ଭୁବନେଶ୍ୱର, ୧୭/୦୪: ଓଡିଶା ସୀମା ପାର କରି ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ମାଡି ବସିଲା ତାଳସାରୀ ପୋଲିସ । ଭୋଗରାଇର ଉଦୟପୁର ବର୍ଡରରୁ ଜବତ ହେଲା ଗୋଟିଏ ବସ୍ତା ଗଞ୍ଜେଇ । ଏଥିରେ ସମ୍ପୃକ୍ତ ଥିବା ଜଣେ ମହିଳା ଏବଂ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଉଭୟଙ୍କ ଘର ପଶ୍ଚିମବଙ୍ଗର ବର୍ଦ୍ଧମାନ ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ଜଳେଶ୍ୱର ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
ସୂଚନା ମୁତାବକ, ଗୁରୁବାର ଭୋର ୫ ଟା ବେଳେ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥ ଭୋଗରାଇ ବ୍ଳକ ସାହାବାଜିପୁର ବର୍ଡର ନିକଟରେ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ହେଉଥିଲା । ମହିଳାଙ୍କ ସହ ମିଶି ଯୁବକ ଜଣକ ଗଞ୍ଜେଇ ବସ୍ତାକୁ ମୁଣ୍ଡାଇ ନେଇ ବର୍ଡର ପାର କରୁଥିଲେ । ଏହି ସମୟରେ ବର୍ଡରରେ ତାଳସାରୀ ପୋଲିସର ଚେକିଂ ଚାଲିଥିଲା । ଚେକିଂରେ ଧରା ପଡ଼ିବାରୁ ବସ୍ତାଟିକୁ ଯାଞ୍ଚ କରିଥିଲା ପୋଲିସ । ଯାଞ୍ଚ କରିବାରୁ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ବାହାରିଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ମହିଳା ଏବଂ ଯୁବକଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛନ୍ତି ଜଳେଶ୍ୱର ଏସଡିପିଓ ।