ଯୁଗ ଯୁଗ ଧରି ଆଧ୍ୟାତ୍ମିକତା ଓ ବିଜ୍ଞାନ ଭିତରେ ଦ୍ୱନ୍ଦ୍ୱ ଲାଗିରହିଛି । ବିଜ୍ଞାନର ଧାରାକୁ ଠିକ୍ଭାବରେ ବୁଝିପାରିଲେ ଏହି ଦ୍ୱନ୍ଦ୍ୱର ଅବସାନ ଘଟିବ । ବିଜ୍ଞାନ ଏକ ଧାରା, ଯାହା ସମୟକ୍ରମେ ନିଜର ଭୁଲ୍କୁ ସଜାଡ଼ି, ପରିମାର୍ଜିତ ହୋଇ ନିଜର ଜ୍ଞାନର ପରିସୀମା ବଢ଼ାଇ ଚାଲିଛି । ଏପରିକି ଆଧ୍ୟାତ୍ମିକବାଦ ଓ ସବୁ ଧର୍ମରେ ଥିବା ଠିକ୍ କଥା ଓ ଉତ୍ତମ ଚିନ୍ତାଧାରାଗୁଡ଼ିକୁ ବିଜ୍ଞାନ ସ୍ୱୀକାର କରି ଗ୍ରହଣ କରିଆସିଛି । ପ୍ରତ୍ୟେକ ଧର୍ମରେ ବ୍ୟବହୃତ ବିଭିନ୍ନ ଧ୍ୟାନ ଓ ପ୍ରାର୍ଥନାର ପ୍ରକ୍ରିୟା, ଯାହା ହଜାର ହଜାର ବର୍ଷ ଧରି ଚାଲିଆସୁଛି ତା’ ଉପରେ ଅଧ୍ୟୟନ ଓ ଗବେଷଣା କରି ବୈଜ୍ଞାନିକମାନେ ସମ୍ମୋହନ ବିଦ୍ୟାର ବିକାଶ କଲେ ଓ ବିଜ୍ଞାନ ଏବେ ଏହାକୁ ମାନବ ସମାଜର କଲ୍ୟାଣରେ ବ୍ୟବହାର କରୁଛି । ଅପରପଷରେ ସମ୍ମୋହନ ବିଦ୍ୟାର ଅପବ୍ୟବହାର କରି କିଛି ବାବା ଓ ମାତାମାନେ ନିଜକୁ "ସ୍ୱ' ଘୋଷିତ ସର୍ବଶକ୍ତିମାନ ଭଗବାନ କହି ଜନସାଧାରଣଙ୍କୁ ଠକି ଚାଲିଛନ୍ତି । ସେହିଭଳି ଆଧ୍ୟାତ୍ମିକବାଦ ଓ ସବୁ ଧର୍ମରେ ଥିବା ବିଭିନ୍ନ ବିଜ୍ଞାନର ଉପାଦାନକୁ ଅଧ୍ୟୟନ କରି ମନସ୍ତତ୍ତ୍ୱ ବିଜ୍ଞାନ ବଳିଷ୍ଠ ହୋଇଛି ।
ଆଧ୍ୟାତ୍ମିକ ଓ ଧର୍ମ କ୍ଷେତ୍ରରେ ଯାହା ଠିକ୍ ଥିଲା ସେଗୁଡ଼ିକୁ ବିଜ୍ଞାନର ବିଭିନ୍ନ ବିଭାଗଗୁଡ଼ିକ ଗ୍ରହଣ କରିଛି । ଯେଉଁଗୁଡ଼ିକ ବିଶ୍ୱାସଯୋଗ୍ୟ ନୁହେଁ, ଯାହା ଭୁଲ୍ ବୋଲି ପ୍ରମାଣିତ ହେଲା ତାକୁ ବିଜ୍ଞାନ ଗ୍ରହଣ କଲାନାହିଁ । ସେଗୁଡ଼ିକ କିନ୍ତୁ ପୂର୍ବଭଳି ଆଧ୍ୟାତ୍ମିକବାଦ ଓ ସବୁ ଧର୍ମରେ ପ୍ରଚଳିତ ହୋଇଚାଲିଲା । ଏପରି ଅନେକ ଭୁଲ୍ କଥାଗୁଡ଼ିକ ଠିକ୍ ବୋଲି ପ୍ରମାଣ କରିବାକୁ ସବୁ ଧର୍ମର ଧର୍ମଯାଜକମାନେ ଆହୁରି ମାରାତ୍ମକ କଳ୍ପନା ତଥା ଆହୁରି ଭୁଲ୍ କଥାଗୁଡ଼ିଏ ଧର୍ମରେ ଯୋଡ଼ି, ଧର୍ମର ଦ୍ୱାହି ଦେଇ ସମାଜକୁ ଭୟଭୀତ କରିଚାଲିଛନ୍ତି । ଯେପରି ଗୋଟିଏ ଭୁଲ୍ ଲୁଚାଇବା ପାଇଁ ଶହେ ଭୁଲ୍ କହିବାକୁ ପଡ଼େ । ସେହିପରି ବହୁଳ ଭାବରେ ବ୍ୟବହାର କରାଯାଉଥିବା ଉକ୍ତି "ବିଜ୍ଞାନ ଯେଉଁଠାରେ ଶେଷ ହୁଏ ଆଧ୍ୟାତ୍ମିକତା ବା ଧର୍ମର ଆରମ୍ଭ ହୁଏ'ର କୌଣସି ଭିତ୍ତିଭୂମି ନାହିଁ ଏବଂ ଏହା ଭୁଲ୍ ପ୍ରଚାର ମାତ୍ର । ବିଶ୍ୱରେ ଏପରି କୌଣସି ଆଧ୍ୟାତ୍ମିକତା ବା ଧର୍ମ ନାହିଁ³ ଯେଉଁଠି ବିଜ୍ଞାନର ନିୟମ ପ୍ରଯୁଜ୍ୟ ହୁଏନାହିଁ । ବିଜ୍ଞାନ ହେଉଛି ବିଶ୍ୱରେ ତଥା ଆମ ପରିବେଶ ଆଦିକୁ ନିରୀକ୍ଷଣ କରି ପ୍ରକୃତି ପଛରେ ଥିବା ନିୟମକୁ ବାହାର କରିବା, ବୁଝିବା ଓ ତାକୁ ମାନବ ସମାଜର କଲ୍ୟାଣରେ ଲଗାଇବା ।
ଏଠି ଟିଭି ବା ମୋବାଇଲରେ ଦେଖାଯାଉଥିବା ସିନେମାର ଉଦାହରଣ ନିଆଯାଉ । ଏଥିରେ ଆଲୋକ, ଶବ୍ଦ, ବିଦ୍ୟୁତ-ଚୁମ୍ବକୀୟ କ୍ଷେତ୍ର ଆଦିର ନିୟମକୁ ବ୍ୟବହାର କରି ପ୍ରସାରଣ କରାଯାଏ ଓ ଏହି ତରଙ୍ଗକୁ ଆମେ ଟିଭି ବା ମୋବାଇଲରେ ସଂଗ୍ରହ କରି ସିନେମା ଦେଖିଥାଉ । ଏହା ପ୍ରାକୃତିକ ନୁହେଁ କି, ଏହା ଆକାଶରୁ ଖସିପଡ଼ିନାହିଁ, ଏହା ଆମେ ପ୍ରକୃତିର ନିୟମକୁ ଅଧ୍ୟୟନ କରି ବାହାର କରିଛେ । ଆମ ମୋବାଇଲ ଓ ଟିଭିର ପ୍ରତିଟି ଯନ୍ତ୍ରାଂଶ ତଥା ଷ୍ଟୁଡିଓରେ ପ୍ରସାରଣ ପାଇଁ ବ୍ୟବହୃତ ପ୍ରତିଟି ଯନ୍ତ୍ର ସବୁକୁ ପ୍ରକୃତିରେ ମିଳୁଥିବା ଜିନିଷ ଓ କିଛି ନିୟମକୁ ବ୍ୟବହାର କରି ମାନବ ସମାଜର ବିକାଶ ପାଇଁ ବିଜ୍ଞାନ ତିଆରି କରିଛି । ଏହାହିଁ ବିଜ୍ଞାନର ଧାରା । ତେଣୁ ପ୍ରଚାର କରାଯାଉଥିବା ଉକ୍ତି "ବିଜ୍ଞାନ ଯେଉଁଠାରେ ଶେଷ ହୁଏ ଆଧ୍ୟାତ୍ମିକତା ବା ଧର୍ମର ଆରମ୍ଭ ହୁଏ' ଆଦି କଥା ମାନିବା ହିଁ ଭୁଲ୍ ଅଟେ । ଏଭଳି ଭୁଲ୍ ବିଶ୍ୱାସ ପାଇଁ ଆମ ସମାଜରେ ଲକ୍ଷ ଲକ୍ଷ ଲୋକ ଅନେକ ବର୍ଷ ଧରି ଠକାମି ଓ ଶୋଷଣର ଶିକାର ହୋଇଚାଲିଛନ୍ତି । ଏହି କଥାକୁ ସର୍ବପ୍ରଥମେ ଆମକୁ ବୁଝିବାକୁ ପଡ଼ିବ । ଏବେ ଆପଣ କହିବେ ଆଧ୍ୟାତ୍ମିକତା ବା ଧର୍ମ ଆମକୁ ଶୃଙ୍ଖଳିତ କରେ ଓ ନୈତିକ ଶିକ୍ଷା ଦିଏ³ ଯେପରି କୁହାଯାଇଛି ଯେ ଆପଣଙ୍କ ପିତାମାତାଙ୍କୁ ସମ୍ମାନ କରିବା ଉଚିତ ।
ପ୍ରାଚୀନ କାଳରେ ସବୁ ଧର୍ମ ସହ ସବୁ କଥା, ସବୁ ସାମାଜିକ ଚଳଣି ଯୋଡ଼ି ହୋଇଥିଲା । ପିତାମାତାଙ୍କ ସହିତ କିପରି ବ୍ୟବହାର କରିବା ଉଚିତ! ଜଣେ ରାଜା ତାଙ୍କ ପ୍ରଜାଙ୍କ ସହିତ କିପରି ବ୍ୟବହାର କରିବେ, ରାଜ୍ୟ କିପରି ଚଳାଇବେ, କିପରି ଅର୍ଥନୀତି କାର୍ଯ୍ୟକାରୀ ହେବ, ପ୍ରଜା କିପରି ବ୍ୟବହାର କରିବା ଉଚିତ ଇତ୍ୟାଦି । ସବୁ ବିଷୟ ଧର୍ମ ସହ ଯୋଡ଼ା ଥିଲା ଓ ଧାର୍ମିକ ଗ୍ରନ୍ଥଗୁଡ଼ିକରେ ଏହାର ନିର୍ଦ୍ଦେଶମାନ ଥିଲା । କିନ୍ତୁ ଆଜି ଆମର ଶାସନ ବ୍ୟବସ୍ଥା ଭିନ୍ନ, ଆମ ଦେଶ ସମ୍ବଧାନ ଦ୍ୱାରା ପରିଚାଳିତ, ଏହା କୌଣସି ଧାର୍ମିକ ଗ୍ରନ୍ଥ ଦ୍ୱାରା ପରିଚାଳିତ ହେଉନାହିଁ । ଏହି ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆମେ ସବୁ ଧର୍ମ ସହ ଯୋଡ଼ା ଥିବା ଭଲ କଥାଗୁଡ଼ିକୁ ଚୟନ କରି ରାଜନୀତି ବିଜ୍ଞାନକୁ ବିକଶିତ କରିଛେ । ରାଜନୀତି ବିଜ୍ଞାନ ବିକଶିତ ହେବା ସହ ଅର୍ଥନୀତି, ଦର୍ଶନ ଶାସ୍ତ୍ର, ମନସ୍ତତ୍ତ୍ୱ ବିଜ୍ଞାନ ଆଦି ବିକଶିତ ହୋଇଛି । ପୂର୍ବରୁ ସମସ୍ତ ଜିନିଷ ଆଧ୍ୟାତ୍ମିକତା ସହିତ ଜଡ଼ିତ ଥିଲା, ଧର୍ମ ସହିତ ଜଡ଼ିତ ଥିଲା, ଏଥିରେ ବହୁତ ଭଲ ଜିନିଷ ଥିଲା, ଆମେ ସର୍ବଦା ଏହି ଜିନିଷଗୁଡ଼ିକୁ ସମର୍ଥନ ଏବଂ ପ୍ରଶଂସା କରିବା ଉଚିତ, ଏଥିପାଇଁ ଧର୍ମ ଏବଂ ଆଧ୍ୟାତ୍ମିକତାକୁ ଧନ୍ୟବାଦ ଦେବା ଉଚିତ । ବିଜ୍ଞାନ ସେସବୁ ନେଇଛି, ଯାହା ସତ୍ୟ ଥିଲା, ମାନବ ସମାଜର ଉନ୍ନତି ପାଇଁ ଉପଯୁକ୍ତ ଥିଲା, ଯାହା ମାନବ ଜୀବନର ଅନୁଭବ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଅତ୍ୟାବଶ୍ୟକ ଥିଲା । ବିଜ୍ଞାନର ବିଭିନ୍ନ ବିଭାଗ ଧର୍ମର ଠିକ୍ କଥାଗୁଡ଼ିକୁ ଗ୍ରହଣ କରି ଆଗେଇ ଚାଲିଲା । କିନ୍ତୁ ବିଜ୍ଞାନଠାରୁ ଆଧ୍ୟାତ୍ମିକତା ବଡ଼ ବୋଲି ଯଦି ଆଜିର ସମୟରେ କେହି କହୁଛନ୍ତି, ତାହାଲେ ସେ ପୂରା ଭୁଲ୍ କହୁଛନ୍ତି ।
ପୃଥିବୀର କୌଣସି ଲୋକ ଏପର୍ଯ୍ୟନ୍ତ ଏହାକୁ ପ୍ରମାଣ କରିପାରି ନାହାଁନ୍ତି କି କରିପାରିବେ ନାହିଁ । ଆମ ଜୀବନରେ ବିଜ୍ଞାନ ସହିତ ସାମାଜିକ ବିଜ୍ଞାନର ମଧ୍ୟ ଆବଶ୍ୟକତା ରହିଛି । ଜଣେ ନାଗରିକ ଅନ୍ୟ ଜଣଙ୍କ ସହିତ କିପରି ବ୍ୟବହାର କରିବା ଉଚିତ୍, କିଛି ନୀତି ନିୟମ ମାନିବା ଦରକାର, ଅନେକ ନୈତିକ ମୂଲ୍ୟବୋଧର ଆବଶ୍ୟକତା ରହିଛି ଓ ଏଗୁଡ଼ିକ ବିନା ସମାଜ ତିଷ୍ଠି ରହିବା କଷ୍ଟକର । ଏହାକୁ ଧାର୍ମିକ ଭାବନା ଆଧାରରେ ରଖାଯାଏନାହିଁ । ଯଦି ଆଜି ମଧ୍ୟ ଆମେ ଧାର୍ମିକ ଭାବନା ଆଧାରରେ ଏହି ନୀତି ନିୟମ ଓ ନୈତିକ ମୂଲ୍ୟବୋଧକୁ ରଖିଥାଆନ୍ତେ ତେବେ ଆଜିବି ଅନେକ ମାଆ, ଭଉଣୀ ଓ ମହିଳା ଅଶିକ୍ଷିତ ହୋଇ ଘରେ କବାଟ କିଳି ରହୁଥାନ୍ତେ । ସବୁ ଧର୍ମର ନୈତିକ ମୂଲ୍ୟବୋଧ ପୁସ୍ତକରେ ଏହି ଶିକ୍ଷା ଦିଆଯାଉଥିଲା । ଯଦି ଝିଅଟିଏ ପାଠ ପଢ଼ିବ, ତେବେ ପୂରା ପରିବାର ନର୍କକୁ ଯିବେ ବାଲି ବିଶ୍ୱାସ ଓ ଭୟ ପ୍ରଚଳିତ ଥିଲା । ଆଜି ଆମ ଦେଶର ଅନେକ ପୁଅ-ଝିଅ ପଢ଼ିବା ତଥା କାମ କରିବାପାଇଁ ସମୁଦ୍ର ପାର କରି ଯାଉଛନ୍ତି । ପୂର୍ବରୁ ସମୁଦ୍ର ପାର ହେବା ଅଧର୍ମ ଥିଲା, ତେଣୁ ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ତାଙ୍କ ଜାତିରୁ ବହିଷ୍କାର କରିଦିଆଯାଇଥିଲା, କାରଣ ସେ ୟୁରୋପକୁ ପାଠ ପଢ଼ିବାକୁ ଯାଇଥିଲେ ।
ପୂର୍ବରୁ ସମାଜର ପରିସ୍ଥିତି ଏପରି ଥିଲା । କିନ୍ତୁ ଆଜି ଆମେ ଏଭଳି ଅନେକ କଥାରେ ବିଶ୍ୱାସ କରୁନାହୁଁ କି ମାନୁନାହୁଁ । କାରଣ ଏହି ନିୟମଗୁଡ଼ିକ ମାନବ ଜୀବନ ତଥା ସମାଜ ପାଇଁ ଉପଯୁକ୍ତ ନୁହେଁ । ଯାହା ମାନବ ଜୀବନ ତଥା ସମାଜ ପାଇଁ ଠିକ୍ କଥା ତାହା ଧର୍ମରେ ହେଉ ବା ଶାସ୍ତ୍ରରେ ଥାଉ ତାକୁ ବିଜ୍ଞାନ ଦ୍ୱାରା ଗ୍ରହଣ କରାଯାଇଛି ଓ କରାଯିବ ମଧ୍ୟ । କିନ୍ତୁ ଯାହା ମାନବ ସମାଜ ପାଇଁ ଉପଯୁକ୍ତ ନୁହେଁ ତାହା ମାନବତା ପାଇଁ ଭଲ ନୁହେଁ, ସ୍ୱାଧୀନତା କିମ୍ବା ନ୍ୟାୟ ପାଇଁ ଠିକ୍ ନୁହେଁ, ସେଗୁଡ଼ିକୁ ସିଧା ସିଧା ଦୂରକୁ ଫିଙ୍ଗି ଦେବାର ଦକ୍ଷତା ପ୍ରତି ନାଗରିକଙ୍କ ରହିବା ଆବଶ୍ୟକ । ଏହି ଆଧାରରେ ଭାରତ ଏବେ ପ୍ରଗତି କରୁଛି ଆଗକୁ ବଢୁଛି । ଯଦି ଆମେ ଏହିଭଳି ଚିନ୍ତା କରିବା, ତେବେ ଏହି ଯେଉଁ ଦ୍ୱନ୍ଦ୍ୱ ଆମ ମନରେ ଉଠୁଛି- ବିଜ୍ଞାନକୁ ଗ୍ରହଣ କରିବା ନା ଆଧ୍ୟାତ୍ମିକବାଦକୁ, ତାହା ଆପେ ଆପେ ଚାଲିଯିବ ।