ଆମ୍ବେଦକର କହିଥିଲେ, ଆମେ କେବଳ ରାଜନୈତିକ ଗଣତନ୍ତ୍ରରେ ସନ୍ତୁଷ୍ଟ ହୋଇଯିବା ଅନୁଚିତ । ରାଜନୈତିକ ଗଣତନ୍ତ୍ର, ସାମାଜିକ ଗଣତନ୍ତ୍ରରେ ରୂପାନ୍ତରିତ ହେବା ଜରୁରି । ନଚେତ ରାଜନୈତିକ ଗଣତନ୍ତ୍ର ତିଷ୍ଠିବା ସମ୍ଭବ ନୁହେଁ । ସାମାଜିକ ଗଣତନ୍ତ୍ର ଜୀବନର ଏକ ଶୈଳୀ ବା ପଦ୍ଧତି, ଯେଉଁଥିରେ ସ୍ୱାତନ୍ତ୍ର୍ୟ, ସମାନତା ଏବଂ ଭାଇଚାରାକୁ ଜୀବନର ନୀତି ଭାବେ ଗ୍ରହଣ କରାଯାଏ... ଗୋଟିଏ ଅନ୍ୟଟିରୁ ବିଚ୍ୟୁତ ହୋଇଗଲେ ଗଣତନ୍ତ୍ରର ମାନେ କିଛି ରହେନାହିଁ ।
ଭାରତୀୟ ସମ୍ବିଧାନର ପ୍ରଣେତା ଡ. ବି.ଆର. ଆମ୍ବେଦକରଙ୍କର ଜୟନ୍ତୀ ଏପ୍ରିଲ ୧୪ରେ ଦେଶ ପାଳନ କରିଛି । ଦେଶ ସ୍ୱାଧୀନ ହେବାର ୭୮ବର୍ଷ ମଧ୍ୟରେ ଯେଉଁ ସାମାଜିକ, ରାଜନୈତିକ ଏବଂ ଆର୍ôଥକ ଅଗ୍ରଗତି ଲାଭ କରିଛି, ତାହା ମୂଳରେ ଡ. ଆମ୍ବେଦକରଙ୍କ ଅତୁଳନୀୟ ଦୂରଦୃଷ୍ଟି ତଥା ଅମୂଲ୍ୟ ପରାମର୍ଶ ରହିଛି । ତାହା ଉପରେ ଆଲୋକପାତ କରିବାର ଏହା ଉଚିତ ଅବସର । ଭାରତବାସୀ ଦେଶର ସମ୍ବିଧାନ ତଥା ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ସହିତ ଜାତୀୟ ଏକତା ଏବଂ ସଂହତି ରକ୍ଷା ଲାଗି କ’ଣ କରିବା ଉଚିତ ହେବ ସେନେଇ ଆମ୍ବେଦକର ବିସ୍ତୃତ ଦିଗ୍ଦର୍ଶନ ଦେଇଯାଇଛନ୍ତି ।
୧୯୪୯ ନଭେମ୍ବର ୨୫ ତାରିଖ ଥିଲା ସମ୍ବିଧାନ ସଭାରେ ସମ୍ବିଧାନ ଚିଠାପ୍ରସ୍ତୁତି ବିତର୍କର ଶେଷ ଦିନ । ସେଦିନ ଆମ୍ବେଦକର ଦେଇଥିବା ତାଙ୍କର ସମାପନ ଭାଷଣରେ ଯେଉଁ ବକ୍ତବ୍ୟ ରଖିଥିଲେ, ତାହା ଥିଲା ଭାରତୀୟ ସମ୍ବିଧାନ ପଛର ମୌଳିକ ଦର୍ଶନର ସାରାଂଶ । ଦେଶ ଏବଂ ଦେଶବାସୀ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନ ଲାଗି କ’ଣ କରିବା ଉଚିତ ତାହା ସେ ତାଙ୍କ ବକ୍ତବ୍ୟରେ ସୁସ୍ପଷ୍ଟ କରିଥିଲେ । ଏହି ବକ୍ତବ୍ୟରେ ସେ ସାଧାରଣ ଜନତାର ଜୀବନଧାରଣ ମାନର ଉନ୍ନତି ସହିତ ଦେଶର ସାମାଜିକ ତଥା ଆର୍ଥିକ ପ୍ରଗତି ଏବଂ ଜାତୀୟ ଏକତା ରକ୍ଷା ଲାଗି କ’ଣ କ’ଣ କରିବା ନିତାନ୍ତ ଜରୁରି ତାହା ମଧ୍ୟ ଉଲ୍ଲେଖ କରିଥିଲେ । ତାଙ୍କର ପରାମର୍ଶ ଜାତୀୟ ନୀତିରେ କିପରି ରୂପାୟିତ ହୋଇଛି ଏବଂ ଦେଶକୁ ଆଗକୁ ବଢ଼ିବାରେ ସହାୟକ ହୋଇପାରିଛି³ ଏସବୁର ବିଚାରାଲୋଚନା କରାଯିବା ନିତାନ୍ତ ଆବଶ୍ୟକ ।
ଆମ୍ବେଦକର କହିଥିଲେ, ଆମେ କେବଳ ରାଜନୈତିକ ଗଣତନ୍ତ୍ରରେ ସନ୍ତୁଷ୍ଟ ହୋଇଯିବା ଅନୁଚିତ । ରାଜନୈତିକ ଗଣତନ୍ତ୍ର, ସାମାଜିକ ଗଣତନ୍ତ୍ରରେ ରୂପାନ୍ତରିତ ହେବା ଜରୁରି । ନଚେତ ରାଜନୈତିକ ଗଣତନ୍ତ୍ର ତିଷ୍ଠିବା ସମ୍ଭବ ନୁହେଁ । ତେବେ ସାମାଜିକ ଗଣତନ୍ତ୍ର କହିଲେ କ’ଣ ବୁଝିବା? ଏହା ଜୀବନର ଏକ ଶୈଳୀ ବା ପଦ୍ଧତି, ଯେଉଁଥିରେ ସ୍ୱାତନ୍ତ୍ର୍ୟ, ସମାନତା ଏବଂ ଭାଇଚାରାକୁ ଜୀବନର ନୀତି ଭାବେ ଗ୍ରହଣ କରାଯାଏ... ଗୋଟିଏ ଅନ୍ୟଟିରୁ ବିଚ୍ୟୁତ ହୋଇଗଲେ ଗଣତନ୍ତ୍ରର ମାନେ କିଛି ରହେନାହିଁ । ସମାନତା ବିନା ସ୍ୱାତନ୍ତ୍ର୍ୟର ଅର୍ଥ ଅନେକଙ୍କ ଉପରେ କେତେଜଣଙ୍କର ପ୍ରଭୁତ୍ୱରେ ପରିଣତ ହୋଇଯାଏ... । ସେହିପରି ଭାଇଚାରା ବା ଭ୍ରାତୃତ୍ୱ ବ୍ୟତିରେକ ସମାନତା ଏବଂ ସ୍ୱାତନ୍ତ୍ର୍ୟ କେବେହେଁ ଆମ ପାଇଁ ସାବଲୀଳ ହୋଇନପାରେ ।
ଏସବୁ ଆଦର୍ଶକୁ ବିଚାରରେ ରଖି ଡ. ଆମ୍ବେଦକର ଆମ ସମ୍ବିଧାନର ରାଷ୍ଟ୍ରନୀତିରେ ସମସ୍ତ ନାଗରିକଙ୍କ ପାଇଁ ଏକାଧିକ ମୌଳିକ ଅଧିକାର ସହିତ ଗୁରୁତ୍ୱପୂର୍ଣ୍ଣ ପରାମର୍ଶଗୁଡ଼ିକୁ ଯୋଡ଼ିଥିଲେ ଯେପରି- ଅସ୍ପୃଶ୍ୟତାର ମୂଳୋତ୍ପାଟନ, ଅନୁସୂଚିତ ଜାତି, ଜନଜାତି ତଥା ଅନ୍ୟାନ୍ୟ ପଛୁଆବର୍ଗଙ୍କ ଉତ୍ଥାନ ଲାଗି ସଂରକ୍ଷଣ ବ୍ୟବସ୍ଥା ସମେତ ଆହୁରି ଅନେକ ସାମ୍ବିଧାନିକ ବ୍ୟବସ୍ଥା, ଯାହା ସାମାଜିକ କ୍ଷେତ୍ରରେ ସମାନତା ଆଣିବା ଲାଗି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରିବ । କହିବା ବାହୁଲ୍ୟ, ୧୯୫୦ ମସିହା ଜାନୁୟାରୀ ୨୬ରେ ସମ୍ବିଧାନ ଲାଗୁ ହେବା ପରଠାରୁ ଆଜିପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ସରକାର ଆମ ଗଣତନ୍ତ୍ରକୁ ସାମାଜିକ ଗଣତନ୍ତ୍ରରେ ରୂପାୟିତ କରିବା ଦିଗରେ ପ୍ରୟାସ କରିଆସିଛନ୍ତି । ଦଳିତ ତଥା ବଞ୍ଚିତଗୋଷ୍ଠୀଙ୍କ ପାଇଁ ସାମ୍ବିଧାନିକ ସୁବିଧାକୁ ସୁନିଶ୍ଚିତ କରିବା ସହିତ ଦେଶରୁ ଦାରିଦ୍ର୍ୟ ନିରାକରଣ ଏବଂ ଜୀବନଧାରଣ ମାନରେ ଉନ୍ନତି ଆଣିବା ଲାଗି ମଧ୍ୟ ନିରନ୍ତର ଉଦ୍ୟମ କରିଛନ୍ତି । ଏଥିଲାଗି ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବ୍ୟବସ୍ଥିତ କାର୍ଯ୍ୟକ୍ରମ ଜରିଆରେ ଗୃହନିର୍ମାଣ, ପାନୀୟ ଜଳ ଯୋଗାଣ, ପ୍ରାଥମିକ ଶିକ୍ଷା ପ୍ରଦାନ, ନିଯୁକ୍ତୀକରଣ, ଘରୋଇ ଗ୍ୟାସ୍ ସଂଯୋଗ ଇତ୍ୟାଦି ଇତ୍ୟାଦି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ଏସବୁ କାର୍ଯ୍ୟକ୍ରମ ଗରିବ ଶ୍ରେଣୀକୁ ଆଖିଆଗରେ ରଖି ହିଁ କରାଯାଇଆସିଛି
ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମମାନ ବାସ୍ତବରେ ‘ଡାଇରେକ୍ଟିଭ ପ୍ରିନିସିପଲ୍ସ ଅଫ ଷ୍ଟେଟ୍ ପଲିସି’କୁ ସଂଚାଳନ କରୁଥିବା ସମ୍ବିଧାନର ଅଧ୍ୟାୟ-୪ର ଅନ୍ତର୍ଭୁକ୍ତ । ପୁନଶ୍ଚ ସମ୍ବିଧାନର ଏହି ଭାଗରେ ପ୍ରଥମରୁ ସ୍ପଷ୍ଟ କରିଦିଆଯାଇଛି ଯେ, ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମଗୁଡ଼ିକୁ କାଠଗଡ଼ାରେ ଠିଆ କରାଯାଇପାରିବ ନାହିଁ । ଦେଶର ସର୍ବୋଚ୍ଚ ଅଦାଲତ ମଧ୍ୟ ବିଭିନ୍ନ ମାମଲାରେ ସମାଜକଲ୍ୟାଣ ପ୍ରାବଧାନଗୁଡ଼ିକୁ ଜୀବନ୍ୟାସ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି, ଯାହା ମୌଳିକ ଅଧିକାରର ଆଭାରେ ଜାଜ୍ୱଲ୍ୟମାନ । ସମ୍ବିଧାନ ସଭାର ପ୍ରଥମ ଅଧିବେଶନ ବସିଥିଲା ୧୯୪୬, ଡିସେମ୍ବର ୯ରେ ।
ସମ୍ବିଧାନ ଚିଠା ପ୍ରସ୍ତୁତ କରିବା ଲାଗି ଏହା ୧୬୫ ଦିନ ଧରି ଚାଲିଥିଲା । ଦେଶର ସାମାଜିକ, ଅର୍ଥନୀତିକ ଏବଂ ରାଜନୈତିକ ଜଟିଳତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଥିବା ଭାରତୀୟ ସମ୍ବିଧାନ ପ୍ରଥମତଃ ଯେତେବେଳେ ଗୃହୀତ ହେଲା, ସେତେବେଳେ ଏଥିରେ ରହିଥିଲା ୮ଟି ଭାଗ ଏବଂ ୩୯୫ ଅନୁଚ୍ଛେଦ । ଉଲ୍ଲେଖନୀୟ କି, ଭାରତ ତୁଳନାରେ ଅନ୍ୟ ଦେଶର ସମ୍ବିଧାନର ଆକାର ନିହାତି ଛୋଟ । ଉଦାହରଣତଃ, ଆମେରିକା ସମ୍ବିଧାନରେ ମାତ୍ର ୭ଟି ଅନୁଚ୍ଛେଦ ରହିଛି । ପ୍ରଥମ ୪ଟି ୨୧ଭାଗରେ ବିଭକ୍ତ । ସେହିପରି କାନାଡ଼ା ସମ୍ବିଧାନ ଗୃହୀତ ହେବା ସମୟରେ ଥିଲା ୧୪୭ ଅନୁଚ୍ଛେଦବିଶିଷ୍ଟ, ଯେତେବେଳେ କି ଦକ୍ଷିଣ ଆଫ୍ରିକାର ୧୫୩ ଏବଂ ଅଷ୍ଟ୍ରେଲିଆର ୧୨୮ ଅନୁଚ୍ଛେଦ ।
ଯେଉଁମାନେ ଏସବୁ ସମ୍ପର୍କରେ ଜାଣନ୍ତି ସେମାନେ ଆପତ୍ତି ଉଠାଇଥାନ୍ତି ଯେ, ଭାରତୀୟ ସମ୍ବିଧାନ ଅତିଶୟ ଶବ୍ଦବହୁଳ ଅର୍ଥାତ୍ ବାଚାଳ । ଏହାକୁ ଜାଣିବାକୁ ହେଲେ ଆଣ୍ଠୁଗଣ୍ଠି ଛିଣ୍ଡାଇବାକୁ ହେବ । ଏପରି ସମାଲୋଚନା ମୁଖ୍ୟତଃ ପାଶ୍ଚାତ୍ୟ ପଣ୍ଡିତମାନେ କରିଆସିଛନ୍ତି କିମ୍ବା ସେମାନଙ୍କ ଦ୍ୱାରା ପ୍ରଭାବିତ ବିଜ୍ଞମାନେ କରିଥାନ୍ତି । ସେମାନେ କହନ୍ତି- ଭାରତର ସମ୍ବିଧାନ ଅତି ଦୀର୍ଘ, ଅତି ଶବ୍ଦବହୁଳ ଏବଂ ସାଧାରଣ ଲୋକ ବୁଝିବା ମୁସ୍କିଲ । ଏହି ମର୍ମରେ ଜଣେ ସମାଲୋଚକଙ୍କ କହିବା କଥା ହେଲା- ଭାରତୀୟ ସମ୍ବିଧାନ ୧.୪୬ଲକ୍ଷ ଶବ୍ଦବିଶିଷ୍ଟ ହୋଇଥିବାବେଳେ ଆମେରିକାର ସମ୍ବିଧାନ ମାତ୍ର ୪୫୪୩ଟି ଶବ୍ଦ ମଧ୍ୟରେ ସୀମିତ । କେବଳ ଏଇଥିପାଇଁ ନୁହେଁ, ଭାରତୀୟ ସମ୍ବିଧାନରେ ଯେପରି ବାରମ୍ବାର ସଂଶୋଧନ ଅଣାଯାଇଛି, ତାକୁ ନେଇ ମଧ୍ୟ ସେମାନେ ଆମକୁ ହସରେ ଉଡ଼ାନ୍ତି । ପରନ୍ତୁ ଆମେ ଯେତେବେଳେ ଦେଶ ସ୍ୱାଧୀନତାର ପରବର୍ତ୍ତୀ ସମୟ ଆଡ଼କୁ ଫେରିଚାହିଁବା, ଏପରି ସମାଲୋଚନାଗୁଡ଼ିକ ଆଡ଼େଇ ଦେଇପାରିବା ।
ସମାଲୋଚନାକୁ ଆଡ଼େଇ ଦେଇପାରିବାର କାରଣଗୁଡ଼ିକ ହେଲା: ପ୍ରଥମତଃ ଭାରତ ବିଶ୍ୱର ସବୁଠୁ ବିବିଧତାଭରା ସମାଜ ଏବଂ ସବୁଠୁ ସ୍ପନ୍ଦନଶୀଳ ଗଣତନ୍ତ୍ର । ଏହି ଦେଶର ସଂଖ୍ୟାଗରିଷ୍ଠ ହିନ୍ଦୁ ୬ହଜାର ଜାତିକୁ ନେଇ ଗଠିତ (ଏହି ୬ହଜାର ଜାତି ମଧ୍ୟରେ ୩,୫୦୦ ଅନ୍ୟାନ୍ୟ ପଛୁଆ ବର୍ଗର) । ପୁନଶ୍ଚ ଏପରି ଜାତିବାଦ ଇସ୍ଲାମ, ଖ୍ରୀଷ୍ଟିଆନ ଏବଂ ଅନ୍ୟାନ୍ୟ ଧର୍ମ, ଆସ୍ଥାକୁ ମଧ୍ୟ ଗ୍ରାସ କରିଛି³ ଭାରତୀୟମାନେ ୧୨୨ଟି ଭାଷା ଏବଂ ୨୭୦ଟି କଥିତ ଭାଷା (କିମ୍ବା ମାତୃଭାଷା ଜରିଆରେ ଭାବର ଆଦାନପ୍ରଦାନ କରନ୍ତି) କହନ୍ତି³ ବିଶ୍ୱର ଅଧିକାଂଶ ଧର୍ମର ଜନ୍ମସ୍ଥଳ ଭାରତ ଏବଂ ପାର୍ସୀ, ବୌଦ୍ଧଧର୍ମୀ, କିଛି ଇସଲାମୀୟ ଗୋଷ୍ଠୀ ପରି ନିର୍ଯାତିତଙ୍କୁ ମଧ୍ୟ ଭାରତ ନିଜ ପାଖରେ ଆଶ୍ରୟ ଦେଇଛି³ ଦେଶୀୟ (ନୃଜାତୀୟ) ବିବିଧତାକୁ ବିଚାରକୁ ନେଲେ ଦେଶର ଦକ୍ଷିଣ, ପୂର୍ବ, ପଶ୍ଚିମ, ଉତ୍ତର-ପୂର୍ବରେ ଜନସଂଖ୍ୟାର ଅଧିକାଂଶ ଭାଗ ନିର୍ଦ୍ଦିଷ୍ଟ ଶାରୀରିକ ଗଠନ, ରଙ୍ଗ, ଚାଲିଚଳଣକୁ ନେଇ ଗଠିତ । ଅନ୍ୟ ଭାବରେ କହିଲେ ବିଶ୍ୱର ସର୍ବବୃହତ ବିବିଧତାଭରା ରାଷ୍ଟ୍ର ଆମ ଭାରତ । ଏତେ ବେଶୀ ବିବିଧତା ସତ୍ତେ୍ୱ ଆମେ ଏକ ରାଷ୍ଟ୍ର ।
ଡ. ଆମ୍ବେଦକର ତଥା ସମ୍ବିଧାନ ଚିଠା ପ୍ରସ୍ତୁତକାରୀ କମିଟିର ଅନ୍ୟ ସମସ୍ତ ସଦସ୍ୟ ଭାରତ ବୈଚିତ୍ର୍ୟକୁ ଭଲଭାବେ ଜାଣିଥିଲେ, ହୃଦୟଙ୍ଗମ ମଧ୍ୟ କରିଥିଲେ । ଏଣୁ ସେମାନେ ଏମିତି ଏକ ସମ୍ବିଧାନ ପ୍ରଣୟନ କରିବାକୁ ପ୍ରୟାସ କରିଥିଲେ ଯାହା ବିବିଧତାଭରା ଜଟିଳ ସମାଜକୁ ଏକୀଭୂତ କରିବା ସହିତ ଏକ ରାଷ୍ଟ୍ରର ମଜଭୁତ୍ ଛାଞ୍ଚ ପକାଇପାରିବ । ସେମାନଙ୍କର ଅନନ୍ୟ ପ୍ରୟାସର ସଫଳତା ପ୍ରତିଫଳିତ ହୋଇଛି ସମ୍ବିଧାନରେ । ସମ୍ବିଧାନ ଜଟିଳ ଭାରତୀୟ ସମାଜର ବିଭିନ୍ନ କ୍ଷେତ୍ରକୁ ଏକାଠି ଧରିରଖିବା ସହିତ ଭାରତୀୟ ଏକତା ଏବଂ ସଂହତିକୁ ସୁନିଶ୍ଚିତ କରିପାରିଛି । ପୁନଶ୍ଚ, ଆବଶ୍ୟକ ସ୍ଥଳେ ସମ୍ବିଧାନରେ ବିଭିନ୍ନ ନିୟମରେ ସଂଶୋଧନ ଆଣିବା ଲାଗି ସମସ୍ତଙ୍କୁ ସୁହାଇବା ଭଳି ଏବଂ ସରଳ ପଦ୍ଧତି ରଖାଯାଇଛି । ଯଦ୍ୱାରା ସ୍ୱାଧୀନତା ପରବର୍ତ୍ତୀ ତିନି ପିଢ଼ି ସମ୍ବିଧାନରେ ସଂଶୋଧନ କରିବାକୁ ସମର୍ଥ ହେବା ସହିତ ଆଧୁନିକ ଭାରତୀୟ ସମାଜର ଆବଶ୍ୟକତା ପରିପୂରଣ ହୋଇପାରିଛି । ନମନୀୟ ବ୍ୟବସ୍ଥା ଜରିଆରେ ଡ. ଆମ୍ବେଦକର ସମ୍ବିଧାନରୁ ଋଢ଼ିବାଦକୁ ଦୂରେଇ ରଖିଛନ୍ତି । ସେ ଅପରିବର୍ତ୍ତନଶୀଳ ହେବା ଅପେକ୍ଷା ନମନୀୟ ହେବାକୁ ଅଗ୍ରାଧିକାର ଦେଇଯାଇଛନ୍ତି ।
ଡ.ଆମ୍ବେଦକର ଆମେରିକୀୟ ସମ୍ବିଧାନର ଜନକ ଜେଫରସନ୍ଙ୍କ ମତ ଦ୍ୱାରା ପ୍ରଭାବିତ ହୋଇଥିଲେ । ଜାଫରସନ କହିଥିଲେ ‘ଆମେ ପ୍ରତ୍ୟେକ ପିଢ଼ିକୁ ଗୋଟିଏ ସ୍ୱତନ୍ତ୍ର ରାଷ୍ଟ୍ର ଭାବେ ଗ୍ରହଣ କରିପାରିବା, ଯେଉଁଥିରେ ସଂଖ୍ୟାଗରିଷ୍ଠଙ୍କ ଇଚ୍ଛା ଅନୁଯାୟୀ, ଅଧିକାର ସହିତ ସେମାନେ ବାନ୍ଧିହୋଇ ରହିବେ । ମାତ୍ର ପରବର୍ତ୍ତୀ ପିଢ଼ିକୁ ଏଥିରେ ବାନ୍ଧି ଦିଆଯାଇନପାରେ ।’
ମାନବୀୟ ପ୍ରକୃତିକୁ ବୁଝିବାର ଏହା ଏକ ଉଲ୍ଲେଖନୀୟ ନିଦର୍ଶନ । ଏହାହିଁ ଭାରତୀୟ ସମ୍ବିଧାନ ଲେଖାରେ ପ୍ରତିଫଳିତ ହୋଇପାରିଛି । ଯେଉଁଥିପାଇଁ ଡ. ଆମ୍ବେଦକର ଏବଂ ତାଙ୍କର ସହଯୋଗୀଗଣ ସର୍ବୋଚ୍ଚ ପ୍ରଶଂସାର ଯୋଗ୍ୟ ଅଟନ୍ତି । କହିବା ବାହୁଲ୍ୟ ଏକ ପ୍ରଗତିଶୀଳ, ନମନୀୟ ତଥା ଦୂରଦୃଷ୍ଟିଯୁକ୍ତ ସମ୍ବିଧାନ ହିଁ ୩୫କୋଟି ଭାରତୀୟଙ୍କୁ ୧୯୪୭ରେ ଏକାଠି କରିପାରିଥିଲା ଏବଂ ବର୍ତ୍ତମାନର ୧୪୫କୋଟି ଭାରତୀୟଙ୍କୁ ଏକାଠି ରଖିପାରିଛି । ସାମାଜିକ ଏବଂ ଆର୍ôଥକ ଅଭ୍ୟୁଦୟ ଆଡ଼କୁ ଦେଶବାସୀ ନିରନ୍ତର ନିରବରେ ଆଗକୁ ବଢୁଛନ୍ତି ।
ଅତଃ, ଯେଉଁମାନେ ଆମ ସମ୍ବିଧାନ ତଥା ସାମ୍ବିଧାନିକ ଧାରାକୁ ସମାଲୋଚନା କରୁଛନ୍ତି, ସେମାନଙ୍କୁ ହସରେ ଉଡ଼ାଇଦେବା ଚାହି । ସେମାନେ ‘ନିଜ କଥା ଆଗେ ଚିନ୍ତା କରନ୍ତୁ’ ବୋଲି ଆମେ ସେମାନଙ୍କୁ ପରାମର୍ଶ ଦେଇପାରିବା । ଆମର ସମ୍ବିଧାନ ପ୍ରଣେତା ନିଜର ଭୂମିକା, ଦାୟିତ୍ୱକୁ ଗଭୀର ଭାବେ ବୁଝି ତୁଲାଇଛନ୍ତି । ସେମାନେ ଯେଉଁ ଅମୂଲ୍ୟ ଦସ୍ତାବିଜ୍ ଆମ ହାତରେ ଧରାଇ ଦେଇଯାଇଛନ୍ତି, ତାହା ସ୍ୱାତନ୍ତ୍ର୍ୟ, ସମାନତା ତଥା ଭ୍ରାତୃତ୍ୱକୁ ପ୍ରୋତ୍ସାହିତ କରିଆସିଛି । ସର୍ବୋପରି ଦେଶର ଏକତା, ଅଖଣ୍ଡତାକୁ ବଜାୟ ରଖିବାରେ ସହାୟକ ହୋଇଆସୁଛି।