ପ୍ରମୂଖ ଖବର
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ବ୍ରଜରାଜନଗର ପୌରାଧ୍ୟକ୍ଷା ଯାଜ୍ଞସେନୀ ପଦଚ୍ୟୁତ, ଅନାସ୍ଥା ପ୍ରସ୍ତାବରେ ହାରିଲା ବିଜେଡି

Published By : Prameya | March 2, 2025 10:24 AM

ଝାରସୁଗୁଡ଼ା/ବ୍ରଜରାଜନଗର,୦୨/୦୩: ବିଜେଡି ହାତରୁ ଖସିଲା ବ୍ରଜରାଜନଗର ପୌର ପରିଷଦ । ଅନାସ୍ଥା  ଭୋଟ୍‌ରେ ପୌରାଧ୍ୟକ୍ଷା ପଦରୁ ପଦଚ୍ୟୁତ ହେଲେ ଯାଜ୍ଞସେନୀ ଓରାମ୍‌ ।  ଅନାସ୍ଥା ଭୋଟ ଗଣତିରେ  ସପକ୍ଷରେ ୨୨ଟି ଭୋଟ୍‌ ପଡ଼ିଛି । ବିପକ୍ଷରେ ମାତ୍ର ଗୋଟିଏ  ଭୋଟ୍‌ ପଡ଼ିଛି । ଅନାସ୍ଥା ମତଦାନ ଗଣତି ରିପୋର୍ଟ  ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ରାଜନୈତିକ ସ୍ୱାର୍ଥ ଦୃଷ୍ଟିରୁ ନୁହେଁ ବରଂ  ବ୍ରଜରାଜନଗରର ବିକାଶ ଦୃଷ୍ଟିରୁ ଅନାସ୍ଥା ପ୍ରସ୍ତାବ ଆଗତ  କରାଯାଇଥିଲା । ଏହାଦ୍ୱାରା ବ୍ରଜରାଜନଗରବାସୀଙ୍କ ସ୍ୱାର୍ଥରକ୍ଷା  ହୋଇ ପାରିଛି ବୋଲି ଉପାଧ୍ୟକ୍ଷ ଶ୍ରୀ ସିତାନୀ କହିଛନ୍ତି । 

ଉଲ୍ଲେଖଯୋଗ୍ୟ, ୨୩ଟି ୱାର୍ଡ ବିଶିଷ୍ଟ ବ୍ରଜରାଜନଗର  ପୌର ପରିଷଦରେ ହୋଇଥିବା ପ୍ରତ୍ୟକ୍ଷ ନିର୍ବାଚନରେ  ପୌରାଧ୍ୟକ୍ଷ ଭାବେ ବିଜୟୀ ହୋଇଥିଲେ ବିଜେଡିର  ଯାଜ୍ଞସେନୀ ଓରାମ୍‌ । ପୌର ପରିଷଦରେ ବିଜେଡିର  ୨୦, ବିଜେପିର ୨ ଏବଂ ବିଏସ୍‌ପିର ଜଣେ କାଉନସିଲର ରହିଛନ୍ତି । ହେଲେ ପୌରାଧ୍ୟକ୍ଷାଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ  ପ୍ରକାଶ କରି ତାଙ୍କ ବିରୋଧ ଅନାସ୍ଥା ଆଣିଥିଲେ ଦଳୀୟ କାଉନ୍‌ସିଲର । ଏନେଇ ପୌରାଧ୍ୟକ୍ଷା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଗତ ଜାନୁଆରୀ ୧୫ରେ ଅନାସ୍ଥା ଭୋଟ୍‌  ହୋଇଥିଲେ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଫଳାଫଳ  ଘୋଷଣା ସ୍ଥଗିତ ଥିଲା । ଶୁକ୍ରବାର ପୌରାଧ୍ୟକ୍ଷାଙ୍କ ପିଟିସନ  ଖାରଜ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଶନିବାର ଭୋଟ  ଗଣତି କରାଯାଇଥିଲା । ଅନାସ୍ଥା ଭୋଟରେ ଯାଜ୍ଞସେନୀ ଓରାମ୍‌ ପଦଚ୍ୟୁତ ହୋଇଛନ୍ତି।  ନୂତନ ପୌରାଧ୍ୟକ୍ଷା ନିର୍ବାଚିତ ନ ହେବା ଯାଏଁ  ଉପାଧ୍ୟକ୍ଷ ହିଁ ପୌରାଧ୍ୟକ୍ଷ ଦାୟିତ୍ୱରେ ରହିବେ ବୋଲି  ଜଣାପଡ଼ିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.