ପେନ୍ସନ, ପାରିବାରିକ ପେନ୍ସନ, ସର୍ବନିମ୍ନ ପେନ୍ସନ ସୁନିଶ୍ଚିତ ହେବା ସହିତ ଶିଳ୍ପ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରରେ ମହଙ୍ଗା ଭତ୍ତା ବା ଡିଏ ପ୍ରତି ୬ମାସରେ ସଂଶୋଧିତ ହୋଇଥାଏ । ଏଥିରେ ୨୫ବର୍ଷ ଚାକିରି ପାଇଁ ଅବସର ପୂର୍ବର ୧୨ମାସରେ ମିଳିଥିବା ହାରାହାରି ମୂଳ ଦରମା ଓ ମହଙ୍ଗା ଭତ୍ତାର ୫୦% ପେନ୍ସନ ଭାବେ ମିଳିବ ।
ପୁରାତନ ପେନ୍ସନ ଯୋଜନା (ଓପିଏସ୍) ଏକ ନନ-କଣ୍ଟ୍ରିବ୍ୟୁଟୋରି ପେନସନ୍ ଯୋଜନା ଥିଲା, ଯାହା ପେ-ଆଜ୍-ୟୁ-ଗୋ ଆଧାରରେ ପେନସନ୍ ନିଶ୍ଚିତଭାବେ ପ୍ରଦାନ କରାଯାଉଥିଲା । ଅର୍ଥାତ୍ ସରକାର ବର୍ତ୍ତମାନର ରାଜସ୍ୱରୁ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ପାଇଁ ପାଣ୍ଠି ଯୋଗାଇ ଦେଉଥିଲେ । ପେନ୍ସନଜନିତ ବ୍ୟୟ ବହନ ନକରିବା ପାଇଁ ପୁରାତନ ପେନ୍ସନ ଯୋଜନା ବଦଳରେ ନୂତନ ପେନ୍ସନ ଯୋଜନା ତତ୍କାଳୀନ ବାଜପେୟୀ ସରକାର ଜାନୁଆରୀ ୧, ୨୦୦୪ରୁ ପ୍ରଚଳନ କରିଥିଲେ । ଯାହାର ନାମ ପରେ ଜାତୀୟ ପେନ୍ସନ ଯୋଜନା ଏବଂ ପୁଣି ନ୍ୟାସନାଲ ପେନ୍ସନ ସିଷ୍ଟମ ବା ଜାତୀୟ ପେନ୍ସନ ବ୍ୟବସ୍ଥାକୁ ପରିବର୍ତ୍ତନ ହୋଇଥିଲା । କେନ୍ଦ୍ର ପରେ ରାଜ୍ୟ ସରକାରମାନେ ତାଙ୍କ କର୍ମଚାରୀଙ୍କ ପାଇଁ କାର୍ଯ୍ୟକାରୀ କରିଥିଲେ । ଘରୋଇ ବ୍ୟକ୍ତିଙ୍କ ପାଇଁ ଏହା ୨୦୦୯ ମେ’ ମାସ ୧ ତାରିଖରୁ ଉପଲବ୍ଧ ହେଉଛି । ଏନ୍ପିଏସ୍ରେ ଜଣେ କର୍ମଚାରୀ କେଉଁ ହାରରେ ଦେବ ସ୍ଥିର ଥିଲାବେଳେ, କେତେ ପେନ୍ସନ ପାଇବ ତାହାର କୌଣସି ନିଶ୍ଚିତତା ନଥିଲା । ଏଣୁ ସାରା ଦେଶର କର୍ମଚାରୀଙ୍କ ପକ୍ଷରୁ ଏହି ପେନ୍ସନ ଯୋଜନାର ସମ୍ପୂର୍ଣ୍ଣ ଉଚ୍ଛେଦ ସହ ଓପିଏସ୍ର ପୁନଃ ପ୍ରଚଳନ ପାଇଁ ଶ୍ରମିକ ସଙ୍ଗଠନଗୁଡ଼ିକ ଦାବି କରିଆସୁଥିଲେ । କିଛି ରାଜ୍ୟ ସରକାର ଯଥା- ରାଜସ୍ଥାନ, ଛତିଶଗଡ଼, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ମଧ୍ୟ ପୁରାତନ ପେନ୍ସନ ଯୋଜନା ପୁଣି ପ୍ରଚଳନ କରିଛନ୍ତି । କିନ୍ତୁ ଏନ୍ପିଏସ୍ ପାଣ୍ଠିକୁ ସେହି ରାଜ୍ୟମାନଙ୍କୁ ପେନ୍ସନ ପାଣ୍ଠି ନିୟାମକ ଓ ବିକାଶ ପ୍ରାଧିକରଣ ଫେରାଇବାକୁ ନାରାଜ ।
ଅପରପକ୍ଷରେ କେନ୍ଦ୍ର ସରକାର ଓପିଏସ୍ ପ୍ରଚଳନ ନକରି ୨୪ ଅଗଷ୍ଟ ୨୦୨୪ରେ ଏକ ପ୍ରେସ୍ ଇସ୍ତାହାର ଜରିଆରେ ଏକୀକୃତ ପେନ୍ସନ ଯୋଜନା ନାମରେ ଏକ ନୂଆ ପେନ୍ସନ ଯୋଜନା ଘୋଷଣା କରିଥିଲେ । ୨୫ ଜାନୁଆରୀ ୨୦୨୫ରେ ଗେଜେଟରେ ବିଜ୍ଞପ୍ତି ଜାରି କରିଥିଲେ, ଯାହା ୨୦୨୫ ଏପ୍ରିଲ ପହିଲାରୁ ଲାଗୁ ହୋଇଛି । କେନ୍ଦ୍ର ସରକାରୀ କର୍ମଚାରୀ ମଧ୍ୟରୁ ଯେଉଁମାନେ ୨୦୦୪ ମସିହା ଏପ୍ରିଲ ପହିଲାରୁ ଏନ୍ପିଏସ୍ ଅଧୀନରେ ଅଛନ୍ତି ସେମାନେ ଚାହିଁଲେ ସେହି ଯୋଜନାରେ ଅନ୍ତର୍ଭୁକ୍ତ ରହିପାରିବେ । ଅଫିସିଆଲ୍ ସେଣ୍ଟ୍ରାଲ ରେକର୍ଡ କିପିଙ୍ଗ ଏଜେନ୍ସି ମାଧ୍ୟମରେ ୟୁପିଏସରେ ଯୋଗ ଦେଇପାରିବେ । ସେହିପରି ୨୦୨୫ ମସିହା ଏପ୍ରିଲ ପହିଲାରୁ ଯେଉଁମାନେ ନୂତନଭାବେ ଚାକିରିରେ ଯୋଗଦେବେ, ସେମାନେ ଏନ୍ପିଏସ୍ ବା ୟୁପିଏସରୁ ଗୋଟିଏ ବାଛିପାରିବେ । କିନ୍ତୁ ୟୁପିଏସରେ ଥରେ ଯୋଗଦେଲା ପରେ ଆଉ ପରିବର୍ତ୍ତନ ସମ୍ଭବ ନୁହେଁ । ବହୁ କର୍ମଚାରୀ ଓ ଶ୍ରମିକ ସଂଗଠନ ନିଜ ନିଜର ଅସନ୍ତୋଷ ଜାହିର କରିବା ସହିତ ଓପିଏସର ପୁନଃ ପ୍ରଚଳନ ପାଇଁ ଦାବି କରିଛନ୍ତି ।
ଏନ୍ପିଏସ୍ ଅଧୀନରେ କର୍ମଚାରୀମାନେ ସେମାନଙ୍କର ମୌଳିକ ଦରମା ଏବଂ ମହଙ୍ଗା ଭତ୍ତାର ୧୦% ଦେଲାବେଳେ ସରକାର ୧୪% ଦେଇଥାନ୍ତି । ଉଭୟ ୨୪% ରାଶି ବଜାରରେ ନିବେଶ କରାଯାଏ । ଅଂଶଧନ, କର୍ପୋରେଟ ବଣ୍ଡ୍, ସରକାରୀ ପ୍ରତିଭୂତି, ବିକଳ୍ପ ନିବେଶ ପାଣ୍ଠି ଇତ୍ୟାଦିରେ ବିଭିନ୍ନ ଅନୁପାତରେ ନିବେଶ କରିବାକୁ ନିଜର ଅପ୍ସନ ଦେବାକୁ ପଡ଼ିଥାଏ । ଯିଏ ବେଶୀ ଭାଗ ଅଂଶଧନରେ ନିବେଶ କରିବ, ସେଥିରେ ଅଧିକ ରିଟର୍ଣ୍ଣ ମିଳିପାରେ ବା ବେଶୀ କ୍ଷତି ହୋଇପାରେ । ଅବସର ସମୟରେ, ଅବସରପ୍ରାପ୍ତ ବ୍ୟକ୍ତି ପେନସନ୍ ପାଣ୍ଠିର ୬୦% ଉଠାଇ ପାରିବେ ଓ ଅବଶିଷ୍ଟ ୪୦% ଆନ୍ୟୁଟି ବା ପେନ୍ସନ ପ୍ରାୟ ଏଲଆଇସି ପେନସନ ଫଣ୍ଡ୍ ଲିମିଟେଡ ପରି ୮ରୁ ଊଦ୍ଧ୍ୱର୍ ପେନସନ ଫଣ୍ଡ୍ ମଧ୍ୟରୁ ଯେକୌଣସି ଏକ ସଂସ୍ଥାଠାରୁ କିଣିବାକୁ ବାଧ୍ୟ । କିନ୍ତୁ ଓପିଏସ୍ ପରି ଏଥିରେ ମହଙ୍ଗା ଭତ୍ତା ମିଳେନାହିଁ କି କମ୍ୟୁଟେସନ ସୁବିଧା ନଥାଏ । ୮୦ବର୍ଷ ପରେ କୌଣସି ଅତିରିକ୍ତ ପେନସନ୍ ମିଳେନାହିଁ, ଏବଂ ଭବିଷ୍ୟତରେ ପେନସନ୍ରେ କୌଣସି ସଂଶୋଧିତ ହୁଏନାହିଁ । ଅବଶ୍ୟ ଏଥିରେ ଯେଉଁ ଟଙ୍କା ରଖାଯାଏ, ସର୍ବାଧିକ ୫୦,୦୦୦ ଟଙ୍କା ପୁରୁଣା ଆୟକର ବ୍ୟବସ୍ଥା ଅନୁସାରେ ଟିକସ ରିହାତି ମିଳେ । ଯେଉଁ ୬୦% ଏକାବେଳେ ମିଳେ ତାହା ଉପରେ ଟିକସ ପଡ଼େନାହିଁ । ଅବସରପ୍ରାପ୍ତ ବ୍ୟକ୍ତି ଏବଂ ତାଙ୍କ ପତି/ପତ୍ନୀ ଉଭୟଙ୍କ ମୃତ୍ୟୁ ପରେ, ବାକି ୪୦% ନୋମିନି ବା ନାମିତ ବ୍ୟକ୍ତିଙ୍କୁ ଫେରସ୍ତ କରାଯାଏ । କିନ୍ତୁ ଏହାକୁ ପୁରାତନ ପେନ୍ସନ ଯୋଜନାଠାରୁ ନିମ୍ନମାନର ବୋଲି ବିଚାର କରାଯାଇଥାଏ, କାରଣ ଏଥିରେ କୌଣସି ନିଶ୍ଚିତତା ନାହିଁ ।
ଅପରପକ୍ଷରେ ୟୁପିଏସ୍ ନନ୍-କଣ୍ଟ୍ରିବୁଟୋରି ବୋଲି ସମସ୍ତେ ଯାହା ପ୍ରଥମେ ଭାବୁଥିଲେ ବାସ୍ତବରେ ଏହା ଏନ୍ପିଏସ୍ ପରି କଣ୍ଟ୍ରିବୁଟୋରି ଅଟେ । ପୁରାତନ ପେନସନ୍ ଯୋଜନା ପରି ନନ୍-କଣ୍ଟ୍ରିବୁଟୋରି ନୁହେଁ । ଏହା ହାଇବ୍ରୀଡ ପେନସନ୍ ଯୋଜନା । ଏଥିରେ ଏନ୍ପିଏସ୍ ପରି କଣ୍ଟ୍ରିବୁଟୋରି ବା ଦେୟଯୁକ୍ତ ବା ୧୦% ହାରରେ ମୂଳ ଦରମା ଓ ମହଙ୍ଗାଭତ୍ତାରୁ ଦେବାକୁ ପଡ଼ିଲାବେଳେ, ଓପିଏସ୍ ପରି ରିଟର୍ଣ୍ଣ ବା ପେନସନ୍ ପରିମାଣ କିଛିଟା ସୁନିଶ୍ଚିତ ଅଟେ । ଅବଶ୍ୟ ଏହାର ରିଟର୍ଣ୍ଣ ବଜାର ସହିତ କିଛି ଫାକ୍ଟର ଉପରେ ନିର୍ଭର କରେ । ଏହା ‘ପେ-ଆଉଟ୍ ' ପରି ଅଟେ । ଏକ ପେ-ଆଉଟ୍ ହେଉଛି ଏକ ନିବେଶ ଯେଉଁଥିରୁ ରିଟର୍ଣ୍ଣ ମିଳିଥାଏ । ଏଥିରେ ପେନ୍ସନ, ପାରିବାରିକ ପେନ୍ସନ, ସର୍ବନିମ୍ନ ପେନ୍ସନ ସୁନିଶ୍ଚିତ ହେବା ସହିତ ଶିଳ୍ପ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରରେ ମହଙ୍ଗା ଭତ୍ତା ବା ଡିଏ ପ୍ରତି ୬ମାସରେ ସଂଶୋଧିତ ହୋଇଥାଏ ।
ଏଥିରେ ୨୫ବର୍ଷ ଚାକିରି ପାଇଁ ଅବସର ପୂର୍ବର ୧୨ମାସରେ ମିଳିଥିବା ହାରାହାରି ମୂଳ ଦରମା ଓ ମହଙ୍ଗା ଭତ୍ତାର ୫୦% ପେନ୍ସନ ଭାବେ ମିଳିବ । ସର୍ବନିମ୍ନ ୧୦ବର୍ଷ ଚାକିରି ଅବଧି ସାରି ଅବସର ନେବାପରେ ସର୍ବନିମ୍ନ ୧୦,୦୦୦ ଟଙ୍କା ପେନ୍ସନ ମିଳିବ । ୧୦ବର୍ଷରୁ ୨୫ବର୍ଷ ପର୍ଯ୍ୟନ୍ତ ସେବା ଅବଧି କ୍ଷେତ୍ରରେ ଆନୁପାତିକ ଭାବେ ପେନ୍ସନ ମିଳିବ । ଓପିଏସ୍ ଅନୁଯାୟୀ, ଅବସର ସମୟରେ ୧୦ବର୍ଷ କିମ୍ବା ସ୍ୱେଚ୍ଛାକୃତ ଅବସର ସମୟରେ ୨୦ବର୍ଷ ସେବା ଚାକିରି କରିଥିବା କେନ୍ଦ୍ର ସରକାରୀ କର୍ମଚାରୀମାନେ ସେମାନଙ୍କର ଶେଷ ମାସର ଦରମାର ୫୦ ପ୍ରତିଶତ ପେନସନ୍ ପାଇବାକୁ ହକ୍ଦାର ଥିଲେ । କିନ୍ତୁ ୟୁପିଏସ୍ ଅଧୀନରେ, ଅବସରପ୍ରାପ୍ତ ବ୍ୟକ୍ତିଙ୍କର ୨୫ବର୍ଷ ସେବା ବା ଚାକିରି ହେବା ଆବଶ୍ୟକ ।
ଅବସରପ୍ରାପ୍ତ କର୍ମଚାରୀଙ୍କର ଯଦି ୬୭ବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଏ, ତେବେ ଓପିଏସ୍ରେ ପାରିବାରିକ ପେନ୍ସନ ସେହିଭଳି ୫୦% ରହି ୬୭ବର୍ଷ ପରେ ୩୦% ହେଉଥିଲା । କିନ୍ତୁ ୟୁପିଏସ୍ରେ ପ୍ରାରମ୍ଭରୁ ୩୦% (୬୦%ର ୫୦%) ମିଳିବ । ଓପିଏସ୍ରେ ଶେଷ ମାସର ଅର୍ଥାତ୍ ଅବସର ମାସର ମୂଳ ଦରମା ଓ ମହଙ୍ଗାଭତ୍ତାର ୫୦% ପେନ୍ସନ ମିଳିବାବେଳେ, ୟୁପିଏସ୍ର କେବଳ ଶେଷ ୧୨ମାସର ହାରାହାରି ମିଳିବ, ଯାହା ଅଧିକାଂଶଙ୍କ କ୍ଷେତ୍ରରେ କ୍ଷତିକାରକ ହୋଇପାରେ । ଶେଷ ଦରମାଟା ପ୍ରାୟ ସର୍ବାଧିକ ହୋଇଥାଏ । ଏନ୍ପିଏସ୍ର କର୍ପସ ପାଣ୍ଠିରୁ ଯେଉଁ ଉଠାଣ ବ୍ୟବସ୍ଥା ଥିଲା, ୟୁପିଏସ୍ ସେ ବାବଦରେ ନିରବ । ଓପିଏସ୍ ୪୦% ପର୍ଯ୍ୟନ୍ତ କମ୍ୟୁଟେସନ ସୁବିଧା ଥିଲାବେଳେ ଏନ୍ପିଏସ୍ ପରି ୟୁପିଏସ୍ରେ ମଧ୍ୟ ଏହି ସୁବିଧା ନାହିଁ । ଅବଶ୍ୟ ପ୍ରତ୍ୟେକ ସମ୍ପୂର୍ଣ୍ଣ ୬ମାସ ସେବା ପାଇଁ ଅବସର ତାରିଖରେ ମିଳୁଥିବା ମାସିକ ପାରିଶ୍ରମିକ (ବେତନ୍ମଡିଏ)ର ଏକ ଦଶମାଂଶ ଏକକାଳୀନ ରାଶି ୟୁପିଏସ୍ରେ ମଧ୍ୟ ଉପଲବ୍ଧ ହେବ ।
ଅପରପକ୍ଷରେ ୟୁପିଏସ୍ ଅଧୀନରେ କର୍ମଚାରୀଙ୍କ ଅବଦାନ ୧୦% ରହିଥାଏ, କିନ୍ତୁ ନିଯୁକ୍ତିଦାତାଙ୍କ ଅବଦାନ ୧୪% ବଦଳରେ ୧୦% ହେବ । ମୋଟ୍ ୨୦% ବଜାରରେ ନିବେଶ କରାଯିବ । ଏହାକୁ ନେଇ ବ୍ୟକ୍ତିଗତ କର୍ପସ୍ (ଆଇସି) ଗଠିତ ହେବ । ଏହି ପାଣ୍ଠି ଜଣେ କିପରି ନିବେଶ କରିବ ବାଛିପାରିବ ବା ପିଏଫ୍ଆରଡିଏ ବାଛିବ । କିନ୍ତୁ ଏତଦ୍ ବ୍ୟତୀତ ସରକାର ଆଉ ୮.୫% ପ୍ରଦାନ କରିବେ । ଯାହାକୁ ନେଇ ପୁଲ୍ କର୍ପସ୍ ( ପିସି) ଗଠନ ହେବ । ଏହି ପାଣ୍ଠି ପିଏଫ୍ଆରଡିଏ ଦ୍ୱାରା ନିର୍ଦ୍ଧାରିତ ଅନୁସାରେ ନିବେଶ ହେବ । କର୍ମଚାରୀମାନେ ସେମାନଙ୍କ ସେବା ସମୟରେ ତିନିଥର ପର୍ଯ୍ୟନ୍ତ ସେମାନଙ୍କର ଅବଦାନରୁ ପ୍ରତ୍ୟାହାର କରିପାରିବେ । ଏହା ସହିତ, ଏକ ବେଞ୍ଚମାର୍କ କର୍ପସ୍ (ବିସି) ପ୍ରଚଳନ କରିଛି, ଯାହା ପିଏଫ୍ଆରଡିଏ ଦ୍ୱାରା ନିର୍ଦ୍ଧାରିତ ଏକ ପରିମାଣ ।
ବେଞ୍ଚମାର୍କ କର୍ପସ୍କୁ କାଳ୍ପନିକ ପରିସ୍ଥିତି ଉପରେ ଆଧାର କରି ଗଣନା କରାଯାଏ: ଯଦି ଜଣେ କର୍ମଚାରୀ ଡିଫଲ୍ଟ ବିନା (ଅନୁପସ୍ଥିତି, ସେବାରୁ ଅପସାରଣ କିମ୍ବା ପରବର୍ତ୍ତୀ ପୁନଃସ୍ଥାପନ ଯୋଗୁଁ), ସେମାନଙ୍କର ବ୍ୟକ୍ତିଗତ କର୍ପସ୍ରେ ନିବେଶ କରିଛନ୍ତି ଓ ପ୍ରତ୍ୟାହାର କରିନାହାଁନ୍ତି, ତେବେ ପରିଣାମସ୍ୱରୂପ କର୍ପସ୍କୁ ବେଞ୍ଚମାର୍କ କର୍ପସ୍ ଭାବରେ ବିବେଚନା କରାଯିବ । ସମ୍ପୂର୍ଣ୍ଣ ୫୦% ନିଶ୍ଚିତ ପେ-ଆଉଟ୍ ବା ପେନସନ ପାଇଁ ଯୋଗ୍ୟତା ହାସଲ କରିବା ପାଇଁ, ଅବସରପ୍ରାପ୍ତ ବ୍ୟକ୍ତିଙ୍କ ବ୍ୟକ୍ତିଗତ କର୍ପସ୍ ହିଁ ବେଞ୍ଚମାର୍କ କର୍ପସ୍ ସହିତ ସମାନ ହେବା ଆବଶ୍ୟକ । ଯଦି ବ୍ୟକ୍ତିଗତ କର୍ପସ୍ ବେଞ୍ଚମାର୍କ କର୍ପସ ଠାରୁ କମ୍ ଥାଏ, ତେବେ ଅବସରପ୍ରାପ୍ତ ଚାକିରିଆ ବା ପେନସନଧାରୀ ସଂପୂର୍ଣ୍ଣ ପେନସନ ପାଇବା ପାଇଁ ପାର୍ଥକ୍ୟ ଦେବାକୁ ପଡ଼ିବ, ନଚେତ ପେନସନ ୫୦% ନମିଳି କମ୍ ମିଳିବ । ଯଦି ବ୍ୟକ୍ତିଗତ କର୍ପସ୍ ବେଞ୍ଚମାର୍କ କର୍ପସ୍ କେବଳ ୮୦% ହୋଇଥାଏ, ତେବେ ଅବସରପ୍ରାପ୍ତ ବ୍ୟକ୍ତି ୫୦% ନିଶ୍ଚିତ ପେନସନ ବା ପେ-ଆଉଟ୍ର କେବଳ ୮୦% ପାଇବେ, ଅର୍ଥାତ୍, ତାଙ୍କ ଦରମାର ୪୦% ପାଇବେ । ଯଦି ବ୍ୟକ୍ତିଗତ କର୍ପସ୍ ବେଞ୍ଚମାର୍କ କର୍ପସ ଠାରୁ ଅଧିକ ଥାଏ, ତେବେ କର୍ମଚାରୀ ଅଧିକ ଫେରିପାଇବେ । କିନ୍ତୁ ଅଧିକ ହେବା ସମ୍ଭାବନା କ୍ଷୀଣ । ବିଭିନ୍ନ ଆର୍ଥିକ ସଙ୍କଟମୟ ପରିସ୍ଥିତିରେ, ଯଦି ଷ୍ଟକ ବଜାର ପତନ ଘଟେ ତେବେ ପେନସନ ବା ପେ-ଆଉଟ୍ ବହୁତ କମ୍ ମିଳିପାରେ । କିନ୍ତୁ ଏହା ସହିତ, ଅବସରପ୍ରାପ୍ତ ବ୍ୟକ୍ତିଙ୍କୁ ସେମାନଙ୍କର ବ୍ୟକ୍ତିଗତ କର୍ପସ୍ର ୧୦୦ ପ୍ରତିଶତ ପୁଲ୍ କର୍ପସ୍କୁ ସ୍ଥାନାନ୍ତର କରିବାକୁ ରାଜି ହେବାକୁ ପଡ଼ିବ, ଯାହା ଅବସରପ୍ରାପ୍ତ ବ୍ୟକ୍ତି କିମ୍ବା ତାଙ୍କ ମନୋନୀତ ବ୍ୟକ୍ତିଙ୍କୁ ଫେରସ୍ତ କରାଯିବନାହିଁ । ଏହି ସ୍ଥାନାନ୍ତର ଏକ ସ୍ଥାୟୀ କ୍ଷତି । କେବଳ ବେଞ୍ଚମାର୍କ କର୍ପସ୍ ସହ ଯେଉଁ ଅବସରପ୍ରାପ୍ତ ବ୍ୟକ୍ତିଙ୍କ ବ୍ୟକ୍ତିଗତ କର୍ପସ୍ ସମାନ ଥିବ ଏବଂ ସେମାନଙ୍କର ବ୍ୟକ୍ତିଗତ କର୍ପସ୍ର ଶତ ପ୍ରତିଶତ ପୁଲ୍ କର୍ପସ୍କୁ ସ୍ଥାନାନ୍ତର କରିବାକୁ ରାଜି ହୁଅନ୍ତି, ସେମାନଙ୍କୁ ସର୍ବନିମ୍ନ ୧୦,୦୦୦ ଟଙ୍କା ପେନସନ୍ ସୁନିଶ୍ଚିତ କରାଯାଏ ।
ପେନସନ୍ ପାଇଁ ଅର୍ଥ ନାହିଁ ବୋଲି ସରକାର ବାରମ୍ବାର କହୁଛନ୍ତି । ୨୦୨୩-୨୪ ମସିହାରେ ଭାରତ ସରକାର, କେନ୍ଦ୍ର ଏବଂ ରାଜ୍ୟ ଉଭୟ, ପେନସନ୍ ବାବଦରେ ପ୍ରାୟ ୯.୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିଲେ, ଯାହା ଭାରତର ଜିଡିପିର ୩.୩% ପ୍ରତି ଅଟେ । କିନ୍ତୁ ଏହା ଅନ୍ୟ ଅନେକ ଦେଶ ତୁଳନାରେ ବହୁତ କମ୍ । ପୁନଶ୍ଚ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସୁରକ୍ଷା ଯୋଜନା ।
ଯେତେବେଳେ ମାନବିକ ମୂଲ୍ୟବୋଧର ଅବକ୍ଷୟ ଯୋଗୁଁ ବାର୍ଦ୍ଧକ୍ୟ ଅବସ୍ଥାରେ ଲୋକମାନେ ବେଶୀ ଅବହେଳିତ ହେଉଛନ୍ତି, ସେତେବେଳେ କେବଳ ସଂଗଠିତ କର୍ମଚାରୀ ନୁହେଁ ଅସଂଗଠିତ ଶ୍ରମିକ ଓ କର୍ମଚାରୀଙ୍କୁ ଏହା ଉପଲବ୍ଧ କରାଇବା ଉଚିତ । ଏକ ପେନସନ୍ ବିବାଦକୁ ନେଇ ସୁପ୍ରିମକୋର୍ଟର ଜଷ୍ଟିସ୍ ହୃଷୀକେଶ ରାୟ ଏବଂ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମତ ଦେଇଥିଲେ ଯେ "...ପେନସନ୍ ଏକ ଅଧିକାର ଏବଂ ଏକ ବଦାନ୍ୟତା ନୁହେଁ । ଏହା ଏକ ସାମ୍ବିଧାନିକ ଅଧିକାର ।