ଆମର ଷ୍ଟାର୍ଟଅପଗୁଡ଼ିକ ଯେତିକି ଚତୁର ସେତିକି ସକ୍ରିୟ ମଧ୍ୟ । ବୈଶ୍ୱିକ ମହାମାରୀ କୋଭିଡ-୧୯ କାଳରେ ଷ୍ଟାର୍ଟଅପମାନେ ଅନେକ ପ୍ରକାର ବିଶ୍ଳେଷଣାତ୍ମକ ସମାଧାନମାନ ବିକାଶ ଘଟାଇଥିଲେ । ସେମାନେ ଡ୍ରୋନ୍ ଠାରୁ ଆରମ୍ଭ କରି ଟେଲି ଯୋଗାଯୋଗ ପ୍ଲାଟଫର୍ମ ଆଦି ପ୍ରସ୍ତୁତ କରିପାରିଥିଲେ । ତାହା ପୁଣି ଯଥାଶୀଘ୍ର ସମ୍ପର୍କ ସ୍ଥାପନ, ଯୋଗାଯୋଗ, ଲୋକମାନଙ୍କୁ ଠାବ କରିବା, କ୍ୱାରାଣ୍ଟାଇନ୍ ମନିଟରିଂ ଏବଂ ‘ୱାର୍ ରୁମ୍’ ପାଇଁ ଡ୍ୟାସବୋର୍ଡ ପ୍ରସ୍ତୁତ କରିବାରେ ସହାୟକ ହୋଇଥିଲା ।
ପ୍ରୟାଗରାଜ ସଙ୍ଗମଠାରେ ଆୟୋଜିତ ମହାକୁମ୍ଭର ଅବିଶ୍ୱସନୀୟ ସଫଳତା ପରେ, ବିକାଶର ତିନି ଧାରାର ମହାସଙ୍ଗମକୁ ଉତ୍ସବ ଆକାରରେ ପାଳନ କରିବାର ଏବେ ଆମ ନିକଟରେ ଅବସର ଆସି ପହଞ୍ଚିଛି । ସେହି ତିନିଟି ବିକାଶଧାରା ହେଲା: ନବସୃଜନ, କର୍ମନିଯୁକ୍ତି ସୃଷ୍ଟି ଏବଂ ଉଦ୍ୟମିତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଏବଂ ଐତିହ୍ୟର ପରିକଳ୍ପନା ଏକ ସ୍ପନ୍ଦିତ ଭାରତ ଗଠନ ନିମନ୍ତେ ମାର୍ଗ ପ୍ରଶସ୍ତ କରୁଛି ।
ଏହି ତିନିଟିଯାକ ଧାରାର ସମ୍ମିଶ୍ରଣ ଅପ୍ରେଲ ୩ ତାରିଖ ଦିନ ଆୟୋଜିତ ହେଉଥିବା ଷ୍ଟାର୍ଟଅପ୍ ମହାକୁମ୍ଭରେ ପରିଲକ୍ଷିତ ହୋଇଛି । ପ୍ରୟାଗରାଜଠାରେ ଯେଉଁଭଳି ଭାବରେ ଅବିଶ୍ୱସନୀୟ ଆଧ୍ୟାତ୍ମିକତାର ସମ୍ମେଳନକୁ ଦେଖିବାକୁ ମିଳିଥିଲା, ଷ୍ଟାର୍ଟଅପ୍ ମହାକୁମ୍ଭରେ ସେହିଭଳି ଭବ୍ୟତା ଏବଂ ବୈଶ୍ୱିକ ମାତ୍ରାରେ ଏହାର ଆୟୋଜନ ପରିଲକ୍ଷିତ ହେଉଛି ।
ଏହି କାର୍ଯ୍ୟକ୍ରମରେ ୩୦୦୦ରୁ ଅଧିକ ଷ୍ଟାର୍ଟଅପ୍, ୧୦୦୦ରୁ ଅଧିକ ନିବେଶକ, ୧୫,୦୦୦ରୁ ଅଧିକ ପ୍ରତିନିଧି ଏବଂ ବ୍ୟାବସାୟିକ ଅଂଶଗ୍ରହଣକାରୀ ଯେଉଁମାନେ କି ସମଗ୍ର ବିଶ୍ୱରୁ ଆସି ଏଠାରେ ଏକତ୍ରିତ ହେବାର ଆଶା କରାଯାଉଛି, ସେମାନେ ପ୍ରାୟ ୫୦ରୁ ଅଧିକ ରାଷ୍ଟ୍ରର ପ୍ରତିନିଧିତ୍ୱ କରୁଛନ୍ତି । ତେଣୁ ଏଠାରେ ସହଭାଗିତା, ମେଣ୍ଟରସିପ୍, ପାଣ୍ଠି ସଂଗ୍ରହ ଏବଂ ନୂତନ ବଜାର ଆହରଣର ଏକ ଶକ୍ତିଶାଳୀ ମଞ୍ଚ ହେବ । ଏହି କାର୍ଯ୍ୟକ୍ରମ ଅବସରରେ ମାଷ୍ଟର କ୍ଲାସ୍, ଜ୍ଞାନ ଆଦାନ ପ୍ରଦାନ ଅଧିବେଶନ ଏବଂ ନେଟୱାର୍କି ଫୋରମର ବ୍ୟବସ୍ଥା କରାଯାଇଛି । ତେଣୁ ଏହା କେବଳ ନବସୃଜନ ପାଇଁ ଅଭୂତପୂର୍ବ ସୁଯୋଗ ଯୋଗାଇବ ନାହିଁ, ଅପରପକ୍ଷେ ପରବର୍ତ୍ତୀ ପିଢ଼ିର ଉଦ୍ୟୋଗୀମାନେ ସେମାନଙ୍କର ଉପକ୍ରମର ଶୁଭାରମ୍ଭ କରିବା ନିମନ୍ତେ ଏହା ବ୍ୟାପକ ସୁଯୋଗ ଏବଂ କ୍ଷେତ୍ର ଯୋଗାଇବ ।
ଏଥିସହିତ ଚଳିତ ବର୍ଷ ମହାକୁମ୍ଭରେ ଏକ ତ୍ରିସ୍ତରୀୟ ନିବେଶକ ପରିଚାଳିତ ଜୁରି ପ୍ରକ୍ରିୟା ୧୫୦ଜଣ ଫାଇନାଲିଷ୍ଟଙ୍କୁ ଚୟନ କରିବେ, ଯାହାକି ଭାରତର ସର୍ବବୃହତ୍ ଘରୋଇ ସେକ୍ଟର ପାଣ୍ଠି ପରିଚାଳିତ ଗ୍ରାଣ୍ଡ୍ ନବସୃଜନ ଚାଲେଞ୍ଜର ଆୟୋଜନ କରାଯାଇଛି, ଯେଉଁଥିରେ ୫୦କୋଟି ଟଙ୍କାର ପୁରସ୍କାର ରାଶିର ବ୍ୟବସ୍ଥା କରାଯାଇଛି ।
ନବସୃଜନ: ତାହା ଚେସ୍ ଖେଳ ହୋଇଥାଉ ଅଥବା ପ୍ରାଚୀନ ଭାରତର "ଶୂନ' ଚିନ୍ତାଧାରା ହୋଇଥାଉ ବା ୟୁ.ପି.ଆଇ. ଆଜିର ଚନ୍ଦ୍ରଯାନ ଓ ମଙ୍ଗଳଯାନ ହୋଇଥାଉ, ନବସୃଜନ ସଦାବେଳେ ଭାରତର ମୂଳ ଭାବନାରେ ହିଁ ରହିଆସିଛି । ନୂତନ ଚିନ୍ତାଧାରା, ଅଭିନବ ବସ୍ତୁ ଓ ସ୍ୱାସ୍ଥସେବା ଗବେଷଣା ଏବଂ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ହାସଲ କରାଯାଇପାରିଛି ଏବଂ ଏହାରି ଆଧାରରେ ୨୦୪୭ ମସିହା ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାର ଲକ୍ଷ୍ୟପଥରେ ଆଗକୁ ଅଗ୍ରସର ହେଉଛି । ତେଣୁ ଯଥାର୍ଥରେ ଏହି କାର୍ଯ୍ୟକ୍ରମର ନାମକରଣ କରାଯାଇଛି "ଷ୍ଟାର୍ଟଅପ୍ ଇଣ୍ଡିଆଅ୨୦୪୭' ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ତାଙ୍କର ସ୍ୱାଧୀନତା ଦିବସ ଉଦ୍ବାଧନ ପ୍ରଦାନ ଅବସରରେ ନିଜର ଚିନ୍ତାଧାରାକୁ ଅତି ସ୍ପଷ୍ଟଭାବରେ ବ୍ୟକ୍ତ କରି କହିଥିଲେ ଯେ, ଭାରତକୁ ବୈଶ୍ୱିକ ଷ୍ଟାର୍ଟଅପ୍ ହବ୍ରେ ପରିଣତ କରିବା ଏବଂ ଦେଶକୁ କର୍ମନିଯୁକ୍ତି ସୃଜକର ପେଣ୍ଠସ୍ଥଳୀରେ ରୂପାନ୍ତର କରିବା ହେଉଛି ତାଙ୍କର ଲକ୍ଷ୍ୟ । ଏହି ଅଭିଭାଷଣ ପ୍ରଦାନର ଅଳ୍ପଦିନ ମଧ୍ୟରେ ପଟ୍ଟପରିବର୍ତ୍ତନକାରୀ ଷ୍ଟାର୍ଟଅପ୍ ଇଣ୍ଡିଆ ଉପକ୍ରମର ଶୁଭାରମ୍ଭ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଏହି ଉପକ୍ରମ ଯୁବଶକ୍ତିର ଏକ ଉତ୍ସକୂପ ଭଳି ଉତ୍ସାହ ସୃଷ୍ଟି କରିଛି ଏବଂ ଭାରତର
ଉଦ୍ୟମିତା ପୃଷ୍ଟଭୂମିରେ ବ୍ୟାପକ ପରିବର୍ତ୍ତନ ଘଟାଇଛି । ଏହାଫଳରେ ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟାରେ ବ୍ୟାପକ ବୃଦ୍ଧି ପରିଲକ୍ଷିତ ହୋଇଛି। ୨୦୧୬ ମସିହାରେ ଦେଶରେ ମାତ୍ର ୫୦୦ ଷ୍ଟାର୍ଟଅପ୍ ଥିବାବେଳେ ଆଜି ସେହି ସଂଖ୍ୟା ପ୍ରାୟ ୧.୭ ଲକ୍ଷ ଛୁଇଁଛି । ଏହିସବୁ ଉପକ୍ରମ ଯୋଗୁଁ ଫିନ୍ ଟେକ୍, ଡିପ୍ ଟେକ୍, ଇଡୁ ଟେକ୍, ନାନୋ ଟେକ୍, ବାୟୋ ଟେକ୍, ଏଗ୍ରୀ ଟେକ୍ ଏବଂ ହେଲ୍ଥ ଟେକ୍ ସମେତ ୫୫ରୁ ଅଧିକ କ୍ଷେତ୍ରରେ ଏହି ଉପକ୍ରମ ପ୍ରସାରିତ ହୋଇଛି³ ଯାହାକି ଭାରତକୁ ସାରାବିଶ୍ୱରେ ପ୍ରଯୁକ୍ତି ପ୍ରେରିତ ଏକ ପ୍ରମୁଖ ଉଦ୍ୟୋଗ ଭୂମିରେ ପରିଣତ କରିଛି ।
ଦେଶର ଷ୍ଟାର୍ଟଅପ୍ ଆରମ୍ଭ କରିବା ନିମନ୍ତେ ସରକାର ସକ୍ରିୟତାର ସହିତ ସହାୟତା ପାଣ୍ଠି ଯୋଗାଇ ଦେଉଛନ୍ତି । ଗତବର୍ଷ ବଜେଟରେ ଆମ ସରକାର ଆଞ୍ଜେଲ୍ ଟିକସର ଉଚ୍ଛେଦ କରିଥିଲେ । ଏହା ଏଭଳି ଏକ ପଦକ୍ଷେପ ଯାହାକୁ ସମସ୍ତ ନୂତନ ଉଦ୍ୟୋଗୀ ପ୍ରଶଂସା କରିଥିଲେ । ଚଳିତ ବର୍ଷ ବଜେଟରେ ୧୦,୦୦୦ କୋଟି ଟଙ୍କାର ଏକ ନୂତନ "ଫଣ୍ଡ୍ ଅଫ୍ ଫଣ୍ଡ୍'ର ଶୁଭାରମ୍ଭ କରାଯାଇଛି ।
କର୍ମନିଯୁକ୍ତି ଓ ସମସ୍ୟାର ସମାଧାନ: ସରକାରୀ ପଞ୍ଜୀକୃତ ଷ୍ଟାର୍ଟଅପ୍ମାନେ ୨୦୨୫ ମସିହା ଜାନୁଆରୀ ୩୧ ତାରିଖ ସୁଦ୍ଧା ୧୭ଲକ୍ଷ ୬୯ହଜାର ପ୍ରତ୍ୟକ୍ଷ କର୍ମନିଯୁକ୍ତି ସୃଷ୍ଟି କରିପାରିଛନ୍ତି । ଏହା ବ୍ୟତୀତ, ସେମାନେ ବାସ୍ତବ ଦୁନିଆର ଅନେକ ସମସ୍ୟାର ଅତ୍ୟାଧୁନିକ ସମାଧାନ ଉପାୟମାନ ମଧ୍ୟ ଯୋଗାଇ ପାରିଛନ୍ତି । ଅଣ-ସଂକ୍ରମଣଯୁକ୍ତ କର୍କଟ ନିଦାନ କ୍ଷେତ୍ରରେ ବୈପ୍ଳବିକ ପ୍ରଗତି, କୃତ୍ରିମ ପ୍ରଜ୍ଞାଯୁକ୍ତ ଥର୍ମାଲ ଇମେଜିଂ ପ୍ରଯୁକ୍ତି, ପେମେଣ୍ଟ ଗେଟୱେ ସମାଧାନର ସୁଲଭ ଏବଂ ସକ୍ରିୟ ଉପାୟ, ଅନେକ ପ୍ରକାର ପରିବେଶ ଅନୁକୂଳ ଆକର୍ଷଣୀୟ ଉତ୍ପାଦ ସୃଷ୍ଟି ଏବଂ ବର୍ଜ୍ୟରୁ ସଂପଦ ସୃଷ୍ଟି, ଆମର ସାଇବର ସ୍ପେସରେ ସୁରକ୍ଷିତ ରଖିବା କେବଳ ଏଭଳି ସମସ୍ୟାରେ କେତେଗୋଟି ଉଦାହରଣ ନୁହେଁ । ବରଂ ଭାରତ ସମେତ ସମଗ୍ର ବିଶ୍ୱ ପାଇଁ ଏହିସବୁ ଷ୍ଟାର୍ଟଅପମାନେ ସମାଧାନ ପନ୍ଥା ଯୋଗାଣର ପ୍ରକୃତ ସାଧନ ପାଲଟିଛନ୍ତି ।
ଆମର ଷ୍ଟାର୍ଟଅପଗୁଡ଼ିକ ଯେତିକି ଚତୁର ସେତିକି ସକ୍ରିୟ ମଧ୍ୟ । ବୈଶ୍ୱିକ ମହାମାରୀ କୋଭିଡ-୧୯ କାଳରେ ଷ୍ଟାର୍ଟଅପମାନେ ଅନେକ ପ୍ରକାର ବିଶ୍ଳେଷଣାତ୍ମକ ସମାଧାନମାନ ବିକାଶ ଘଟାଇଥିଲେ । ସେମାନେ ଡ୍ରୋନ୍ ଠାରୁ ଆରମ୍ଭ କରି ଟେଲି ଯୋଗାଯୋଗ ପ୍ଲାଟଫର୍ମ ଆଦି ପ୍ରସ୍ତୁତ କରିପାରିଥିଲେ । ତାହା ପୁଣି ଯଥାଶୀଘ୍ର ସମ୍ପର୍କ ସ୍ଥାପନ, ଯୋଗାଯୋଗ, ଲୋକମାନଙ୍କୁ ଠାବ କରିବା, କ୍ୱାରାଣ୍ଟାଇନ୍ ମନିଟରିଂ ଏବଂ "ୱାର୍ ରୁମ୍' ପାଇଁ ଡ୍ୟାସବୋର୍ଡ ପ୍ରସ୍ତୁତ କରିବାରେ ସହାୟକ ହୋଇଥିଲା । ସେହିଭଳି ପି.ପି.ଇ. କିଟ୍, ଭେଣ୍ଟିଲେଟର, ଉତ୍ପାଦ ଓ ସେବାର ନମୁନା ସଂଗ୍ରହ ନିମନ୍ତେ ନାନାଦି ଅଭିନବ ଉପକରଣମାନ ବିକାଶ ଘଟାଇବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଉଦ୍ୟମିତା ସଂସ୍କୃତି: ଷ୍ଟାର୍ଟଅପ୍ ଇଣ୍ଡିଆ ଉପକ୍ରମ ସାରାଦେଶରେ ଲୋକମାନଙ୍କ ମନରେ ଉଦ୍ୟମିତା ମାନସିକତାରେ ଉଲ୍ଲେଖନୀୟ ତଥା ଆମୂଳଚୂଳ ପରିବର୍ତ୍ତନ ଘଟାଇଛି । ଯେଉଁଠାରେ ପରିବାରମାନେ ଏକ ନିରାପଦ ଚାକିରିରେ ନିଜକୁ ସୁସ୍ଥ ଓ ସୁରକ୍ଷିତ ତଥା ଖୁସି ମଣୁଥିଲେ, ଆଜି ସେମାନେ ଉତ୍ସାହିତ ହେଉଛନ୍ତି ଏବଂ ଉଦ୍ୟମିତା ପଦକ୍ଷେପ ନିମନ୍ତେ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି । ସେମାନଙ୍କ ପରିବାରର ଯୁବ ସଦସ୍ୟମାନଙ୍କର ଏଭଳି ପଦକ୍ଷେପ ଲାଗି ସେମାନେ ଗର୍ବ ଅନୁଭବ କରୁଛନ୍ତି । ଏହା ଆମ ଦେଶର ଯୁବଗୋଷ୍ଠୀଙ୍କ ମନରୁ ଚାକିରି ଖୋଜିବା ମାନସିକତା ଦୂରକରି କର୍ମନିଯୁକ୍ତି ସୃଜକ ମାନସିକତାରେ ସେମାନଙ୍କ ମନ ଭରିଦେଉଛି । ଏଭଳି ଶକ୍ତି ଏବଂ ନୂତନ ଶୀର୍ଷ ଛୁଇଁବାର ମାନସିକତାରୁ ହିଁ ଏହିସବୁ ଉପକ୍ରମର ଅୟମାରମ୍ଭ ଘଟିଛି । ଏକ ବିଲିଅନ ଡଲାର ମୂଲ୍ୟରୁ ଅଧିକ ଭାରତୀୟ ୟୁନିକର୍ଣ୍ଣମାନଙ୍କ ସଂଖ୍ୟା ୨୦୧୬ ପୂର୍ବରୁ ୧୦ରୁ କମ୍ ଥିବାବେଳେ ଏବେ ତାହା ୧୧୦ ଛୁଇଁଛି, ଯାହାର ମୋଟ୍ ମୂଲ୍ୟ ୩୮୫ ବିଲିଅନ ଡଲାର ବୋଲି ଶିଳ୍ପସଂସ୍ଥାମାନଙ୍କ ପକ୍ଷରୁ ଆକଳନ କରାଯାଇଛି ।
ଜନସଂଗ୍ରହ ସମର୍ଥନ: ଆମ ସରକାର ଯୋଗ୍ୟ ଷ୍ଟାର୍ଟମାନଙ୍କ ପାଇଁ ସରକାରୀ ଇ-ମାର୍କେଟପ୍ଲେସ୍ (ଜିଇଏମ)ରେ ସ୍ୱତନ୍ତ୍ର ତଥା ବିଶେଷ ସୁବିଧା ସୁଯୋଗ ପ୍ରଦାନକାରୀ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଏହି ପ୍ଲାଟଫର୍ମ ବିକ୍ରେତାମାନଙ୍କୁ ସରକାରୀ ବିଭାଗମାନଙ୍କରେ ଏକ ସ୍ୱଚ୍ଛ ଏବଂ ଦୁର୍ନୀତିବିହୀନ ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କ ଉତ୍ପାଦ ବିକ୍ରିର ସୁଯୋଗ ପ୍ରଦାନ କରିଛି ଏବଂ ତାହା ଫଳରେ ଉଦ୍ୟୋଗୀମାନଙ୍କୁ ଜଟିଳ ସରକାରୀ ବ୍ୟବସ୍ଥାକୁ ସେମାନଙ୍କ ଉତ୍ପାଦ ବିକ୍ରିର ସହଜ ମାର୍ଗ ସୃଷ୍ଟି କରିଛି ଏବଂ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପୂର୍ବରୁ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ସବୁ ଫନ୍ଦି ଫିକରର ଉଚ୍ଛେଦ ଘଟାଇଛି ।
ସରକାରୀ ଇ-ମାର୍କେଟପ୍ଲେସ୍ (ଜିଇଏମ) ମାଧ୍ୟମରେ ୨୯,୭୮୦ ସରକାରୀ ପଞ୍ଜୀକୃତ ଷ୍ଟାର୍ଟଅପମାନେ ଦେଶରେ ୪,୦୯,୧୫୫ଟି ସରକାରୀ ଅର୍ଡରକୁ ପୂରଣ କରିବା ସହିତ ମୋଟ୍ ୩୭,୪୬୦ କୋଟି ଟଙ୍କାର ସାମଗ୍ରୀ ବିକ୍ରୟ କରିଛନ୍ତି³ ଯାହାକି ବଜାର ପ୍ରବେଶର ଗଣତାନ୍ତ୍ରିକରଣ, ସହଜରେ ସାମଗ୍ରୀର ତାଲିକାକରଣ ଏବଂ ବିକ୍ରୟ ଆବଶ୍ୟକତା ତଥା ସରକାରୀ ସଂଗ୍ରହ ଅନୁଭୂତିକୁ ସରଳ ଓ ସୁଗମ କରିପାରିଛି ।
ନୂତନ ଭାରତର ଆଲୋକବର୍ତ୍ତିକା: ଆଜି ଷ୍ଟାର୍ଟଅପମାନେ ନୂତନ ଭାରତ ଆଶାର ଆଲୋକବର୍ତ୍ତିକା ସାଜିଛନ୍ତି । କ୍ରମବର୍ଦ୍ଧମାନ ଷ୍ଟାର୍ଟଅପ୍ ବ୍ୟବସ୍ଥା ଭାରତୀୟ ଅର୍ଥନୀତିରେ ମଧ୍ୟ ବୈପ୍ଳବିକ ପରିବର୍ତ୍ତନ ଘଟାଇଛି ଏବଂ ଏହା ଆମର ନାଗରିକମାନଙ୍କ "ଇଜ୍ ଅଫ୍ ଲିଭିଂ'କୁ ମଧ୍ୟ ସୁଗମ କରିଛି ।
ପ୍ରୟାଗରାଜ ମହାକୁମ୍ଭ ଭାରତର ଆଧ୍ୟାତ୍ମିକ ଭବ୍ୟତାକୁ ବିଶ୍ୱ ସମ୍ମୁଖରେ ପ୍ରଦର୍ଶନ କରିଛି ଏବଂ ଆମର ଯୁବବର୍ଗଙ୍କୁ ଆମର ସଂସ୍କୃତି, ଐତିହ୍ୟ ଏବଂ ବିଶ୍ୱାସକୁ ନେଇ ଗର୍ବ କରିବାର ଅବସର ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନିର୍ମିତ ଏବଂ ବିକଶିତ ଏହି ଷ୍ଟାର୍ଟଅପ୍ ପରିବେଶ ଯୁବକମାନଙ୍କୁ ଉଦ୍ୟମିତା ସଂସ୍କୃତିକୁ ଆପଣାଇବା ଦିଗରେ ସହାୟକ ହୋଇଛି । ଏହା ଭାରତକୁ ନବସୃଜନ, ନୂତନ ପ୍ରଯୁକ୍ତି ଏବଂ ଅଭିନବ ଚିନ୍ତାଧାରାର ଶକ୍ତିକେନ୍ଦ୍ରରେ ଅବଶ୍ୟ ପରିଣତ କରିବ ।