ କଳା ମାଟି ପିଚ୍

Published By : Prameya | April 12, 2025 8:53 AM

ଲକ୍ଷ୍ନୌ,୧୨/୦୪: ଚଳିତ ଆଇପିଏଲ୍‌ର ୨୬ତମ ଲିଗ୍‌ ମୁକାବିଲାରେ ଆଜି ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଘରୋଇ ଗ୍ରାଉଣ୍ଡରେ ଗୁଜରାଟ ଟାଇଟନ୍ସକୁ ସାମ୍ନା କରିବ । ଟାଇଟନ୍ସ ସମ୍ପ୍ରତି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ସୁପରଜାଏଣ୍ଟ୍‌ସ ମଧ୍ୟ ୩ଟି ମ୍ୟାଚ୍‌ ଜିତି ସାରିଛି । ଆଜି ଆଉ ଏକ ବିଜୟ ସୁପରଜାଏଣ୍ଟ୍‌ସକୁ ତୃତୀୟ ସ୍ଥାନରେ ପହଞ୍ଚାଇ ପାରିବ । 

ପୂର୍ବ ରେକର୍ଡ ଟାଇଟନ୍ସ ନିକଟରେ ରହିଛି । ଉଭୟ ଦଳ ଗତ ୩ ବର୍ଷ ମଧ୍ୟରେ ୫ଥର ସାମ୍ନା ସାମ୍ନି ହୋଇଛନ୍ତି । ଏଥିରୁ ଟାଇଟନ୍ସ ୪ଟି ମ୍ୟାଚ୍‌ ଜିତିଛି । ସୁପରଜାଏଣ୍ଟ୍‌ସ ଗତ ସିଜନରେ ଟାଇଟନ୍ସକୁ ଥରେ ହରାଇଥିଲା । ମାତ୍ର ଏଥର ପରିସ୍ଥିତି ଭିନ୍ନ । ସୁପରଜାଏଣ୍ଟ୍‌ସ ଏଥର ଡିଫେଣ୍ଡିଂ ଚାମ୍ପିଅନ୍‌ କୋଲକାତା ନାଇଟ୍‌ ରାଇଡର୍ସ ଓ ରନର୍ସ ଅପ୍‌ ସନରାଇଜର୍ସ ହାଇଦ୍ରାବାଦକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡ୍‌ରେ ହରାଇଛି । ନିଜ ଘରୋଇ ଗ୍ରାଉଣ୍ଡ୍‌ରେ ୫ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ  କରିଛି । ଆଜି ଟାଇଟନ୍ସ ବିପକ୍ଷରେ ମଧ୍ୟ ଆଧିପତ୍ୟ  ଜାରି ରଖିବାକୁ ସୁପରଜାଏଣ୍ଟ୍‌ସ ପ୍ରୟାସ କରିବ । 

ଟାଇଟନ୍ସ ଏଥର ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ଠାରୁ ପରାଜିତ ହେବା ପରେ କ୍ରମାନ୍ୱୟରେ ୪ଟି ମ୍ୟାଚକୁ ବଡ଼ ବ୍ୟବଧାନରେ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ଦଳର ବ୍ୟାଟିଂ  ବିଭାଗ ସାମାନ୍ୟ ଅସନ୍ତୁଳିତ ମନେ ହେଉଥିଲେ ହେଁ ବୋଲିଂ ବିଭାଗର ଶୃଙ୍ଖଳିତ ପ୍ରଦର୍ଶନ ବିଜୟ  ପାଇଁ ଯଥେଷ୍ଟ ଥିବା ପ୍ରମାଣିତ ହୋଇଛି । ମହମ୍ମଦ  ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଅର୍ସଦ ଖାନ ଓ ଈଶାନ୍ତ  ଶର୍ମାଙ୍କୁ ନେଇ ଗଠିତ ପେସ୍‌ ବାହିନୀ ଆତଙ୍କ ଖେଳାଇଛନ୍ତି । ଏପରିକି କାଗିସୋ ରାବାଡାଙ୍କ  ଅନୁପସ୍ଥିତ ମଧ୍ୟ ଅନୁଭବ ହେଉନାହିଁ । ସେହିପରି ରସିଦ ଖାନ ଓ ସାଇ କିଶୋରଙ୍କ କୂଶଳୀ ସ୍ପିନ୍‌ ବୋଲିଂ ପ୍ରତିପକ୍ଷ ବ୍ୟାଟରଙ୍କ ଚିନ୍ତା ବଢାଇ ଦେଇଛି ।  

ଉଭୟ ଦଳର ଶ୍ରେଷ୍ଠ ଏକାଦଶ/ ଦ୍ୱାଦଶକୁ ଦେଖିଲେ ଆଜି ମ୍ୟାଚ୍‌ର ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳରେ ବିସ୍ଫୋରକ ବ୍ୟାଟର ରହିଛନ୍ତି ଓ ଓପର ଭାଗ ପ୍ରଥମ ୩  ବ୍ୟାଟରଙ୍କ ଉନ୍ନତ ପ୍ରଦର୍ଶନ ଜାରି ରହିଛି । ଟାଇଟନ୍ସ  ଦଳରେ ସାଇ ସୁଦର୍ଶନ, ଜୋସ ବଟଲର ଓ ଶୁଭମନ ଗିଲ, ସୁପରଜାଏଣ୍ଟ୍‌ସରେ ମିଚେଲ  ମାର୍ଶ, ନିକୋଲାସ ପୂରନ ଓ ଆଡେନ ମାରକ୍ରମ  ଚମତ୍କାର ଫର୍ମରେ ରହିଛନ୍ତି । ଉଭୟ ଦଳର ପେସ୍‌  ବୋଲିଂ ବିଭାଗ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା  ଗ୍ରହଣ କରିଛି । ସୁପରଜାଏଣ୍ଟ୍‌ସରେ ଅଭେଶ ଖାନ,  ସର୍ଦୁଲ ଠାକୁର, ଆକାଶ ଦୀପଙ୍କୁ ନେଇ ଗଠିତ ପେସ୍‌ ବାହିନୀ ଘାତକ ସାବ୍ୟସ୍ତ ହୋଇଛନ୍ତି ।  

ଆଜି ସୁପରଜାଏଣ୍ଟ୍‌ସର ଯୁବ ମିଷ୍ଟ୍ରି ସ୍ପିନର ଦିଗବେଶ ରାଠିଙ୍କ ଉପରେ ନଜର ରହିବ । ସେ ଉଭୟ ନୂଆ ଓ ପୁରୁଣା ବଲ୍‌ରେ ପ୍ରତିପକ୍ଷର ଯୋଡ଼ି ଭାଙ୍ଗିବାର କ୍ଷମତା ରଖିଛନ୍ତି । ସେହିପରି ଟାଇଟନ୍ସର ଅଲରାଉଣ୍ଡର ୱାସିଂଟନ ସୁନ୍ଦରଙ୍କ ଉପରେ ନଜର  ରହିବା ସ୍ୱାଭାବିକ । ଅଧିନାୟକ ରିଷଭ ପନ୍ତଙ୍କ ଫର୍ମକୁ  ନେଇ ସୁପରଜାଏଣ୍ଟ୍‌ସର ଚିନ୍ତା ରହିଛି । ଏପର୍ଯ୍ୟନ୍ତ  ତାଙ୍କ ବ୍ୟାଟରୁ ବଡ଼ ଇନିଂସ ଦେଖିବାକୁ ମିଳିନାହିଁ । ମାତ୍ର ତାଙ୍କ ରଣକୌଶଳ ୱିକେଟ୍‌ କିପିଂ ବେଶ ଉନ୍ନତ  ରହିଛି । ତାଙ୍କ ବ୍ୟାଟ୍‌ର ଏକ ବିସ୍ଫୋରକ ଇନିଂସ  ଦେଖିବାକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।  

ଏକାନ୍ନା ଷ୍ଟାଡ଼ିୟମ୍‌ର ପିଚ୍‌ ପେସ ବୋଲରଙ୍କୁ  ସହାୟତା କରିଛି। ଏଠାରେ ଖେଳାଯାଇଥିବା ୨ଟି  ମ୍ୟାଚ୍‌ରୁ ପେସ୍‌ ବୋଲରମାନେ ୧୫ଟି ୱିକେଟ୍‌  ନେଇ ସାରିଛନ୍ତି । ମାତ୍ର ଆଜିର ମ୍ୟାଚ୍‌ ପାଇଁ  ଆଉ ଏକ ପିଚ୍‌ ପ୍ରସ୍ତୁତ କରାଯାଇଛି । କଳା ମାଟିରେ  ପ୍ରସ୍ତୁତ ପିଚ୍‌ ସ୍ପିନରଙ୍କୁ ସହାୟତା କରିବ । ତଥାପି ବ୍ୟାଟରମାନେ ପିଚ୍‌ର ଫାଇଦା ଉଠାଇ ପାରିବେ ।  ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ସ୍ୱାଭାବିକ ।

-: ସମ୍ଭାବ୍ୟ ଦ୍ବାଦଶ:-

ସୁପରଜାଏଣ୍ଟ୍‌ସ: ଆଡେନ ମାରକ୍ରମ,  ମିଚେଲ ମାର୍ଶ, ନିକୋଲାସ ପୂରନ, ରିଷଭ  ପନ୍ତ(ଅଧିନାୟକ), ଆୟୂଷ ବାଦୋନି,  ଡେଭିଡ୍‌ ମିଲର, ଅବଦୁଲ ସମଦ,  ସର୍ଦୁଲ ଠାକୁର, ଅଭେଶ ଖାନ, ଆକାଶ  ଦୀପ, ଦିଗବେଶ ରାଠି, ରବି ବିଷ୍ଣୋଇ । 

ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ୍‌(ଅଧିନାୟକ),  ବି ସାଇ ସୁଦର୍ଶନ, ଜୋସ ବଟଲର, ସେରଫାନ  ରଦରଫୋର୍ଡ, ଶାହରୁଖ ଖାନ, ରାହୁଲ ତେୱାତିଆ, ୱାସିଂଟନ ସୁନ୍ଦର, ରସିଦ ଖାନ,  ଆର ସାଇ କିଶୋର, ମହମ୍ମଦ ସିରାଜ,  ପ୍ରସିଦ୍ଧ କ୍ରିଷ୍ଣା, ଅର୍ସଦ ଖାନ/ଈଶାନ୍ତ ଶର୍ମା ।

IPL-2025: ଚେନ୍ନାଇର ଲଜ୍ଜାଜନକ ପରାଜୟ; ତୃତୀୟ ବିଜୟ ସହ ଶୀର୍ଷ-୩ରେ ପହଞ୍ଚିଲା କୋଲକାତା


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.