ସୋର, ୧୬/୪(ସ୍ୱପ୍ର): ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ ଏକ ବସ୍ ଓ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଟ୍ରେଲର ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ବସ୍ ଯାତ୍ରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।
ଟ୍ରେଲର (ନଂ ସିଜି ୦୭ସିଜି ୮୨୪୧) ଟି କଲିକତାରୁ ଯାଜପୁର ଅଭିମୁଖେ ଯାଉଥିଲା। କଲେଜ ଛକ ନିକଟରେ ରଙ୍ଗ ସାଇଡରେ ବିପରୀତ ଦିଗରୁ ଆସୁଥିବା ମନୀଷା (ଅଜୟ) ନାମକ ଘରୋଇ ବସ ଟ୍ରେଲରକୁ ଧକ୍କା ଦେଇଥିଲା। ଫଳରେ ଟ୍ରେଲର ଚାଳକ ବିହାର ଆରା ଜିଲ୍ଲା ମଙ୍ଗୋରୀ ଗ୍ରାମର ରମେଶ ଚନ୍ଦ୍ର ପାଣ୍ଡେ (୫୩) ଗାଡି ମଧ୍ୟରେ ଚାପି ହୋଇ ଫଶି ରହିଥିଲେ। ଖବର ପାଇ ସୋର ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଗ୍ୟାସ କଟର ସାହାର୍ଯ୍ୟରେ ଗାଡିକୁ କାଟି ରମେଶଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଏକ ୧୦୮ ଆମ୍ବୁଲାନ୍ସରେ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରି ଥାନାକୁ ଆଣିଛନ୍ତି। କିନ୍ତୁ ଏହି ଦୁର୍ଘଟଣା ପରେ ବସ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ବସ ଯାତ୍ରୀମାନେ ସାମାନ୍ୟ ଆହତ ହୋଇ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।