ଏ ବିରାଟ ବିଶ୍ୱରେ ବାସ୍ତୁହରାକୁ କେହି ନା କେହି ତ ମଣିଷର ଅଧିକାର ଦେବ! ଭାରତ କିଭଳି ଭାବରେ ଉଗ୍ର ଓ ଆକ୍ରାମକ ଛିନ୍ନମୂଳ ମଣିଷକୁ ବି କରୁଣାର୍ଦ୍ର ହୃଦୟରେ ଗ୍ରହଣ କରିଚି ତାହା ଆମେ କହିବାକୁ କୁଣ୍ଠିତ ଓ ସେମାନେ ଜାଣିବାକୁ ଅନାଗ୍ରହୀ! କରୁଣାକୁ ବିଶ୍ୱମାନବତାର ଜାହ୍ନବୀ କରି ପ୍ରବାହିତ କରିବ କିଏ? ଆମେରିକା ବା ଋଷ ହେଇପାରନ୍ତି ଶକ୍ତିଶାଳୀ, କିନ୍ତୁ ନିଷ୍କରୁଣ ।
ନାମ ହରାଇବା ସହିତ ଭୂମିଚ୍ୟୁତ ହେବାର ବ୍ୟଥା ତୀବ୍ର, ଅତି ତୀବ୍ର । ପୃଥିବୀରେ ଅସଂଖ୍ୟ ମଣିଷ ଯେଉଁମାନେ ଧର୍ମ, ରାଜନୀତି, ଯୁଦ୍ଧ ବା ଅନ୍ନସଂସ୍ଥାନ ପାଇଁ କେବଳ ଆଶ୍ରୟ ସହିତ ଜୀବିକା ଦାୟରେ ନିଜ ମାତୃଭୂମିରୁ ବିତାଡ଼ିତ ହୋଇ ବା ସ୍ୱେଚ୍ଛାରେ ଅନ୍ୟ ଦେଶରେ ପହଞ୍ଚନ୍ତି ତାଙ୍କର ପରିଚିତି ନଥାଏ, ନା ପାସପାର୍ଟ ନା ନାଗରିକତାର ପ୍ରମାଣ । ବିକଳ ହୋଇ ସେମାନେ ଯୋଗ୍ୟତା ଭୁଲି ଯାହା ମିଳେ ତାହା କରନ୍ତି, ନ୍ୟୁନରୁ ନ୍ୟୁନତର କାମ । ଅଧିକାର ମାଗନ୍ତି ନାହିଁ କି ଅଧିକାର ସାବ୍ୟସ୍ତ କରିବାର କିଛି ଉପାୟ ନଥାଏ, ଆଇନର ଦୃଷ୍ଟିରେ ସେମାନେ ଅପରାଧୀ । ଏବେ ଯେଭଳି ଭାବରେ ଆମେରିକାରୁ ଅସଂଖ୍ୟ ଛିନ୍ନମୂଳଙ୍କୁ ଉତ୍ପାଟିତ କରି, ହାତ ଓ ଗୋଡ଼ରେ ବେଡ଼ି ପକାଇ ମୂଳ ଦେଶକୁ ପଶୁଙ୍କ ଭଳି ଫେରାଇ ଦିଆଗଲା ତାହା ଥିଲା ଅମାନୁଷିକ ।
ଆଧୁନିକତାର ଅର୍ଥ ଯଦି ମାନବିକ ଅଧିକାର ହୁଏ, ଏକ ବିଶ୍ୱର ମୌଳିକ କଳ୍ପନା ଯଦି ବିଶ୍ୱଗ୍ରାମ ହୁଏ, ତେବେ ନାଗରିକତା ମିଳୁ ନମିଳୁ କାମ କରି ପେଟ ପୋଷିବାର ଅଧିକାର ସମସ୍ତଙ୍କର ଅଛି । ରାଷ୍ଟ୍ରର ପରିଚିତି ପରୱାନା ଥାଉ କି ନଥାଉ ମଣିଷର ଏ ପୃଥିବୀ, ମଣିଷର ଅଧିକାର ସାବ୍ୟସ୍ତ କରିବାପାଇଁ କାହାରି ଅନୁମତି ଲୋଡ଼ା ନାହିଁ । ଏଠି ଗୋଟିଏ ରାଷ୍ଟ୍ରର ସାର୍ବଭୌମ ଅଧିକାରର ପ୍ରସଙ୍ଗ ଆପେ ଉଠିବ । ଗୋଟିଏ ଦେଶର ଲୋକ ଅନ୍ୟ ଏକ ଦେଶରେ ଭିସା, ୱର୍କ ପରମିଟ୍ ବା କଂଟ୍ରାକ୍ଟ ନଥାଇ ପ୍ରବେଶ କରିବା ନୀତିବିରୁଦ୍ଧ, କାରଣ କ୍ଷେତ୍ରପ୍ରବେଶର ନିଷ୍ପତ୍ତି ସାର୍ବଭୌମ ରାଷ୍ଟ୍ରର, ଏକଥା ସ୍ୱୀକାର୍ଯ୍ୟ । କିନ୍ତୁ ସମସ୍ତ କଟକଣା ସତ୍ତେ୍ୱ ଗୋଟିଏ ହତଭାଗ୍ୟ ବାସ୍ତୁହରା ଯଦି ସୀମା ଉଲ୍ଲଙ୍ଘନ କରି ଅନ୍ୟ ଦେଶରେ ପ୍ରବେଶ କରିଯାଏ ଓ କାମ ଖଣ୍ଡେ ପାଇଯାଏ, ତେବେ ଭୟରେ ବଞ୍ଚେ, ପରିବାର ବଞ୍ଚାଏ । ଦିନେ ଏମିତି ହୁଏ ଯେ ସେ ଧରାପଡ଼ିଯାଏ । ଦୁର୍ଭାଗ୍ୟ ଚରମରେ ପହଞ୍ଚେ ଯେତେବେଳେ ତାକୁ ଜୋରଜବର ଅପରାଧୀ ଭଳି ମୁଣ୍ଡାଟିଏ କରି ଠେଲି ଦିଆଯାଏ କାଳକୋଠରି ଭଳି ଦିଶୁଥିବା ବ୍ୟୋମଯାନ ବା ଜାହାଜ ଭିତରକୁ । ଜାହାଜ ଦେଶରେ ପହଞ୍ଚିଲା ବେଳକୁ ଦେଶ ନଥାଏ, କାରଣ ନାଗରିକତାର ପ୍ରମାଣପତ୍ର ନଥାଏ । କାରଣ ସେ କୌଣସି ଏକ ଦୁର୍ଦ୍ଦିନରେ ଦେଶ ଛାଡ଼ି ପଳେଇ ଆସିଥାଏ ।
ରାଜନୈତିକ ବା ଧର୍ମୀୟ ବିଦ୍ୱେଷ କାରଣରୁ । ଯେତେବେଳେ ହଜାର ହଜାର ସୀମା ଲଙ୍ଘି ଅନ୍ୟ ଏକ ଦେଶରେ ପହଞ୍ଚନ୍ତି ସେତେବେଳେ ତାଙ୍କର ସୁମାରି ହୁଏ, ତାଙ୍କର ଥଇଥାନ ପାଇଁ ସାମୂହିକ ବ୍ୟବସ୍ଥା କରାଯାଏ । ତାଙ୍କୁ କର୍ମନିଯୁକ୍ତି ମିଳେ, ଶିକ୍ଷା ମିଳେ, ଘର ମିଳେ, ଚାଷଜମି ମିଳେ, ବିଭିନ୍ନ ଧନ୍ଦା ମିଳେ ଓ ନୂଆ ସ୍ଥାନରେ ବସତି କରି ରହିଯିବାର ସବୁ ସୁଯୋଗ ମିଳେ । ସେମାନେ ନୂଅ ଜାଗା ଆଦରି ନିଅନ୍ତି । ଧୀରେ ଧୀରେ ସବୁ କପଟୀ ସମତଳବାସୀ ଅର୍ଦ୍ଧସହରୀଙ୍କ ଭଳି ଏ ଶରଣାର୍ଥୀମାନେ ଆଦିବାସୀ କ୍ଷେତ୍ରରେ ଜମି ମାଡିବସନ୍ତି, ଆଦିବାସୀଙ୍କୁ ପାହାଡ଼ ଜଙ୍ଗଲର ଆହୁରି ଅଭ୍ୟନ୍ତରକୁ ଖେଦି ଦିଅନ୍ତି । କେତେକ ସ୍ଥାନରେ ସହାବସ୍ଥାନ ବି ସମ୍ଭବ ହୁଏ । କାଳକ୍ରମେ ଏମାନେ ଦେଶର ନାଗରିକ ପ୍ରମାଣପତ୍ର ବି ହାସଲ କରନ୍ତି ଓ କେହି କେହି ରାଜନୀତିରେ ପଶି ଲୋକପ୍ରତିନିଧି ବି ହୁଅନ୍ତି । ଏ ହେଉଚି ତଥ୍ୟ ଓ ମୋର ଅନୁଭବ ।
ଦେଶ ବିଭାଜନ ପରେ ତତ୍କାଳୀନ ପୂର୍ବ-ପାକିସ୍ତାନରୁ ଭାରତକୁ ଛୁଟିଥିଲା ହିନ୍ଦୁ ଶରଣାର୍ଥୀଙ୍କ ସୁଅ । ସେମାନଙ୍କୁ ଥଇଥାନ କରିବା ପାଇଁ ଭାରତ ସରକାର ପରିକଳ୍ପନା କରିଥିଲେ ଅଞ୍ଚଳ ବିକାଶ ସହିତ ରିଫ୍ୟୁଜି ଶରଣାର୍ଥୀଙ୍କ ଥଇଥାନକୁ ମିଶାଇ ଦଣ୍ଡକାରଣ୍ୟ ପ୍ରୋଜେକ୍ଟ । ଏହାକୁ ବିଶ୍ୱର ସର୍ବବୃହତ ଥଇଥାନ ପ୍ରୋଜେକ୍ଟ ବୋଲି କୁହାଯିବ । ଏହାର ଆକାର ଥିଲା ୪୦,୦୦୦ ବର୍ଗ କିଲୋମିଟର । ଏ କ୍ଷେତ୍ର ବାହାରିଥିଲା ଓଡ଼ିଶା, ମଧ୍ୟପ୍ରଦେଶ (ଏବେ ଛତିଶଗଡ଼) ଓ ଆନ୍ଧ୍ରପ୍ରଦେଶର ପାର୍ବତ୍ୟ ଓ ଆରଣ୍ୟକ ପରିତ୍ୟକ୍ତ ତଥା ଅବିକଶିତ ଇଲାକାକୁ ଏକାଠି କରି । ମୁଖ୍ୟ ପ୍ରଶାସକଙ୍କ ମୁଖ୍ୟାଳୟ ଥିଲା କୋରାପୁଟରେ ।
ମଧ୍ୟପ୍ରଦେଶର ବସ୍ତର ଜିଲ୍ଲାର ଜଗଦଳପୁରରେ ଥିଲା ଗୁଡ଼ିଏ ନିର୍ଦ୍ଦେଶାଳୟ । ପାରଲକୋଟ, କୋଣ୍ଡାଗାଁଓ, ମାଲକାନଗିରି, ଉମରକୋଟରେ ଥିଲେ ଚାରି ଜୋନ୍ର ଜୋନାଲ ଆଡମିନିଷ୍ଟ୍ରେଟର । ଗୋଟେ କ୍ଷୁଦ୍ର ରାଜ୍ୟ ଭଳି ବ୍ୟବସ୍ଥା । ସିଭିଲ ସେବାରେ ଯୋଗଦେଲା ପରେ, ଠିକ୍ ପ୍ରୋବେସନ ସରିଲା ପରେ ସୌଭାଗ୍ୟକ୍ରମେ ମୁଁ ଡେପୁଟି ଏ. ଜି. ଭାବରେ ଯୋଗଦେଲି ମୋର ଜଗଦଳପୁର ଦପ୍ତରରେ । ବୟସ ଛବିଶ, କ୍ଷେତ୍ର ବିଶାଳ, ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ନିରୀକ୍ଷଣ । ଦିନ ରାତି ଚାଲିଥାଏ ପ୍ରୋଜେକ୍ଟ କାମ । ମତେ ମିଳିଥିଲା ଗୋଟେ ଷ୍ଟେସନ ୱାଗନ । କ୍ଷେତ୍ରରୁ କ୍ଷେତ୍ର ଆରଣ୍ୟକ ଗସ୍ତ । ବେଳେବେଳେ ରାୟପୁରରେ ସ୍ଥାପିତ ନାଜୀ କନସେନଟ୍ରେସନ କ୍ୟାମ୍ପ ଭଳି ବାର୍ବଡୱେରଘେରା ରିଫ୍ୟୁଜିଙ୍କ ଶିବିର । ପ୍ରତିଦିନ କିଏ ଜଣେ ବା ଗୋଟିଏ ଦଳ ଶିବିରରୁ ଖସିଯିବାର ପ୍ରୟାସ କରି ଧରାହୁଅନ୍ତି, ତାଙ୍କୁ ବୁଝାଶୁଝା କରି ଶିବିରକୁ ଫେରେଇ ଅଣାଯାଏ । ଜମିବଣ୍ଟା, କୃଷି, ଶିଳ୍ପ, ରାସ୍ତାଘାଟ, ଜଳାଶୟ, ସ୍ୱାସ୍ଥ୍ୟ, ଶିକ୍ଷା ସବୁ ଚାଲିଥାଏ । ଶହ ଶହ ଗାଡ଼ି, ଶହ ଶହ କର୍ମଚାରୀ, ସଦାଚଞ୍ଚଳ ପରିବେଶ କେବଳ ଏତିକି ନିଶ୍ଚିତ କରିବା ପାଇଁ ଯେ ଏ ହତଭାଗା ଛିନ୍ନମୂଳ, ବାସ୍ତୁହରା ମଣିଷଗୁଡ଼ିକ ଆଦରି ନିଅନ୍ତୁ ଏ ମାଟିକୁ, ସମ୍ମାନର ଜୀବନ ଜିଅଁନ୍ତୁ! ତିନିବର୍ଷ ଭିତରେ ମୁଁ ସତେଅବା ମାନବୀୟ ପ୍ରଶାସନର ଅର୍ଥ ପାଇଗଲି ।
ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରରେ ଦଣ୍ଡକାରଣ୍ୟରେ ବିସ୍ଥାପିତ, ଉତ୍ପୂବାସୀ, ବାସ୍ତୁହରାଙ୍କ ପୁନର୍ବାସର କାରୁଣିକ କଳ୍ପନା ବିଶ୍ୱରେ ଅଦ୍ୱିତୀୟ! ୟାର କଳ୍ପନା ଆମେରିକା ବା ୟୁରୋପରେ ହୋଇପାରିବ ନାହିଁ, କାରଣ କାରୁଣିକ ଖ୍ରୀଷ୍ଟଧର୍ମ ସତ୍ତେ୍ୱ ସେମାନଙ୍କର ରାଜନୈତିକ କଳ୍ପନାରେ ସମ୍ରାଜ୍ୟବାଦୀ ହିଂସା ଓ ଅଧିକାରସର୍ବସ୍ୱତାରେ ତାଙ୍କର ବଡ଼ପଣ । ଡୋନାଲ୍ଡ ଟ୍ରମ୍ପ ବାସ୍ତୁହରା ପ୍ରବାସୀଙ୍କୁ ଏକାଠି କରି ବେଡ଼ି ପକାଇ ସ୍ୱଦେଶକୁ ବସ୍ତୁ ଭଳି ଫେରେଇଦେବା ବେଳେ କାହିଁକି ଭାବିପାରିଲେନି ଯେ ୟାଙ୍କ ଭିତରେ ଆମେରିକାରେ ନିମ୍ନତମ କାମ କରି ପେଟ ପୋଷୁଥିବା ବାସ୍ତୁହରାଙ୍କର ଅପାତତଃ ଦେଶୀ ନାଁଟିଏ ଅଛି, କିନ୍ତୁ ଦେଶ ନାହିଁ?
ଏ ବିରାଟ ବିଶ୍ୱରେ ବାସ୍ତୁହରାକୁ କେହି ନା କେହି ତ ମଣିଷର ଅଧିକାର ଦେବ! ଭାରତ କିଭଳି ଭାବରେ ଉଗ୍ର ଓ ଆକ୍ରାମକ ଛିନ୍ନମୂଳ ମଣିଷକୁ ବି କରୁଣାର୍ଦ୍ର ହୃଦୟରେ ଗ୍ରହଣ କରିଚି ତାହା ଆମେ କହିବାକୁ କୁଣ୍ଠିତ ଓ ସେମାନେ ଜାଣିବାକୁ ଅନାଗ୍ରହୀ! କରୁଣାକୁ ବିଶ୍ୱମାନବତାର ଜାହ୍ନବୀ କରି ପ୍ରବାହିତ କରିବ କିଏ? ଆମେରିକା ବା ଋଷ ହେଇପାରନ୍ତି ଶକ୍ତିଶାଳୀ, କିନ୍ତୁ ନିଷ୍କରୁଣ । ଯୁକ୍ରେନର ଉପପ୍ରବାସୀମାନେ ପଡ଼ୋଶୀ ୟୁରୋପୀୟ ଦେଶମାନଙ୍କରେ କି ଅବସ୍ଥାରେ ଅଛନ୍ତି? ସେମାନେ ଫେରିବା ଅପେକ୍ଷାରେ, କେବେ ଯୁଦ୍ଧ ସରିବ, କେବେ ସେମାନେ ମାତୃଭୂମିକୁ ଫେରିବେ! ପୁଟିନ ଶୁଣନ୍ତି ଏମାନଙ୍କ ବ୍ୟଥାର ଦୀର୍ଘଶ୍ୱାସ? ନା ଆମେରିକା ନା ଋଷ ନା ୟୁରୋପୀୟ ଦେଶ!
ବାଇବଲ୍ କହେ: ଦ ମିକ ଶଲ ଇନହେରିଟ ଦ ଆର୍ଥ (ନିରୀହ ହିଁ ଦିନେ ପୃଥିବୀର ଉତ୍ତରାଧିକାର ପାଇବ) । କିନ୍ତୁ କେମିତି? ଦଣ୍ଡକାରଣ୍ୟ ଛାଡ଼ିବାର ତିନିବର୍ଷ ପରେ ମୁଁ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରାଳୟରେ ଡେପୁଟି ସେକ୍ରେଟାରୀ ଭାବରେ ଯୋଗଦେଲି ଓ ସଂଯୋଗକୁ ବିଦେଶ ମନ୍ତ୍ରାଳୟର ଉପପ୍ରବାସ ବିଭାଗ (ଏମିଗ୍ରେସନ ଡିଭିଜନ) ଶ୍ରମ ମନ୍ତ୍ରାଳୟକୁ ଆସିଲେ ଦୁଇଜଣ ଯୁବକ ଓ ମେଧାବୀ ଅଣ୍ଡର ସେକ୍ରେଟାରୀଙ୍କ ସହିତ । ମୁଁ ଡିରେକ୍ଟର ପାହ୍ୟାକୁ ପଦୋନ୍ନତ ହୋଇ ସେ ଡିଭିଜନର ଦାୟିତ୍ୱ ନେଲି । ଦୁଇ ଅଣ୍ଡର ସେକ୍ରେଟାରୀ ସେ ଡିଭିଜନରେ ଅବସ୍ଥାପିତ ହେଲେ । ଆମର ପ୍ରଥମ ଗୁରୁଦାୟିତ୍ୱ ଥିଲା ଜାତିସଙ୍ଘର ଜେନେରାଲ ଆସେମ୍ବଲୀର ଆସନ୍ତା ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ସଂକଳ୍ପପତ୍ର (ଡ୍ରାଫ୍ଟ ରିଜଲ୍ୟୁସନ)କୁ ଭାରତୀୟ ଦୃଷ୍ଟିକୋଣରୁ ମାର୍ଜିତ କରିବା ।
ମୋର ପ୍ରତ୍ୟକ୍ଷ ଅନୁଭୂତି ଆଧାରରେ ମୁଁ ଏକ କାରୁଣିକ ଦୃଷ୍ଟିକୋଣ ତହିଁରେ ପ୍ରବିଷ୍ଟ କରାଇବାକୁ ଚାହିଁଲି । ଶ୍ରୀ ବଳରାମ ଜାଖଡ଼ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ କଲେ, ମୁଁ ଓ ବିଦେଶ ମନ୍ତ୍ରାଳୟର ସଂଯୁକ୍ତ ସଚିବ ଶ୍ରୀ ସହାୟ ପ୍ରତିନିଧିମଣ୍ଡଳର ସଦସ୍ୟ ଭାବରେ ନ୍ୟୁୟର୍କ ପହିଞ୍ଚିବାର ଦିନେ ଛାଡ଼ି ସଂକଳ୍ପ ଉପସ୍ଥାପିତ ହେବାର ଥିଲା । ଏ ଭିତରେ ଗୋଟିଏ ଆଭ୍ୟନ୍ତରୀଣ କମିଟିରେ ଭାରତ, ଆମେରିକା, ଋଷ, ଫ୍ରାନ୍ସ ଓ କେତେକ ଆଫ୍ରିକାନ ଓ ଲାଟିନ ଆମେରିକାନ ଦେଶର ପ୍ରତିନିଧିଙ୍କ ବୈଠକ ହେବା ଏଜେଣ୍ଡାରେ ଥିଲା । ମୁଁ ଓ ଶ୍ରୀ ସହାୟ ଭାରତର ପ୍ରତିନିଧି ଭାବରେ ପୂର୍ବ ରାତିରେ ସାରାରାତି ଚେଇଁ ଲମ୍ବା ସଂକଳ୍ପଟିକୁ ଉଭୟ କୂଟନୈତିକ ଓ ମାନବୀୟ ଦୃଷ୍ଟିକୋଣରୁ ମାର୍ଜିତ କରିନେଇଥିଲୁ । କିନ୍ତୁ ଆମେରିକା ଓ ଋଷ? ଫ୍ରାନ୍ସ ନିରବ । ତେଣେ ଆମେ ଏସିଆ ଓ ଆଫ୍ରିକାର ସଦସ୍ୟ ଝଟାପଟା ଲାଗି ମାନବୀୟ ଡ୍ରାଫ୍ଟଟିଏ ତିଆରି କଲୁ ସାଧାରଣ ପରିଷଦରେ ପେସ୍ କରିବା ପାଇଁ । ଆମ ବୈଠକ ସରିବା ବେଳକୁ ଆସିଲେ ଆମେରିକାନ ସଦସ୍ୟ ଓ ଆମକୁ ଧନ୍ୟବାଦ ଦେଲେ, ସତେଯେମିତି ତାଙ୍କପାଇଁ କାମ କରୁଥିଲୁ ।
ସେ ଯାହାହେଉ ଆମ ଡ୍ରାଫ୍ଟ ପରିଷଦ ଅଫିସକୁ ପଠେଇଦେଲୁ । କିନ୍ତୁ ହେଲା କ’ଣ? ଆମକୁ ବିସ୍ମିତ ଓ ହତାଶ କରି ଆମେରିକାନ ଡ୍ରାଫ୍ଟ, ଯାହାକୁ ଆମେ ପ୍ରତ୍ୟାଖ୍ୟାନ କରିଥିଲୁ, ବହୁମତରେ ପାରିତ ହେଇଗଲା । ଏଥିରେ ଦେଶନିକାଲା ଓ ଦଣ୍ଡବିଧାନର ବ୍ୟବସ୍ଥା ଉପରେ ଗୁରୁତ୍ୱ ଥିଲା । ଭାରତ ବି ୟାର ସମର୍ଥନ କଲା । ଋଷ ଅନୁପସ୍ଥିତ । ହସି ହସି ଶ୍ରୀ ସହାୟ କହିଲେ- ଏଇଆ ହୁଏ! ଏଇଆ ହୁଏ ? ବିଶ୍ୱକୁ ବଦଳେଇବ କିଏ? ଏବର ଭାରତ ହିଁ ବଦଳେଇବ । ଏବେ ବିଶ୍ୱକୁ ତର୍କ ଓ ପ୍ରତିଷ୍ଠା ଦ୍ୱାରା ପ୍ରଭାବିତ କରିପାରିବ ଭାରତ! ଭାରତର ନେତୃତ୍ୱ ଏବେ ବିଶ୍ୱର ସମ୍ମାନର ପାତ୍ର । ଏ ପାତ୍ରତ୍ୱ ଏବେ ଉଭୟ ଆମେରିକା ଓ ଋଷକୁ ପ୍ରଭାବିତ କରିପାରିବ ଓ ମାନବୀୟ ଦୃଷ୍ଟିକୋଣକୁ ପ୍ରତିଷ୍ଠିତ କରିବାରେ ସହାୟକ ହେବ! ବାସ୍ତୁହରା ପାଇଁ ପୃଥିବୀରେ ଜାଗା ଟିକିଏ ପାଇଁ ଯଦି ନୈତିକ ନେତୃତ୍ୱ ନିଏ ଭାରତ, ତେବେ ଆଗକୁ ବହୁ ମାନବୀୟ ପ୍ରସଙ୍ଗ ବିଶ୍ୱ ପରିକଳ୍ପନାର ଅଂଶ ହେବେ।