ରାୱଲପିଣ୍ଡି,୨୫/୦୨: ଚଳିତ ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍-ବି’ରେ ମଙ୍ଗଳବାର ଦୁଇ ଶକ୍ତିଶାଳୀ ଦଳ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍ ଜରିଆରେ ଉଭୟ ଦଳ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ପାଇଁ ପ୍ରୟାସ କରିବେ ।
ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସାରିଛନ୍ତି । ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନକୁ ୧୦୭ ରନ୍ରେ ହରାଇଥିଲା । ସେହିପରି ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡକୁ ୫ ୱିକେଟ୍ରେ ପରାଜିତ କରିଥିଲା । ବର୍ତ୍ତମାନ ରନ୍ ରେଟ୍ରେ ଦକ୍ଷିଣ ଆଫ୍ରିକା ଆଗରେ ରହିଛି । ମ୍ୟାଚ୍ର ବିଜେତା ଏକ ପ୍ରକାର ସେମି ସ୍ଥାନ ନିଶ୍ଚିତ କରିପାରିବ ।
ଉଭୟ ଦଳ ଏକାଧିକ ମୁଖ୍ୟ ଖେଳାଳିଙ୍କ ବିନା ଏଥର ଚାମ୍ପିଅନ୍ସ ଟ୍ରଫିକୁ ଓହ୍ଲାଇଛନ୍ତି । ଅଷ୍ଟ୍ରେଲିଆ ଦଳରେ ପ୍ୟାଟ୍ କମିନ୍ସ, ଜୋସ ହାଜେଲଉଡ୍, ମିଚେଲ ଷ୍ଟାର୍କ, ମିଚେଲ ମାର୍ଶ, ମାର୍କସ ଷ୍ଟାଇନିସ୍ ନାହାନ୍ତି । ଏମାନଙ୍କ ମଧ୍ୟରେ ୩ଜଣ ବିଶ୍ୱର ଶ୍ରେଷ୍ଠ ପେସ୍ ବୋଲର ଓ ୨ଜଣ ପେସ୍ ବୋଲିଂ ଅଲ୍ରାଉଣ୍ଡର । ଦକ୍ଷିଣ ଆଫ୍ରିକା ମଧ୍ୟ ଆନରିଚ ନର୍ଜ ଓ ଗେରାଲ୍ଡ କୋଏଜିଙ୍କ ଭଳି ପେସ୍ ବୋଲରଙ୍କୁ ହରାଇଛି ।
ଉଭୟ ଦଳର ପେସ୍ ବୋଲିଂ ବାହିନୀ ସାମାନ୍ୟ ଅନଭିଜ୍ଞ ରହିଛି । ମାତ୍ର ବ୍ୟାଟିଂ ବିଭାଗ ବେଶ୍ ଶକ୍ତିଶାଳୀ ଓ ସୁଦୃଢ । ରାୱଲପିଣ୍ଡିର ବ୍ୟାଟିଂ ସ୍ୱର୍ଗ ଭାବେ ଗଣା ହେଉଥିବା ପିଚ୍ରେ ବୋଲରମାନେ ଫଳାଫଳ ନିର୍ଣ୍ଣୟରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ଦକ୍ଷିଣ ଆଫ୍ରିକା ଓପନର ର୍ୟାନ ରିକେଲଟନ ଓ ଅଷ୍ଟ୍ରେଲିଆ ମଧ୍ୟ କ୍ରମ ବ୍ୟାଟର ଜୋସ ଇଂଲିଶଙ୍କ ଉପରେ ନଜର ରହିବ । ଉଭୟ ନିଜ ନିଜର ପ୍ରଥମ ମ୍ୟାଚ୍ରେ ଶତକ ଅର୍ଜନ କରିଛନ୍ତି ଓ ଦଳ ପକ୍ଷରୁ ୱିକେଟ୍ କିପିଙ୍ଗ କରୁଛନ୍ତି ।
ଦକ୍ଷିଣ ଆଫ୍ରିକା ଏକାଦଶରେ ପରିବର୍ତ୍ତନ କରିପାରେ । କହୁଣୀରେ ଯନ୍ତ୍ରଣା ଥିବାରୁ ହେନରିକ କ୍ଲାସେନ ପ୍ରଥମ ମ୍ୟାଚ୍ ଖେଳିପାରିନଥିଲେ । ମଙ୍ଗଳବାର ମଧ୍ୟ ଟସ୍ ପୂର୍ବରୁ ସେ ଫିଟ୍ନେସ୍ ପରୀକ୍ଷାରେ ସମ୍ମୁଖୀନ ହେବେ । ଫିଟ୍ ଘୋଷିତ ହେଲେ ସେ ଖେଳିବା ନିଶ୍ଚିତ । ଫଳରେ ଓପନର ଟୋନି ଡି ଜର୍ଜି ଏକାଦଶରୁ ବାଦ ପଡ଼ିବେ । ତାଙ୍କ ସ୍ଥାନରେ ଆଡେନ ମାରକ୍ରମ ଓପନ କରିବେ । ଅନ୍ୟ ଓପନର ରିକେଲଟନ ଏକାଦଶରେ ସ୍ଥାନ ବଜାୟ ରଖିବା ନିଶ୍ଚିତ ।
ଅଷ୍ଟ୍ରେଲିଆ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । କେବଳ ସିନ ଆବୋଟଙ୍କ ପାଇଁ ବେନ ଡାର୍ସିୟସ କିମ୍ବା ସ୍ପେନସର ଜନସନଙ୍କ ମଧ୍ୟରୁ ଜଣଙ୍କୁ ବାଦ ଦିଆଯାଇପାରେ । କାରଣ ଉଭୟ ବାମ ହାତି ପେସ୍ ବୋଲର । ମଙ୍ଗଳବାର ଟ୍ରେଭିସ ହେଡ୍-କାଗିସୋ ରାବାଡା ଓ କ୍ଲାସେନ-ଆଡାମ ଜାମ୍ପା ଲଢ଼େଇ ମୁଖ୍ୟ ଆକର୍ଷଣ ସାଜିପାରେ । ରାବାଡାଙ୍କ ବିପକ୍ଷରେ ହେଡ୍ ୫୫ଟି ବଲ୍ର ସାମ୍ନା କରି ୬୨ ରନ୍ ସଂଗ୍ରହ କରିଛନ୍ତି ଓ ୩ଥର ଆଉଟ୍ ହୋଇଛନ୍ତି । ସେହିପରି ଜାମ୍ପାଙ୍କ ବିପକ୍ଷରେ କ୍ଲାସେନ ୮୯ଟି ବଲ୍ର ସାମ୍ନା କରି ୧୨୧ ରନ୍ କରିଛନ୍ତି ଓ ୨ଥର ଆଉଟ୍ ହୋଇଛନ୍ତି ।
ରନ୍ ପର୍ବ: ରାୱଲପିଣ୍ଡି ପିଚ୍କୁ ନେଇ ଉଭୟ ଦଳର ଅଧିନାୟକ ଖୁସ୍ ଅଛନ୍ତି । ବ୍ୟାଟିଂ ପାଇଁ ପିଚ୍ ବେଶ ଅନୁକୂଳ ରହିବ । ଫଳରେ ବିସ୍ଫୋରକ ବ୍ୟାଟିଂ ସହ ବିଶାଳ ସ୍କୋର ସଂଗୃହୀତ ହେବା ଏକ ପ୍ରକାର ନିଶ୍ଚିତ । ରାତ୍ରିରେ କାକର ପଡ଼ିବାର ସେଭଳି ସମ୍ଭାବନା ନାହିଁ । ତେଣୁ ଟସ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।
ସମ୍ଭାବ୍ୟ ଦଳ
ଦକ୍ଷିଣ ଆଫ୍ରିକା: ତେମ୍ବା ବଭୁମା(ଅଧିନାୟକ), ର୍ୟାନ ରିକେଲଟନ, ରାଶି ଭାନ ଡର ଡୁସେନ, ଆଡେନ ମାରକ୍ରମ, ହେନରିକ୍ କ୍ଲାସେନ, ଡେଭିଡ୍ ମିଲର, ୱିଆନ ମୁଲ୍ଡର, ମାର୍କୋ ଜାନସେନ, କେଶବ ମହାରାଜ, କାଗିସୋ ରାବାଡା, ଲୁଙ୍ଗି ଏନ୍ଗିଡ଼ି ।
ଅଷ୍ଟ୍ରେଲିଆ: ମାଥ୍ୟୁ ସର୍ଟ, ଟ୍ରେଭିସ୍ ହେଡ୍, ଷ୍ଟିଭେନ ସ୍ମିଥ୍(ଅଧିନାୟକ), ମାର୍ନସ ଲାବୁସାନ, ଜୋସ ଇଂଲିଶ, ଆଲେକ୍ସ କ୍ୟାରୀ, ଗ୍ଲେନ ମ୍ୟାକ୍ସୱେଲ୍, ବେନ ଡାର୍ସିୟସ, ନାଥାନ ଏଲିସ, ଆଡାମ ଜାମ୍ପା, ସ୍ପେନସର ଜନସନ ।